ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିନରେ 27 ଜଣ ପ୍ରତିଭାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ବସ୍ତୁବାଦୀ ଦୁନିଆରେ ଋଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବା ବ୍ରହ୍ମକୁମାରୀ ସୁଧାରାଣୀ ଗୁପ୍ତାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଆଧ୍ୟାତ୍ମିକ ମାର୍ଗରେ ଭାରତର ସଂସ୍କୃତି ଓ ଶାନ୍ତିର ବାର୍ତ୍ତାକୁ ବିଦେଶରେ ପ୍ରଚାର ପ୍ରସାର କରୁଛନ୍ତି ସୁଧାରାଣୀ । ୧୮ତମ ପ୍ରବାସୀ ଭାରତୀୟ ଦିବସରେ ତାଙ୍କୁ ସମ୍ମାନିତ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ସୁଧାରାଣୀ ଗୁପ୍ତା ।
ଆଧ୍ୟତ୍ମିକ ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ:
ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବ୍ରହ୍ମକୁମାରୀ ସୁଧାରାଣୀ ଗୁପ୍ତା କହିଛନ୍ତି, "35 ବର୍ଷ ପୂର୍ବେ ଋଷକୁ ଯାଇଥିଲି । ଆମ ଦେଶ ଯେଉଁଠାରେ ମୁଁ ଜନ୍ମ ନେଇଛି, ଯେଉଁଠି ପାଠପଢ଼ି ବଡ଼ ହୋଇଛି, ଯେଉଁଠି ଆମକୁ ଶିକ୍ଷା ମିଳିଛି, ସେଠାରେ ଆଜି ମୋତେ ସମ୍ମାନିତ କରାଯାଇଛି । ଆମ ଦେଶ ମୋତେ ମନେ ରଖି ପ୍ରବାସୀ ଭାରତୀୟ ଦିବସରେ ମନେ ପକାଇଛି । ଏଥିପାଇଁ ମୋତେ ବହୁତ ଗର୍ବ ଅନୁଭବ ହେଉଛି । ଆମେ ବାହାରେ ଥିଲେ ମଧ୍ୟ ଭାରତୀୟ ସଂସ୍କୃତିକୁ ଭୁଲି ନାହାନ୍ତି । ପିଲା ବେଳୁ ଆମ ଜୀବନର ଲକ୍ଷ୍ୟ ହେଉଛି ଆଧ୍ୟତ୍ମିକତା ମାଧ୍ୟମରେ ସେବା ପ୍ରଦାନ କରିବା । ସେବା କରି ଯେଉଁ ଆତ୍ମତୃପ୍ତି ମିଳୁଛି ଏହାର କୌଣସି ତୁଳନା ନାହିଁ । ଭାରତ ସରକାର ଆଧ୍ୟତ୍ମିକତାକୁ ଚିହ୍ନଟ କରିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ମୋର ବିଶ୍ବାସ ଅଛି ଯେ, ଆଧ୍ୟତ୍ମିକ ଶିକ୍ଷା ଦୁନିଆରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଜରୁରୀ ଅଟେ । ଏହାକୁ ସରକାର ଚିହ୍ନି ମୋତେ ସମ୍ମାନିତ କରିଛନ୍ତି । ମୋତେ ଲାଗୁଛି ସରକାର ମୋ ସହ ଆମ ଆଧ୍ୟତ୍ମିକ ଶିକ୍ଷାକୁ ସମ୍ମାନିତ କରିଛନ୍ତି ।"
ଯୁଦ୍ଧର ବିଭୀଷିକା ଭିତରେ ଶାନ୍ତିର ବାର୍ତ୍ତା:
ଋଷରେ ଯୁଦ୍ଧର ବିଭୀଷିକା ଭିତରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ସୁଧାରାଣୀ ଗୁପ୍ତା । ଏନେଇ ସେ କହିଛନ୍ତି, "ଆମେ ଋଷରେ ଲୋକମାନଙ୍କୁ ଆଧ୍ୟତ୍ମିକ ଶିକ୍ଷା, ନୈତିକତା ଶିକ୍ଷା, ମାନବିକତା ଶିକ୍ଷା ଦେଇଥାଉ । କେବଳ ଶିକ୍ଷା ଦେଇ ନଥାଉ ଆମେ ସେମାନଙ୍କ ରୋଲ ମଡେଲ ହୋଇଥାଉ। ଏଥିପାଇଁ ଆମେ ସେଠାରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥାଉ । ଲୋକମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ବାସ୍ତବିକତା ଅନୁଭବ କରାଇଥାଉ । ବାସ୍ତବିକ ଅନୁଭବରୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ । ସେମାନଙ୍କ ଜୀବନ ବଦଳି ଯାଇଥାଏ । ଋଷର ଯେଉଁ ଲୋକ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନେ ବର୍ତ୍ତମାନ ଶତ ପ୍ରତିଶତ ସାକାହାରୀ ହୋଇଯାଇଛନ୍ତି । କେହି ମଧ୍ୟ ମଦ୍ୟପାନ କରନ୍ତି ନାହିଁ, ବିବାଦ ସୃଷ୍ଟି କରନ୍ତି ନାହିଁ, କେହି ଯୁଦ୍ଧ କରୁନାହାନ୍ତି ।"
