ଓଡିଶା

odisha

ETV Bharat / politics

ଭଦ୍ରକ ନିର୍ବାଚନୀ ମୈଦାନରେ ଅଭିଜ୍ଞ ବନାମ ନବାଗତ, ନିର୍ଣ୍ଣାୟକ ହେବ ସଂଖ୍ୟାଲଘୁ ଭୋଟ - Bhadrak Assembly Constituency

Bhadrak Assembly Constituency: ଦୀର୍ଘ ୧୫ ବର୍ଷ ଧରି ଭଦ୍ରକରେ ଉଡୁଛି ବିଜେଡିର ବିଜୟ ଧ୍ବଜା । ଏଥର ସଂଖ୍ୟାଲଘୁ ଭୋଟକୁ ହାତେଇ ବିଜେଡିର ଅଙ୍କ ବିଗାଡିବା ଲକ୍ଷ୍ୟରେ ରହିଛି କଂଗ୍ରେସ । ସେହିପରି ଭଦ୍ରକ ହାତେଇବାକୁ ବିଜେପି କରୁଛି ଆପ୍ରାଣ ଉଦ୍ୟମ । ଏଥର ଦୋହଲିବ କି ବିଜେଡିର ଗଡ । ଫୁଟିବ ପଦ୍ମ ନା ପୁଣି ଉଠିବ ହାତ । ପଢନ୍ତୁ ଭଦ୍ରକ ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ।

By ETV Bharat Odisha Team

Published : May 29, 2024, 7:27 PM IST

Bhadrak Assembly Constituency
Bhadrak Assembly Constituency (ETV Bharat Odisha)

ଭଦ୍ରକ: ମତଦାନର ତାରିଖ ପାଖେଇ ଆସୁଥିବା ବେଳେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ପ୍ରାର୍ଥୀଙ୍କ ଭାଷଣ ବାଜିରେ କମ୍ପୁଛି ପ୍ରଚାର ମୈଦାନ । ଆଗାମୀ ଜୁନ ୧ ତାରିଖରେ ହେବ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ରାଜ୍ୟରେ ବଳକା ଥିବା ୪୨ଟି ବିଧାନସଭା ଆସନ ପାଇଁ ହେବ ନିର୍ବାଚନ । ଉତ୍ତର ଓଡିଶାର ଅନ୍ୟତମ ସମ୍ମାନଜନକ ବିଧାନସଭା ଆସନ ଭଦ୍ରକ ପାଇଁ ହେବାକୁ ଯାଉଛି ତ୍ରିକୋଣୀୟ ମୁକାବିଲା । ଏକଦା କଂଗ୍ରେସର ଗଡ ଥିବା ଭଦ୍ରକ ବିଧାନସଭା ଆସନକୁ ଗତ ତିନୋଟି ନିର୍ବାଚନରେ ବିଜେଡି ନିଜ ଅକ୍ତିଆରରେ ରଖିଛି । ବିଜେଡି ଆସନ ପରିବର୍ତ୍ତନ କରି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଟାଣୁଆ ନେତା ଅସିତ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି ବିଜେପି ନବାଗତ ସିତାଂଶୁ ଶେଖର ମହାପାତ୍ରଙ୍କୁ ଭରସା କରି ଟିକଟ ଦେଇଛି । ଆସନ୍ତୁ ନଜର ପକାଇବା କଣ ରହିଛି ଭଦ୍ରକ ବିଧାନସଭା ଆସନର ରାଜନୈତିକ ସମୀକରଣ ।

Bhadrak Assembly Constituency (ETV Bharat Odisha)

ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ:

Bhadrak Assembly Constituency (ETV Bharat Odisha)

