ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସଂଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ । ଖୁବଶୀଘ୍ର ପ୍ରଣୟନ ହେବାକୁ ଯାଉଛି ପ୍ରବାସୀ ଓଡ଼ିଆ ନୀତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନୋଡାଲ ବିଭାଗ ଭାବେ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ କାର୍ଯ୍ୟ କରିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶାର ଯାତ୍ରରେ ସାମିଲ ହେବାକୁ ପ୍ରବାସୀ ଓଡ଼ିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସହ ତୃତୀୟ ଇଞ୍ଜିନ ଭାବେ ପ୍ରବାସୀ ଇଞ୍ଜିନ କାମ କରିବ ବୋଲି ଉଭୟ ନେତା ଆଶା ରଖିଛନ୍ତି ।
ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସହ ଯୋଡି ହୋଇଛି ପ୍ରବାସୀ ଇଞ୍ଜିନ:
ମୁଖ୍ୟମନ୍ତ୍ରୀ କହିଛନ୍ତି, "ବିଦେଶ ମାଟିରେ ପ୍ରବାସୀ ଦୁଇ ଦେଶ ମଧ୍ୟରେ ସଂପର୍କର ସେତୁ ହୋଇଛନ୍ତି । ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି । ପ୍ରବାସରେ ରହି ମଧ୍ୟ ଓଡ଼ିଶାର ବିକାଶ ଓ ଅସ୍ମିତାର ସୁରକ୍ଷା ବିଷୟରେ ପ୍ରବାସୀ ମାନେ ଚିନ୍ତା କରୁଛନ୍ତି । ସେ ଦିଗରେ କାମ ମଧ୍ୟ କରୁଛନ୍ତି । ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସହ ତୃତୀୟ ଇଞ୍ଜିନ ଭାବେ ପ୍ରବାସୀ ଇଞ୍ଜିନ ଯୋଡ଼ି ହୋଇଛି ।''
![CM meets Odia diaspora](https://etvbharatimages.akamaized.net/etvbharat/prod-images/11-01-2025/od-bbsr-03-odisha-diaspora-meet-with-cm-7209787_10012025231300_1001f_1736530980_769.jpg)
'ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ':
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶା ଏବେ ସମୃଦ୍ଧି ପଥରେ ଅଗ୍ରସର ହେବା ଦିଗରେ ଯାତ୍ରା ଆରମ୍ଭ କରିଛି । ବିଭିନ୍ନ ଦେଶରେ ପ୍ରବାସୀ ଓଡ଼ିଆ ସଫଳ ଶିଳ୍ପପତି, ପ୍ରଫେସନାଲ ଓ ଟେକ୍ନୋକ୍ରାଟମାନେ ମଧ୍ୟ ଅଛନ୍ତି । ଏ ଯାତ୍ରାରେ ଆପଣମାନେ ସାମିଲ ହେବା ଅତ୍ୟନ୍ତ ଜରୁରୀ । ପ୍ରବାସୀ ଓଡ଼ିଆ ମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ଓଡ଼ିଶାର ବିକାଶ ପାଇଁ ଚାହୁଁଥିବା ବିଷୟଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଓଡ଼ିଶାର ଜଣେ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଦାୟିତ୍ୱରେ ରହିବେ । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ମଧ୍ୟ ପ୍ରଣୟନ କରାଯିବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ବର୍ତ୍ତମାନେ ଓଡ଼ିଶାରେ ବିମାନ ଚଳାଚଳ ସେବାରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ କୁଏତ ଏବଂ କାତାର ଭଳି ଦେଶକୁ ମଧ୍ୟ ବିମାନ ଚଳାଚଳ ପାଇଁ ମଧ୍ୟ ଆମେ ବିଚାର କରୁଛୁ ।"
![CM meets Odia diaspora](https://etvbharatimages.akamaized.net/etvbharat/prod-images/11-01-2025/od-bbsr-03-odisha-diaspora-meet-with-cm-7209787_10012025231300_1001f_1736530980_234.jpg)
'ସିଙ୍ଗାପୁର ମୋର ପ୍ରଥମ ବିଦେଶ ଗସ୍ତ':
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବିଦେଶ ଯିବାକୁ ମୋର ବି ଇଚ୍ଛା ଥିଲା । ପାସପୋର୍ଟ ମଧ୍ୟ ତିଆରି କରି ରଖିଥିଲି । ଗତ 20 ବର୍ଷରେ ବିଦେଶ ଯିବା ପାଇଁ 2 ଥର ପଦକ୍ଷେପ ବି ନେଇଛି । କିନ୍ତୁ ସମ୍ଭବ ହୋଇ ନଥିଲା । ପ୍ରଥମ 55 ବର୍ଷରେ ବିଦେଶ ଯିବାର ସୁଯୋଗ ମିଳିନଥିଲା । ସରକାରରେ ଦାୟିତ୍ଵ ମିଳିବ ପରେ ବିଦେଶ ଯିବାକୁ ଜନସାଧାରଣ ମୋତେ ସୁଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ସିଙ୍ଗାପୁର ମଧ୍ୟ ଯାଇଥିଲି । ଏହା ମୋର ପ୍ରଥମ ବିଦେଶ ଗସ୍ତ ଥିଲା । ସରକାର ପରିବର୍ତ୍ତନ ହୋଇଛି । ନୂଆ ସରକାର ଆସିଛି । ଡବଲ ଇଞ୍ଜିନ ସରକାର ହୋଇଛି । ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ସରକାର । ଓଡ଼ିଶା ବିକାଶକୁ ଆଗକୁ ନେବା, ଓଡ଼ିଆ ଅସ୍ମିତାକୁ ସମ୍ମାନ ଦେବା, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାକୁ ସରକାର ଦିନ ରାତି କାମ କରୁଛନ୍ତି । ଏଥିପାଇଁ ପ୍ରଥମ କ୍ୟାବିନେଟରେ 4 ଟି ବଡ ନିଷ୍ପତ୍ତି ନିଆଯାଇଥିଲା ।"
![CM meets Odia diaspora](https://etvbharatimages.akamaized.net/etvbharat/prod-images/11-01-2025/od-bbsr-03-odisha-diaspora-meet-with-cm-7209787_10012025231300_1001f_1736530980_686.jpg)
'ଓଡ଼ିଶା ପାଇଁ ତୃତୀୟ ଇଞ୍ଜିନ ଭାବେ ପ୍ରବାସୀ ଓଡ଼ିଆଙ୍କ ବଡ ଭୂମିକା ରହିବ':
#PravasiBharatiyaDivas 2025 ଅବସରରେ ଆୟୋଜିତ ପ୍ରବାସୀ ଓଡ଼ିଆଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଦେଲି। ବହୁ ଦୂରରୁ ଆସି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଜଣାଉଛି। ନୂଆ ସରକାର ଆସିବା ପରେ ପ୍ରଥମଥର ପାଇଁ ଓଡ଼ିଶାରେ #PBD2025 ଭଳି କାର୍ଯ୍ୟକ୍ରମ… pic.twitter.com/gvrTG2PX8y
— Mohan Charan Majhi (@MohanMOdisha) January 10, 2025
ସେ ଏହା ମଧ୍ୟ କହିଛନ୍ତି, "ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଲୋକଙ୍କ ଭେଟ ହୋଇ ପାରୁନଥିଲା । ଅଭିଯୋଗ ପ୍ରକୋଷ୍ଠ ଥାଇ ବି ଅଭିଯୋଗ ପ୍ରକୋଷ୍ଠ ଖୋଲୁନଥିଲା । ଏଭଳି ଯେଉଁ ପ୍ରତିବନ୍ଧକ ଥିଲା ତାହା ଦୂର ହୋଇଛି । ଅଭିଯୋଗ ବେଳେ ଲୋକେ କହୁଛନ୍ତି ପୂର୍ବରୁ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲା, ଅଭିଯୋଗ ପତ୍ର ଡଷ୍ଟବିନରେ ପଡୁଥିଲା । 24 ବର୍ଷ ଶାସନ ପରେ ବି ବହୁ ପଛରେ ରହିଛି ଓଡ଼ିଶା । ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ବେଶ ଲାଭବାନ ହେବ । ତୃତୀୟ ଇଞ୍ଜିନ ଭାବେ ପ୍ରବାସୀ ଓଡ଼ିଆଙ୍କ ବଡ ଭୂମିକା ରହିବ । ପ୍ରବାସୀ ଦିବସ ଆୟୋଜନ ଓଡ଼ିଶା ବିକାଶ ବହୁତ ଆଗକୁ ବଢିବ । ସମସ୍ତ ପ୍ରବାସୀ ଓଡ଼ିଆ ଯେଉଁଠି ଥିଲେ ବି ନିଜ ମାଟିକୁ ଭୁଲି ନାହାନ୍ତି । ନୂଆ ସରକାର ଆସିବା ପରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପରି ଅପୂର୍ବ ସୁଯୋଗ ଆସିଛି । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ଶ୍ରେୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରି ଧର୍ମେନ୍ଦ୍ର ପ୍ରଧାନ ଏଭଳି ପଦକ୍ଷେପ ନେଇଛନ୍ତି । ''
ଆମ କଳା, ସଂସ୍କୃତି ଓ ପରମ୍ପରା ଆମର ଗର୍ବ
— Mohan Charan Majhi (@MohanMOdisha) January 10, 2025
୧୮ ତମ 'ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ'ର ସମାପନ ଦିବସ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲି।
କଳାକାର ବନ୍ଧୁଙ୍କ ଦ୍ଵାରା ପରିବେଷିତ ବାଦ୍ୟ ଏବଂ ସଙ୍ଗୀତ ଅତ୍ୟନ୍ତ ମନମୁଗ୍ଧକର ଥିଲା। ଏ ସମାରୋହ ଭାରତୀୟ କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଏକ ସୁଯୋଗ… pic.twitter.com/ht8ypClUjZ
ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଉତ୍କର୍ଷ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ:
![CM meets Odia diaspora](https://etvbharatimages.akamaized.net/etvbharat/prod-images/11-01-2025/od-bbsr-03-odisha-diaspora-meet-with-cm-7209787_10012025231300_1001f_1736530980_343.jpg)
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଯୋଗାଯୋଗ ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର 50 ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଆସନ୍ତା 28 ଓ 29 ତାରିଖରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ । ଏହା ପୂର୍ବରୁ ସକାରାତ୍ମକ ବାତାବରଣ ତିଆରି ହୋଇଛି । ନୂଆ ସରକାରରେ 1 ଲକ୍ଷ 50 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । 1 ଲକ୍ଷ 80 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉତ୍କର୍ଷ ଓଡ଼ିଶାରେ 5 ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ ରହିଛି । ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଉତ୍କର୍ଷ ଓଡ଼ିଶାକୁ ନିମନ୍ତ୍ରଣ କରୁଛି । ବିଦେଶରେ ଯାହା ସୁଯୋଗ ରହିଛି, ସରକାରଙ୍କୁ ଅବଗତ କରାନ୍ତୁ । ଆଗମୀ 12 ବର୍ଷ ଆମ ପାଇଁ ବଡ ଚ୍ୟାଲେଞ୍ଜ । ଭିଜନ 2036 ପାଇଁ ସମସ୍ତେ ମତାମତ ଦିଅନ୍ତୁ । 2047 ବେଳକୁ ଓଡ଼ିଶାର ଅର୍ଥନୀତି 500 ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି ।
ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ ପ୍ରବାସୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି |
'ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମନରେ ଆତ୍ମସନ୍ତୋଷ ଆସେ':
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଦେଶ ହେଉ କି ବିଦେଶରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମନରେ ଆତ୍ମସନ୍ତୋଷ ଆସେ । ଓଡ଼ିଶା ପ୍ରତି ଅମାପ ଆବେଗ ଓ ମମତା ଥିବା କାରଣରୁ ପ୍ରବାସୀ ଓଡ଼ିଆମାନେ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଛନ୍ତି । ଏହି ଐତିହାସିକ କାର୍ଯ୍ୟକ୍ରମକୁ କେବଳ ସଫଳ କରିନାହାନ୍ତି ବରଂ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନରେ ନିଜର ଯୋଗଦାନ ଦେବା ପାଇଁ ଆଗଭର ହୋଇଛନ୍ତି । ଓଡ଼ିଶା କେବଳ ସୁଦୀର୍ଘ ବେଳାଭୂମି, ଖଣିଜ ସମ୍ପଦ, ଜଙ୍ଗଲ, ଉର୍ବର ଜମି ଏବଂ କଳା ଓ ସଂସ୍କୃତିର ବୈଭବରେ ପରିପୂର୍ଣ୍ଣ ନୁହେଁ । ବୌଦ୍ଧିକ ମାନବ ସମ୍ବଳ ଓଡ଼ିଶାର ବଡ଼ ସମ୍ପତ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରବାସୀ ଓଡ଼ିଆ । ଅନେକ ପ୍ରବାସୀ ଓଡ଼ିଆ ଭାଷାରେ ପାଠ ପଢି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।"
'ଘରେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖାନ୍ତୁ':
![CM meets Odia diaspora](https://etvbharatimages.akamaized.net/etvbharat/prod-images/11-01-2025/od-bbsr-03-odisha-diaspora-meet-with-cm-7209787_10012025231300_1001f_1736530980_1014.jpg)
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଜାତି, ସଭ୍ୟତା, ସଂସ୍କୃତିର ଜୀବନ୍ତ ପ୍ରତୀକ । ମନ୍ଦିର ମାଳିନୀ ସହର ଭୁବନେଶ୍ୱର ହେଉ କିମ୍ବା କଳା ଓ ସଂସ୍କୃତିର ଭୂମି ସମ୍ବଲପୁର ଅବା କଳାହାଣ୍ଡି, ସବୁଠି ହଜାର ହଜାର ବର୍ଷର ଇତିହାସ ଓ କୀର୍ତ୍ତିରାଜି ଅଛି । ଓଡ଼ିଶାରେ କୀର୍ତ୍ତିରାଜିର ବୈଭବ କୌଣସି ଗୁଣରେ କମ ନାହିଁ । ଯେଉଁ ଓଡ଼ିଶାର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ରାଜ୍ୟରେ ହଜାର ହଜାର ବର୍ଷର ରକ୍ ଆର୍ଟ ସଂରକ୍ଷିତ ଅଛି, ମହିମା ଧର୍ମର ମହାନ ଦାର୍ଶନିକ ମୂଲ୍ୟବୋଧ ରହିଛି, ସେହି ସମାଜର ବିଚାର ଓ ବାର୍ତ୍ତାକୁ ବିଶ୍ୱରେ ପହଞ୍ଚାଇବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଦାୟିତ୍ୱ ନେବାକୁ ହେବ । ଘରେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖାନ୍ତୁ । ଓଡ଼ିଶାରେ ଜଙ୍ଗଲ, ବେଳାଭୂମି, ମନ୍ଦିର ପରି ପର୍ଯ୍ୟଟନର ସମସ୍ତ ସମ୍ଭାର ରହିଛି । ଓଡ଼ିଶାର ପର୍ଯ୍ୟଟନ ସମ୍ଭାର ବାବଦରେ ପ୍ରବାସୀ ବିଦେଶରେ ଜଣାନ୍ତୁ । ଓଡ଼ିଶା 2036ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବାକୁ ଯାଉଛି । ସେହି ସମୟରେ ଓଡ଼ିଶାର ବୈଶ୍ୱିକ ପରିଚୟକୁ ଆଗକୁ ବଢାଇବାର ଦାୟିତ୍ୱ ଆମକୁ ନେବାକୁ ପଡିବ । ଏହା ସହ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ପାଇଁ ସଂକଳ୍ପ ନେବାକୁ ହେବ । ଓଡ଼ିଶାର କୃଷି ଉତ୍ପାଦିତ ଓ ଅନ୍ୟାନ୍ୟ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ହେବ । ଚାକିରି ଅନ୍ୱେଷଣରେ ନରହି ଚାକିରି ଦାତା ହେବା ପାଇଁ ପଡିବ । ନିଜେ ଓ ଅନ୍ୟକୁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ କରାଇବାର ସଂକଳ୍ପ ନେବାକୁ ପଡିବ । ଏହା ଦ୍ବାରା ହିଁ ଓଡ଼ିଶାର ପରିଚୟ ବିଶ୍ୱ ଦରବାରରେ ବଢିବ ।"
ପ୍ରବାସରୁ ଆସିଥିବା ପ୍ରତିନିଧିମାନଙ୍କ ପକ୍ଷରୁ ଆମେରିକାର ଲୀନା ମିଶ୍ର, ଅଜୟ କୁମାର ମହାନ୍ତି, ଜାପାନରୁ କାଳୀପଦ ତ୍ରିପାଠୀ, ଯୁକ୍ତରାଜ୍ୟରୁ ସୁସ୍ମିତା ରାଜହଂସ, ବିଶ୍ୱଜିତ ପ୍ରଧାନ, ସୁକାନ୍ତ ସାହୁ, ଦୁବାଇରୁ ଅନୀଲ ଦାସ ଓ ଶୀତଲ ଯୋଶୀ, ଅଷ୍ଟ୍ରେଲିଆରୁ ପ୍ରଭାତୀ ପାଣିଗ୍ରାହୀ ଓ ଅମିତାଭ ମହାପାତ୍ର, ଥାଇଲାଣ୍ଡରୁ ଡ. ବ୍ରହ୍ମଦତ୍ତ, ମାଲେସିଆରୁ ସ୍ନିଗ୍ଧା ମିଶ୍ର ଓଡ଼ିଶାର ଏହି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ ମନ୍ତ୍ରୀ ସଂପଦ ଚରଣ ସ୍ୱାଇଁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉନ୍ନୟନ କମିଶନର ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ:
ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସରେ ମହିଳାଙ୍କ ସଶକ୍ତିକରଣକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହିଳା ନେତୃତ୍ୱ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱର ବହୁ ରାଷ୍ଟ୍ର ର ମହିଳା ମାନେ ଭାଗ ନେଇଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କରଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାଙ୍କ ସହଭାଗିତାରେ କିପରି ସମାଜର ବିକାଶ ହେବ ସେ ନେଇ ମତ ରଖିଥିଲେ ମହିଳା ମାନେ। ନାରୀ ମାନଙ୍କ ସଶକ୍ତିକରଣ ସହ ସମାଜର ବିକାଶରେ ନାରୀର ଅବଦାନ ବିଷୟରେ ଆଲୋଚନା ହୋଇଥିଲା । ଆଲୋଚନା ଚକ୍ରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ସାରା ବିଶ୍ୱର ବହୁ ପ୍ରବାସୀ ଭାରତୀୟ ମହିଳା ମାନେ ଭାଗ ନେଇ ମହିଳା ନେତୃତ୍ୱ ଉପରେ ଆଲୋଚନା କରିଥିଲେ।
ଇଟିଭି ଭାରତ, ଭୁବନେଶ୍ବର