ଋଷ ଓ ୟୁକ୍ରେନ ହେଉଥିବା ଯୁଦ୍ଧକୁ ନେଇ ସୁଧାରାଣୀ ଗୁପ୍ତା କହିଛନ୍ତି, "ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିବାକୁ ଆମ ଆସୁଥିବା ଋଷର ମାଆ ଭଉଣୀମାନଙ୍କ ଭାଇ, ପୁଅ, ନାତିମାନଙ୍କୁ ଯୁଦ୍ଧକୁ ଯିବାକୁ ପଡ଼ୁଛି । କିନ୍ତୁ ସେମାନଙ୍କ ସମ୍ପର୍କିୟ ଯୁଦ୍ଧକୁ ଯାଇଥିଲେ ମଧ୍ୟ ସମସ୍ତେ ବ୍ୟସ୍ତ ନହୋଇ ଶାନ୍ତ ରହୁଛନ୍ତି । ଆମେ ସେମାନଙ୍କୁ ଶାନ୍ତି ଓ ଶକ୍ତି ଦେଇଥାଉ । ଫଳରେ ସେମାନେ ବ୍ୟସ୍ତ ନ ହୋଇ ଶାନ୍ତ ରହିବେ । ଏହାର ଫଳର ସ୍ବରୁପ ଏହାର ରେଜଲ୍ଟ ଏମିତି ହେଲା କି ଯୁଦ୍ଧକୁ ଯାଇଥିବା ସେମାନଙ୍କ ପୁଅ ଓ ଭାଇମାନେ ସୁରକ୍ଷିତ ଭାବରେ ଯୁଦ୍ଧରୁ ଫେରିଥିଲେ । ଆମ ମନରେ ଯେଉଁ ଶାନ୍ତି ରହିଥାଏ ଓ ଯେଉଁ ଶାନ୍ତିର ବାତାବରଣ ଥାଏ ତାକୁ ଆମେ ଦୁନିଆରେ ପ୍ରଚାର କରିବା ଦ୍ବାରା ହିଁ ଦୁନିଆରେ ପରିବର୍ତ୍ତନ ହୋଇଥାଏ । ଋଷ ଓ ୟୁକ୍ରେନ ଯୁଦ୍ଧ ପଛରେ ବଡ଼ ଇତିହାସ ରହିଛି । ଏଥିପାଇଁ ଆମେ କାହାକୁ ଦୋଷ ଦେଉନାହୁଁ ବରଂ ଆମେ ଆମର କାମ କରିଚାଲିଛୁ । କିଭଳି ଦୁନିଆରେ ଶାନ୍ତି ରହିବ ସେଥିପାଇଁ ଆମେ ଆମ ଅବଦାନ ଦେଇ ଚାଲିଛୁ ।"
ଶାନ୍ତିର ବାର୍ତ୍ତାକୁ ଗ୍ରହଣ କରୁଛନ୍ତି ଲୋକ:
"ଆଧ୍ୟାତ୍ମିକ ମାର୍ଗରେ ଶାନ୍ତିର ବର୍ତ୍ତା ପ୍ରଦାନ କରୁଥିବାରୁ ଆଜି ଏହି ସମ୍ମାନ ମିଳିଛି । ମସ୍କୋରେ ଥିବା ଆମ୍ବାସି ଏଫ୍ ଇଣ୍ଡିଆର ଆମ୍ବାସେଡର ଏହା ବୁଝିଛନ୍ତି, ଆଧ୍ୟାତ୍ମିକ ଶିକ୍ଷା ପାଇଁ ଏହି ସମ୍ମାନ ମିଳିଛି । ଋଷ ସରକାର ଯେତେବେଳେ ବୁଝିବେ ଯେ, ଆଧ୍ୟାତ୍ମିକ ଶିକ୍ଷାକୁ ସମ୍ମାନିତ କରାଯାଇଛି ସେ ନିଶ୍ଚିନ୍ତ ଏହି ବିଷୟରେ ଚିନ୍ତା କରିବେ ଯେ, ଏହି ଶାନ୍ତିର ମାର୍ଗର ପ୍ରଚାର ହେବା ଦରକାର । ଫଳରେ ଲୋକ ଶାନ୍ତ ରହିବେ, ସେମାନଙ୍କ ଚିନ୍ତା ଦୂର ହେବ ଓ ପରସ୍ପର ମଧ୍ୟରେ ସମ୍ପର୍କ ଭଲ ହେବ । ନିର୍ଣ୍ଣୟ ଶୀଘ୍ର ମିଳିବ । ବର୍ତ୍ତମାନ ବହୁତ ଲୋକ ଏହି ଶାନ୍ତିର ବାର୍ତ୍ତାକୁ ଗ୍ରହଣ କରୁଛନ୍ତି ।"
ତେବେ ବ୍ରହ୍ମକୁମାରୀ ସୁଧାରାଣୀ ଗୁପ୍ତା ସ୍କୁଲରେ ପଢ଼ିବା ସମୟରୁ 14 ବର୍ଷ ବୟସରୁ ଦୀର୍ଘ 58 ଧରି ଏହି ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରିବା ମାର୍ଗରେ ସହ ଜଡ଼ିତ ଅଛନ୍ତି । ଋଷରେ ଗତ 35 ବର୍ଷ ଧରି ଆଧ୍ୟାତ୍ମିକ ଶିକ୍ଷା ଦେଉଛନ୍ତି । ବସ୍ତୁବାଦୀ ଦୁନିଆରେ ଶାନ୍ତିର ବାର୍ତ୍ତା ପ୍ରଦାନ ପାଇଁ ବ୍ରହ୍ମକୁମାରୀ ବିଶ୍ବ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରିଛନ୍ତି । ଋଷରେ ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଆଧ୍ୟାତ୍ମିକ ଜ୍ଞାନ ଲୋକମାନଙ୍କ ପାଖରେ ପହଁଚାଉଛନ୍ତି । ଋଷ ଭାଷାରେ ଆଧ୍ୟାତ୍ମିକତା ଉପରେ ପୁସ୍ତକ ଲେଖିଛନ୍ତି । ଆଜି 18ତମ ପ୍ରବାସୀ ଭାରତୀୟ ଦିବସରେ ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର