ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ଆରମ୍ଭରୁ ଦେଖା ଦେଲାନି ଅସମ୍ଭାଳ ତାତି । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ । ବର୍ତ୍ତମାନ ରାଜ୍ୟରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଆରମ୍ଭ ହେଲାଣି । ଆଇଏମଡିର ଆକଳନ ଅନୁସାରେ ଫେବୃଆରୀ ମାସରେ ଓଡିଶାର ତାତି ସ୍ବାଭାବିକ ଠାରୁ ଅଧିକ ରହିବ । ସେପଟେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତି ୨୧ ବର୍ଷର ରେକର୍ଡ ଭାଙ୍ଗିଛି । ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ଟାଇଁ ଟାଇଁ ଖରା ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
୨୦୨୪ରୁ ବଳିଯିବ ୨୦୨୫ର ତାତି !
ତେବେ ୨୦୨୪ରୁ ବଳିଯିବ ୨୦୨୫ର ତାତି । ଫେବୃଆରୀରୁ ଦେଖାଇଲାଣି ତାଉ । ୨୧ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ତାପମାତ୍ରା । ପ୍ରଥମ ସପ୍ତାହରେ ଭୁବନେଶ୍ବରର ତାପମାତ୍ରା ଛୁଇଁଲା ୩୪.୯ ଡିଗ୍ରୀ । ମାଘ ମାସରେ ଅସ୍ବାଭାବିକ ସ୍ଥିତି । ଆଗକୁ ଦିନ ସହ ଉଷ୍ଣ ହେବ ରାତି । ସାରା ରାଜ୍ୟରେ ଏବେ ଉପରମୁହାଁ ହୋଇଛି ପାରଦ । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ରୌଦ୍ର ତାପର ଅଧିକ ପ୍ରହାର । ଫେବୃଆରୀ ତୃତୀୟ ସପ୍ତାହ ବେଳକୁ ସ୍ବାଭାବିକ ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହେବ ତାପମାତ୍ରା । ବର୍ତ୍ତମାନ କିଛି ସ୍ଥାନରେ ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାତି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଗଜପତି ସମେତ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ତାତି ଅହେତୁକ ଭାବରେ ବୃଦ୍ଧି ପାଇଛି ।
Minimum Temperature Forecast for next 5 days#Odisha #WINTER pic.twitter.com/OhWx6pzOJT
— Meteorological Centre, Bhubaneswar (@mcbbsr) February 5, 2025
ରେକର୍ଡ ଭାଙ୍ଗିଲା ତାତି !
ସେହିପରି ଜାନୁଆରୀ ୨୭ରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି କୋରାପୁଟର ତାତି । ଏହାସହ ୧୯୭୩ ରୁ ୨୦୨୫ ମସିହା ମଧ୍ୟରେ ଭବାନୀପାଟଣାରେ ଜାନୁଆରୀ ୩୧ ତାରିଖ ଦିନ ଦ୍ବିତୀୟ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି । ଗତ ବର୍ଷ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ରାଜଧାନୀରେ ଲଗାତର ୧୬ ଦିନ ଧରି ୪୦ ଡ଼ିଗ୍ରୀ ରୁ ଅଧିକ ତାପମାତ୍ରା ଅନୁଭୂତ ହେବା ସହ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା । ହେଲେ ଚଳିତ ବର୍ଷ ଫେବୃଆରୀ ମାସର ଆଖି ଦେଖାଇଲାଣି ଭୁବନେଶ୍ବରର ତାତି ।
7 Days' weather forecast for Capital City (Valid from 05th February, 2025 to 11th February, 2025)#Odisha #Weather #Bhubaneswar #Cuttack #weatherforecast pic.twitter.com/m3cxfz6Geb
— Meteorological Centre, Bhubaneswar (@mcbbsr) February 5, 2025
ଆସନ୍ତା 7 ଦିନ ପାଗରେ ନାହିଁ ପରିବର୍ତ୍ତନ:
"ପାଗ ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୭ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ବର୍ଷାର ସମ୍ଭାବନା ନାହିଁ । ୩ ଦିନ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ରହିବାର ସମ୍ଭାବନା ଥିବା," ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଘନ କୁହୁଡି ପାଇଁ 12 ଜିଲ୍ଲାକୁ ଆଲର୍ଟ:
ସେପଟେ ବର୍ତ୍ତମାନ ଉପକୂଳରେ ଦିନ ତାପମାତ୍ରା ସ୍ଵାଭାବିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ଅଧିକା ରହିଛି । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଅନୁଭୂତ ହେବ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ତେବେ ଚଳିତ ବର୍ଷ ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ଆଇଏମଡି ପୂର୍ବାନୁମାନ କରିଥିବା ବେଳେ ଫେବୃଆରୀ ମାସରେ ଓଡ଼ିଶାରେ ବି କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ନେଇ ଦୀର୍ଘମିଆଦି ଆକଳନ କରାଯାଇଛି । ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ୟେଲୋ ମାର୍କରେ ରହିଛି ବୋଲି ବିଭାଗ ସୂଚନା ଦେଇଛି ।