କେନ୍ଦ୍ରାପଡା: କେନ୍ଦ୍ରାପଡା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର 5 ବରିଷ୍ଠ ନେତା । ଭୁବନେଶ୍ୱର, ବାଲେଶ୍ଵର ପରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ବିଜେପିର ହେଭିଓ୍ବେଟ ନେତା ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଶନିବାର ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ପାଟକୁରା ପ୍ରାର୍ଥୀ ତେଜେଶ୍ୱର ପରିଡା, ଆଳି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ରାଜନଗର ପ୍ରାର୍ଥୀ ଲଳିତ ବେହେରାଙ୍କ ସମେତ ମହାକାଳପଡ଼ା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଆସନ୍ତା ଜୁନ ୧ ତାରିଖରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ବିଜେପିର ବରିଷ୍ଠ ନେତା ।
ଏଥିସହ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ନବୁଝି ଯେଉଁ ପ୍ରଶ୍ନ ବିଜେପି ଉପରକୁ ଉଠାଉଛନ୍ତି ତାହା ଦୁର୍ଭାଗ୍ୟଜନକ । ଏଥିସହ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିବା ଓଡ଼ିଆ ଅସ୍ମିତା ପ୍ରତି ଅପମାନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।