ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁରୁ ରାୟଗଡା ନୂଆ ରେଳ ଡିଭିଜନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପୂର୍ବରୁ ରେଲୱେ କ୍ଷେତ୍ରରେ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ବିରୋଧ କରି ଉଭୟ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଜାମ୍ମୁରୁ ରାୟଗଡା ପାଇଁ ନୂଆ ରେଳ ଡିଭିଜନକୁ ସ୍ବାଗତ କରିବା ସହ ଓ୍ଵାଲଟିଅର୍ ଡିଭିଜନକୁ ଭାଙ୍ଗି ଏହାର ସିଂହ ଭାଗ ଇଷ୍ଟକୋଷ୍ଟ ରେଲୱେ ଜୋନରୁ କାଢିନେବାକୁ ଅଭିଯୋଗ ଆଣି ବିରୋଧ କରିଛି ବିଜେଡି । ଇଷ୍ଟକୋଷ୍ଟ ରେଲୱେ ଜୋନ ପ୍ରମୁଖ ରାଜସ୍ବ ପ୍ରଦାନ କରି ଆସୁଥିବାବେଳେ କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେଡି ଅଭିଯୋଗ କରିଛି ।
ଡବଲ ଇଞ୍ଜିନ ସରକାର ଚୁପ୍:
ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ''ରାୟଗଡା ଡିଭିଜନର ବିସ୍କୁଟ ଦେଇ ଓଡ଼ିଶାର କ୍ଷତି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ଚୁପ ବସିଛନ୍ତି, ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ହେଲେ ରେଳବାଇ ଏହାର ବିଜ୍ଞପ୍ତି ପ୍ରକାଶ ହୋଇନି । ଏହା ବୋଧେ ଦେଶରେ ପ୍ରଥମ ଘଟଣା ବୋଲି ବିଜେଡି କହିଛି । ଏହି ଡିଭିଜନର ମାଲିକାନା, କେଉଁ ଅଞ୍ଚଳ ରହିବ ସେନେଇ କିଛି ସ୍ପଷ୍ଟତା ଆସିନି । ଖବର କାଗଜରୁ DPR ହୋଇଥିବା ଜାଣିବାକୁ ପାଇଲୁ DPR ହୋଇଛି ଯଦି ଏହା ବଡ଼ କ୍ଷତି ଦେବ, କୋଟିଆ, ପୋଲାଭରମ ପରି ଘଟଣା ହେବ । ଡବଲ ଇଞ୍ଜିନ ସରକାର ଚୁପ ହୋଇ ବସିଛନ୍ତି ।
ପୂର୍ବତଟ ରେଳବାଇ ଭାଙ୍ଗିବାକୁ ଯୋଜନା:
ସେ ଆହୁରି କହିଛନ୍ତି, ‘୨୦୧୯ରେ ପ୍ରସ୍ତାବ ହୋଇଥିଲା ଯେ ଆନ୍ଧ୍ର ପ୍ରଦେଶ ବିଭାଜନ ସମୟରେ ନୂଆ ରାଜ୍ୟକୁ ନୂଆ ରେଳ ଜୋନ ମିଳିବ । ହେଲେ କେଉଁଠି ବି ଲେଖା ହୋଇନି ଯେ ପୁରୁଣା ଜୋନ ଭଙ୍ଗା ଯିବ । ପୂର୍ବତଟ ରେଳବାଇ ଭାଙ୍ଗିବାକୁ ଏହି ସବୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ନିୟମ ଅନୁସାରେ ତିନୋଟି ଡିଭିଜନ ହେବ । ୱାଲଟିଅର ଡିଭିଜନ ଭାଙ୍ଗିଲେ, ସିଂହ ଭାଗ ଯିବ ଆନ୍ଧ୍ରକୁ । ୧୯୯୮ ମସିହାରେ ଆରମ୍ଭ ହୋଇଥିବା ପୂର୍ବତଟ ରେଲୱେ ୩ ଲକ୍ଷ କୋଟି ରାଜସ୍ୱ ଦେଇ ସାରିଲଣି । ଏହାର ୬୦ପ୍ରତିଶତ ଆସେ ୱାଲଟିଅର ଡିଭିଜନରୁ । ଏହାକୁ କେନ୍ଦ୍ର ଓଡ଼ିଶାଠାରୁ ଛଡାଇ ଚନ୍ଦ୍ରବାବୁ ନାଇଡ଼ୁ ଖୁସି କରିବାକୁ ଭେଟି ଦିଆଯାଉଛି । କିନ୍ତୁ ମୋହନ ମାଝୀ ପାଟି ଫିଟାଉ ନାହାନ୍ତି । ''
ମାଲିକାନାକୁ ଓଡ଼ିଶାରୁ ଛଡାଇ ଦିଆଯାଉଛି: ବିଜେଡି
ସେ ଆହୁରି ମଧ୍ୟ କହିଛନ୍ତି, ''ପୂର୍ବତଟ ରେଳ ଡିଭିଜନକୁ ମିଶାଇ ଦେଶରେ 17 ଟି ଡିଭିଜନ ଅଛି, 10 କ୍ଷତିରେ ଚାଲୁଛି । ବାକି 7 ରୁ ସବୁଠାରୁ ଅଧିକ ଲାଭ ଦେଉଛି ପୂର୍ବତଟ ରେଳବାଇ । 47 ଟଙ୍କା ଖର୍ଚ୍ଚ କଲେ 100 ଟଙ୍କା ମିଳୁଛି, ହେଲେ ଅନ୍ୟ ଡିଭିଜନ 107 ଖର୍ଚ୍ଚ କଲେ 100 ଟଙ୍କା ଲାଭ ମିଳେ । କେନ୍ଦ୍ର ଆଞ୍ଚଳିକ ବୈଷମ୍ୟର ଦାଉ ସାଜୁଛନ୍ତି ଓଡ଼ିଶାକୁ । ରେଲୱେ ହେଉଛି ଜାତୀୟ ସମ୍ପତ୍ତି ,ଏହାକୁ ନେଇ ଦେଶରେ କେବେ ବିଭାଜନ ହୋଇନାହିଁ । ଯାହାର ରେଲୱେ ଲାଇନ, ସେ ମାଲିକ। ଭାଇଜାଗ ଯାଏଁ ଯେତେ ରେଳ ଲାଇନ ବିଛା ଯାଇଛି, ତାହା ପୂର୍ବତଟ ରେଳ କରିଛି । ହେଲେ ଏବେ ମାଲିକାନା ଓଡ଼ିଶାରୁ ଛଡାଇ ଦିଆଯାଉଛି । ୱାଲଟିଅର ଡିଭିଜନ ୨୦୨୩ ମସିହାରେ ୨୦,୩୦୦ କୋଟି ରାଜସ୍ୱ ଦେଇଛି । ହେଲେ ଏବେ ଏକ ନମ୍ବରରେ ଥିବା ପୂର୍ବତଟ ରେଳବାଇ ୧୧ ନମ୍ବରକୁ ଖସି ଆସିବ ।’
ସେ ଆହୁରି କହିଛନ୍ତି ୱାଲଟିଅର ଡିଭିଜନ ଅଧୀନରେ ଦୁଇଟି ବନ୍ଦର ଆସୁଛି । ଭାଇଜାଗରେ ସବୁଠାରୁ ୱାଗନ କାରଖାନା ରହିଛି । ଭାଇଜାଗକୁ ୫୦୦ କୋଟି ରାଜସ୍ୱ ଟ୍ରେନ ଯାତ୍ରାରୁ ଆସେ । ଯଦି ଭାଇଜାଗ ପଳେଇଲା, ପୂର୍ବତଟ ରେଳ ପାଖରେ କିଛି ରହିବ ନାହିଁ । ଭଡା ଆନ୍ଧ୍ର ଓ ପଶ୍ଚିମ ବଙ୍ଗରୁ ନେବାକୁ ପଡିବ । ଏଥି ପାଇଁ ଆନ୍ଧ୍ରର ଏହାକୁ ନେବାକୁ ଇଚ୍ଛା । 