ଭୁବନେଶ୍ବର: ପୁୁଣି 'ବଲେ ବଲେ ଢ଼ାବା'କୁ ନେଇ ତେଜିଲା ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରଶ୍ନ । ଜବାବ ରଖିଲେ ବିଧାୟକ ହିମାଂଶୁ ସାହୁ ।
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ପ୍ରଣବ:
ମୁଖ୍ୟମନ୍ତ୍ରୀଙ୍କ ବଲେ ବଲେ ଢ଼ାବା ଗସ୍ତ ଉପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ପ୍ରଣବ ବଳବନ୍ତରାୟ । ବିଜେଡି ନେତା ପ୍ରଣବ ବଳବନ୍ତରାୟ ପ୍ରଶ୍ନ କରିଛନ୍ତି, "ବିବାଦୀୟ ବଲେ ବଲେ ଢ଼ାବାକୁ ମୁଖ୍ୟମନ୍ତ୍ରୀ କାହିଁକି ଯାଇଥିଲେ ? ଭାରତୀୟ ଜନତା ପାର୍ଟି ଯାହାର ବିରୋଧ କରୁଥିଲା ସେହି ଜାଗାକୁ ମୁଖ୍ୟମନ୍ତ୍ରୀ କେମିତି ଗଲେ ? ରଙ୍ଗଶାଳା କୁହାଯାଉଥିବା ଜାଗାର ରଙ୍ଗ ପରିବର୍ତ୍ତନ ହୋଇ ଗେରୁଆ ରଙ୍ଗ ହୋଇଛି । ପଦ୍ମ ପତାକା ଉଡୁଛି ଯାହା ବୋଧେ ଦଳୀୟ ସ୍ୱୀକୃତି ପାଇସାରିଛି । ୨୦୨୪ରେ ତାକୁ ଏକ କଦର୍ଯ୍ୟ ଅର୍ଥରେ ନିଆଗଲା ଓ ଚରିତ୍ର ସଂହାର କରାଯାଇଥିଲା ।’
ସେ ଆହୁରି କହିଛନ୍ତି, ‘ନୂଆ ସରକାର ଆସିବା ପରେ ସରକାର ତାକୁ ରଙ୍ଗଶାଳା ଆଖ୍ୟା ମଧ୍ୟ ଦେଇଥିଲେ କିନ୍ତୁ ନୂଆବର୍ଷରେ ନୂଆ ଅତିଥି ସେଠାକୁ ଯାଇଥିବା ଦେଖିବାକୁ ମିଳିଛି । ଧର୍ମଶାଳା ବିଧାୟକ ଖୋଦ ନିଜେ ଗଣମାଧ୍ୟମରେ କହୁଛନ୍ତି ଶୁକ୍ରବାର ଓ ଶନିବାର ରିଲାକ୍ସ କରିବାକୁ ଆସନ୍ତୁ । ଯେତିକି ସମୟ ମୁଖ୍ୟମନ୍ତ୍ରୀ ଓ ଅତିଥିମାନେ ରହିଥିଲେ ସେହି ସମୟରେ SP ଓ ଅନ୍ୟାନ୍ୟ ଅଫିସର ବାହାରେ ଜଗିଥିଲେ । ସେଠାରେ ସରକାରୀ ବିଲ୍ଡିଂ ଓ ସରକାରୀ ରଙ୍ଗ ଦିଆଯାଇଛି ଓ ଏକ ହୋର୍ଡିଂ ଲଗାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ବିଧାୟକ ଥିଲେ ସେତେବେଳେ ସେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀକୁ ଗଲାବେଳେ ରାସ୍ତାରେ ବଲେ ବଲେକୁ ଯାଇଛନ୍ତି । ଯଦି ତାହା ଏକ ବିବାଦୀୟ ଜାଗା ତାହାଲେ ମୁଖ୍ୟମନ୍ତ୍ରୀ ସେଠାକୁ ଏବେ କେମିତି ଗଲେ ? ।’
ଏହା ବି ପଢନ୍ତୁ...ହାଇକୋର୍ଟ ଗଲେ ଏଲିନା, ମିଡିଆରେ ଅପପ୍ରଚାର ରୋକ ପାଇଁ ଆବେଦନ - Controversial Balle Balle Dhaba
ବିଜେପି ବିଧାୟକଙ୍କ ଖଣ୍ଡନ:
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ପ୍ରଶ୍ନ ପରେ ଜବାବ ଦେଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ସେ କହିଛନ୍ତି, "୨୪ ବର୍ଷର ସରକାର ଜାଣି ପାରୁନାହାନ୍ତି କେଉଁ ପ୍ରକଳ୍ପ କେତେବେଳେ ହୋଇଥିଲା । ମୁଖ୍ୟମନ୍ତ୍ରୀ ଧର୍ମଶାଳା ଭବନ ଯାଇଥିଲେ ବଲେ ବଲେ ଢ଼ାବା ନୁହେଁ । ମିଛ ତଥ୍ୟ ଦିଅନ୍ତୁ ନାହିଁ । ପ୍ରଥମେ ଧର୍ମଶାଳା ଆସନ୍ତୁ ଦେଖନ୍ତୁ ତାପରେ ମତାମତ ଦିଅନ୍ତୁ । କେଉଁଟା କେଉଁ ଜାଗା । ଧର୍ମଶାଳା ଭବନ ଅଲଗା, ବଲେ ବଲେ ଢ଼ାବା ଅଲଗା । ୨୪ ବର୍ଷର ଅପାରଗ ସରକାର । ଧର୍ମଶାଳା ଭଳି ଏକ ପବିତ୍ର ଜାଗାରେ ବଲେ ବଲେ ଢ଼ାବା କରି କରି ସେଠାରେ ରଙ୍ଗଶାଳା କରିଥିଲେ । ଆମ ସରକାର ୧୫ ରୁ ୨୦ ଦିନ ମଧ୍ୟରେ ସେହି ଜାଗାରେ ସାଧାରଣ ଲୋକଙ୍କ ପାଇଁ ମାଗଣାରେ ଖାଦ୍ୟ ଯୋଜନା ଆରମ୍ଭ କରିଛୁ । ୨୫ ବର୍ଷରେ ଯେଉଁ ବଂଶଗତ ରାଜନୀତି ଚଳାଇଥିଲେ । ଆପଣ କରିଥିବା କୁଚରିତ୍ର ଜାଗାକୁ ଆମେ ୧୫ ଦିନରେ ସୁଚରିତ୍ର ଜାଗାରେ ପରିଣତ କରୁଛୁ ସେଠାରେ ଲୋକାଭିମୁଖି କାର୍ଯ୍ୟ ହେବ ।"
ଇଟିଭି ଭାରତ, ଭୁବନେଶ୍ବର