ନୂଆଦିଲ୍ଲୀ: ଚଳିତମାସ (ଜାନୁଆରୀ) 31 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦ ବଜେଟ୍ ଅଧିବେଶନ । ଏହି ଅଧିବେଶନରେ ଚଳିତ ଆର୍ଥିକବର୍ଷର ବାର୍ଷିକ ବଜେଟ୍ ସାଙ୍ଗକୁ ଏକାଧିକ୍ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବେ କେନ୍ଦ୍ର ସରକାର । ତେବେ ଶାସକ ମେଣ୍ଟ ବିରୋଧରେ ଏକଜୁଟ ହୋଇ ଲଢିବ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ । ବିଭିନ୍ନ ପ୍ରସଙ୍ଗରେ ମେଣ୍ଟ ମଧ୍ୟରେ ସହଯୋଗୀ ଦଳମାନଙ୍କ ମଧ୍ୟରେ ମତାନ୍ତର ଥିଲେ ସୁଦ୍ଧା ଏଥର ସଂସଦରେ ବିରୋଧୀ ଏକତା ଦେଖାଇବାକୁ ସେମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସେମାନେ ପ୍ରଭାବୀ ଢଙ୍ଗରେ ଗୃହରେ ସରକାରଙ୍କୁ ଘେରିବେ । ଏନେଇ ଖୁବଶୀଘ୍ର ବୈଠକ ହେବାକୁ ଯାଉଛି ।
- ସୋନିଆ-ଖଡେଗ ଓ ରାହୁଲ ନେବେ ମିଟିଂ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ 30 ତାରିଖରେ ଦଳର ଲୋକସଭା ଓ ରାଜ୍ୟସଭାର ଫ୍ଲୋରଲିଡରଙ୍କ ସହ ବୈଠକ କରିବେ । ସେହିପରି ଫେବୃଆରୀ 2 ତାରିଖରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ସହ ବୈଠକ କରିବେ । ଏହି ବୈଠକରେ ମେଣ୍ଟର ମିଳିତ ରଣନୀତି ପ୍ରସ୍ତୁତ ହେବ ।
- ଫୋକସରେ ଦରଦାମ, ବେରୋଜଗାରୀ ମୁଦ୍ଦା
କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ ‘ଇଟିଭି ଭାରତ’କୁ ପ୍ରତିକ୍ରିୟାରେ କହିଛନ୍ତି,‘‘ ଇଣ୍ଡିଆ ମେଣ୍ଟ ଏକାଠି ଅଛି । ଭାରତୀୟ ଜନତା ପାର୍ଟିର କୌଣସି ସମ୍ବିଧାନବିରୋଧୀ ବିଲକୁ ବିରୋଧ କରିବା ପାଇଁ ମେଣ୍ଟ ଏକାଠି ଅଛି । ସେହିପରି ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ମେଣ୍ଟ ମିଳିତ ଆଭିମୁଖ୍ୟ ରଖିବ । ସାଧାରଣ ଲୋକଙ୍କ ପ୍ରଭାବିତ କରିବା ପରି ଏକାଧିକ ପ୍ରସଙ୍ଗରେ ମେଣ୍ଟ ସରକାରଙ୍କଠାରୁ ସନ୍ତୋଷଜନକ ଉତ୍ତର ଆଶା କରେ । ବିଶେଷ ଭାବେ ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି, ବେରୋଜଗାରୀ, ଚାଷୀ ଓ ଛାତ୍ରସମାଜର ପ୍ରସଙ୍ଗରେ ସରକାରଙ୍କୁ ଜବାବ ଦେବାକୁ ହେବ ।’’
ଏହା ମଧ୍ୟ ପଢନ୍ତୁ :- ସୁଭଦ୍ରା ଯୋଜନାରେ ସାଂଘାତିକ ତଥ୍ୟ: ୧୫୭ ପୁରୁଷ କରିଥିଲେ ଆବେଦନ, ଯାଞ୍ଚ ବେଳେ ଧରାପଡ଼ିଲା ଚଞ୍ଚକତା କ୍ୟାବିନେଟରେ 10 ପ୍ରସ୍ତାବକୁ ମୋହର, ନୂଆ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ମଞ୍ଜୁରୀ |
- ବିରୋଧୀ ମେଣ୍ଟରେ ରହିଛି ମତାନ୍ତର
ତେବେ ଏହି ଏକତା ଡାକରା ମଧ୍ୟରେ ଦିଲ୍ଲୀରେ କଂଗ୍ରେସ ଓ ଶାସକ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ଚାଲିଛି । ଉଭୟ ଏକାଠି ଲୋକସଭା ନିର୍ବାଚନ ଲଢିଥିଲେ ସୁଦ୍ଧା ଫେବୃଆରୀ 5 ତାରିଖରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଏକକ ଭାବେ ଲଢୁଛନ୍ତି । ତେଣୁ ଉଭୟ ଦଳ ମଧ୍ୟରେ ସମ୍ପର୍କ ଭଲନାହିଁ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ‘ଟିଏମସି’ ମଧ୍ୟ କଂଗ୍ରେସ ନେତୃତ୍ବରେ ଖୁସି ନଥିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ମେଣ୍ଟ ଏକଜୁଟ ହୋଇ ଶାସକ ମେଣ୍ଟ ଏନଡିଏକୁ ସାମ୍ନା କରିବାକୁ ଅଣ୍ଟା ଭିଡୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