1960ରେ KK ଲାଇନ ଦକ୍ଷିଣ ଓଡ଼ିଶାରେ କରାଯାଇଥିଲା, ଯେଉଁଠୁ ଖଣି ଯାଏଁ । ରାୟଗଡା ଡିଭିଜନର ମାଲିକାନା କାହାର, କେଉଁ ଅଞ୍ଚଳ ଆସିବ, ତାହାର ବିଜ୍ଞପ୍ତି ନଥିବାରୁ କିଛି ଜଣାଇଲା ନାହିଁ କେନ୍ଦ୍ର ହେଲେ DRM ଅଫିସ ପାଇଁ କାଲି ଭିତ୍ତି ପ୍ରସ୍ତର ହେବ।ଓଡ଼ିଶାର ରେଳ ଅଧିକାରୀ ଆନ୍ଧ୍ରର ହୋଇଯିବ, ଯାହା ତାଙ୍କ କ୍ୟାରିଅର ପ୍ରଭାବିତ ହେବ । ରାୟଗଡା ଜିଲ୍ଲାରେ ଥିବା ରେଳ ଷ୍ଟେସନ ରାୟଗଡା ଅଧୀନରେ ରହିବ ନା ନାହିଁ ।''
ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ:
ସେ ଆହୁରି କହିଛନ୍ତି, ''ଡବଲ ଇଞ୍ଜିନ ସରକାର କଣ ଓଡି଼ଶାରୁ ସବୁ ନେଇଯିବାକୁ କରାଯାଇଥିଲା । ପୁରା ୱାଲଟିଅର ଡିଭିଜନ ଗତ ବର୍ଷ ଚାରୋଟି ପୁରସ୍କାର ପାଇଥିଲା। ଫାର୍ଷ୍ଟ କ୍ଲାସ ପିଲାକୁ ଆନ୍ଧ୍ରକୁ ଦେଇ ଆମ ଡିଭିଜନକୁ ଦେଶର ସବୁଠାରୁ ଗରିବ ଡିଭିଜନ କରିବାକୁ ଏହା ଚକ୍ରାନ୍ତ ହେଉଛି । ୪୫୦ କିଲୋମିଟର ରେଳ ଲାଇନ ଦକ୍ଷିଣ ଓଡ଼ିଶାର DPR ଅନୁସାରେ ଆନ୍ଧ୍ରକୁ ପଳେଇବ । ୧୦୫୦ କିଲୋମିଟର ରେଳ ଲାଇନ ଭାଇଜାଗରେ ଅଛି । ପୁଣି ୪୫୦କିଲୋମିଟର କାହିଁକି ନେବେ? ସରକାର ଭାଙ୍ଗିବା ଭୟରେ ଚନ୍ଦ୍ରବାବୁ ନାଇଡୁକୁ ଖୁସି କରାଯାଉଛି । ଗୁଣୁପୁର ଲାଇନ ବି ଆନ୍ଧ୍ରକୁ ପଳେଇଲେ । ଦକ୍ଷିଣ ତଟ ରେଳ ଲାଇନ ଦେଇ ଯିବାକୁ ପଡିବ । ଭାରତ ବର୍ଷରେ ରେଳ ହେଉଛି ଅଖଣ୍ଡତାର ପ୍ରତୀକ । ହେଲେ ରାଜ୍ୟ ଭିତ୍ତିକ ରେଳର ନୂଆ ଢାଞ୍ଚା ସୃଷ୍ଟି କଲେ ସରକାର ।’
ସେ ଆହୁରି କହିଛନ୍ତି, ‘ଆନ୍ଧ୍ରକୁ ଖୁସି କରିବାକୁ ଯଦି ଇଚ୍ଛା ଅଛି, ଓଡ଼ିଶାକୁ ତା ଅଞ୍ଚଳ ଦିଆଯାଉ, ଓଡ଼ିଶାକୁ କ୍ଷତି ଭରଣ ପାଇଁ ପଶ୍ଚିମ ବଙ୍ଗରେ ଥିବା ଓଡ଼ିଶାର ଡିଭିଜନ ଦିଆଯାଉ । ରାଉରକେଲାର ଷ୍ଟିଲ ବି ପଶ୍ଚିମ ବଙ୍ଗକୁ ଦେବୁନି। ଆଞ୍ଚଳିକ ବୈଷମ୍ୟ କରିବାର ଅଧିକାର କେନ୍ଦ୍ର ସରକାରର ନାହିଁ । ରାଉରକେଲାରେ ନୂଆ ଡିଭିଜନ ହେଉ, ପଶ୍ଚିମବଙ୍ଗର ଚାରୋଟି ଡିଭିଜନ ଅଛି ଓଡ଼ିଶାର ବି ଚାରୋଟି ହେଉ । ଲୁହା ପଥର ଅର୍ଥ ଯିବାକୁ ଆମେ ପସନ୍ଦ କରୁନୁ ରାଜନୈତିକ ଉଦେଶ୍ୟ ରଖି କେନ୍ଦ୍ର ସରକାର ବଞ୍ଚାଇବାକୁ, ଆମେ ରାଜ୍ୟ ପାଇଁ କହିବୁ'' ।
ପୂର୍ବତଟ ରେଳବାଇକୁ କ୍ଷତିଗ୍ରସ୍ତ କରିବାକୁ ଏହି ପ୍ରହାର:
ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, '' ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଯେଉଁ ଆଶା ଉଦ୍ଦୀପନା ଥିଲା, ତାହା ମରିବାରେ ଲାଗିଲାଣି । ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଉଛି । କୋଟିଆ ପାଇଁ ସୁପ୍ରିମ କୋର୍ଟରୁ କୋରାପୁଟ ଯାଏଁ ବିଜେଡି ଲଢେଇ କରିଛି । ସରକାର ଆସି ପୁଣି ପୋଲାଭରମ ପ୍ରହାର ଦେଲେ । ଗତ ପାଞ୍ଚ ବର୍ଷରୁ ଏହାକୁ ଅଟକାଇ ରଖାଗଲା । ୧୨୦୦୦କୋଟି ଦେଇ ମାଲକାନଗିରି ବୁଡ଼ାଇବାକୁ ସବୁ ଯୋଜନା । ପୂର୍ବତଟ ରେଳବାଇକୁ ଅନାଥ ଓ କ୍ଷତିଗ୍ରସ୍ତ କରିବାକୁ ଆଉ ଏକ ପ୍ରହାର ଦେଉଛି ଡବଲ ଇଞ୍ଜିନ ସରକାର । ଓଡ଼ିଶାକୁ ଶ୍ରୀହୀନ କରିବାକୁ ଉଦ୍ୟମ କରୁଛି କେନ୍ଦ୍ର ବିଜେପି ସରକାର । ବିଜେପି ରାଜନୀତି ଓଡ଼ିଶାର ସ୍ୱାର୍ଥ ବିରୋଧୀ । ଚକ୍ରଧରପୁର ଓ ଖଡ଼ଗପୁର ଡିଭିଜନରେ ଥିବା ଓଡ଼ିଶାର ଲାଇନ ଓଡ଼ିଶାକୁ ଦିଆଯାଉ ବୋଲି ଦାବି କରିଛି ବିଜେଡି । ବିଜେପି ସରକାରକୁ ଚେତାବନୀ, ଓଡ଼ିଶା ସ୍ୱାର୍ଥକୁ ବିରୋଧ କଲେ ଉଚିତ ଦେବେ ରାଜ୍ୟବାସୀ। ''
ବିଧାୟକ ରୂପେଶ ପାଣିଗ୍ରାହୀ ଡବଲ ଇଞ୍ଜିନ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ''ଏ କଥା ଆଗାମୀ ଦିନରେ ବିଧାନସଭା ରେ ଉଠାଇବ ବିଜେଡି । ଓଡିଶାକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି । ଓଡ଼ିଶାକୁ ପଛକୁ ଠେଲିବାକୁ ଉଦ୍ୟମ ହେଉଛି । ବିଧାନସଭାରେ ବିଧାୟକ ରଣେନ୍ଦ୍ର ସ୍ୱାଇଁ ଏହି କଥା ଉଠାଇଥିଲେ । ଏହାଦ୍ୱାରା ଆଞ୍ଚଳିକ ପରିଚୟ ହରାଇବ ଓଡ଼ିଶା। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା ରେଳ ମାଲିକାନା ଓଡ଼ିଶାକୁ ଦିଆଯାଉ । ଆଗାମୀ ବିଧାନସଭା ଅଧିବେଶନରେ ଏହାକୁ ସ୍ୱତନ୍ତ୍ର ମୋସନ ଜରିଆରେ ସରକାରଙ୍କୁ ଘେରିବ ବିଜେଡି। ''
ଇଟିଭି ଭାରତ, ଭୁବନେଶ୍ବର