୧୯୫୧ ମସିହାରେ ଗଠିତ ଏହି ନିର୍ବାଚନ ମଣ୍ଡଳୀ ମୋଟ ୨,୬୭,୧୬୭ ଜଣ ଭୋଟର ସେମାନଙ୍କ ମତଦାନ ୨୬୨ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରିବେ । ଏହି ମୋଟ ମତଦାତାଙ୍କ ମଧ୍ୟରେ ୧,୩୬,୪୯୩ ଜଣ ପୁରୁଷ ଏବଂ ୧,୩୦,୬୦୪ ଜଣ ମହିଳା ଥିବା ବେଳେ ୭୦ ଜଣ କିନ୍ନର ଭୋଟର ଅଛନ୍ତି । ଏହି ସମ୍ମାନଜନକ ଆସନରେ ପୂର୍ବରୁ ମହମ୍ମଦ ହନିଫ, ନିତ୍ୟାନନ୍ଦ ମହାପାତ୍ର, ଯୁଗଳ କିଶୋର ପଟ୍ଟନାୟକ ଓ ପ୍ରଫୁଲ୍ଲ ସାମଲ ଭଳି ହେଭିୱେଟଙ୍କୁ ବିଧାୟକ ଭାବେ ଭଦ୍ରକର ଭୋଟର ନିର୍ବାଚିତ କରିଛନ୍ତି । ଭଦ୍ରକର ନିର୍ବାଚନୀ ଇତିହାସକୁ ନଜର ପକାଇଲେ ସର୍ବାଧିକ ୭ ଥର କଂଗ୍ରେସ ବିଜୟୀ ହୋଇଥିବା ବେଳେ ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକ ରେକର୍ଡ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଗତ ୧୫ ବର୍ଷ ଧରି ବିଜେଡି ଭଦ୍ରକକୁ ନିଜ କବ୍ଜାରେ ରଖିଛି ।

୨୦୨୪ ନିର୍ବାଚନର ପ୍ରାର୍ଥୀଙ୍କ ପ୍ରୋଫାଇଲ:

Bhadrak Assembly Constituency (ETV Bharat Odisha)

ବିଜେଡି: ବିଜେଡି ଏଥର ନିଜର ପୂର୍ବ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପରିବର୍ତ୍ତେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ପ୍ରାର୍ଥୀ କରିଛି । ଏହାର ପ୍ରମୁଖ କାରଣ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ପ୍ରଫୁଲ ସମର୍ଥ ହୋଇପାରିବେ ବୋଲି କୁହାଯାଉଛି । ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ କହିଛନ୍ତି, " ଆମର ଦାୟିତ୍ବ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା, କାର୍ଯ୍ୟକ୍ରମ ଓ ବିଜେଡି ଇସ୍ତାହାରକୁ ଲୋକଙ୍କ ନିକଟରେ ପହଞ୍ଚାଇବା । ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମସ୍ୟା ଭିତ୍ତିକରେ ବିଭିନ୍ନତା ରହିଛି । ଗାଁରେ କୃଷି ଓ ବିଜୁଳି ସମସ୍ୟା ଥିବା ବେଳେ ବୁଦ୍ଧିଜୀବୀ ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜର ଦାବି ଉଠାଇଛନ୍ତି । ୨୪ ବର୍ଷ ଧରି ଯାହା ଅଛି ତାହା ରହିବ ଅର୍ଥାତ ଏଥର ବି ଭଦ୍ରକରେ ବିଜେଡି ବିଜୟୀ ହେବ । "

କଂଗ୍ରେସ: ଏକଦା କଂଗ୍ରେସର ଦୁର୍ଗ ଥିବା ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁର୍ବଳ ନେତୃତ୍ବ ଏବଂ ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁ ଦଳ ବିପର୍ଯ୍ୟୟମୁଖୀ ହୋଇଛି ଏଥ‌ିରେ ସନ୍ଦେହ ନାହିଁ । ମାତ୍ର ଚଳିତ ନିର୍ବାଚନରେ ବିଜେଡିରୁ ଇସ୍ତଫା ଦେଇ ବରିଷ୍ଠ ରାଜନୀତିଜ୍ଞ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାରୁ ଏଥର ଏକ ଦମଦାର ଲଢେଇ ଦେଖିବାକୁ ମିଳିବ । କାରଣ ଭଦ୍ରକ ସଂଖ୍ୟା ଲଘୁ ଭୋଟରେ ପ୍ରଫୁଲ୍ଲ ସାମଲଙ୍କର ଯେତିକି ଦଖଲ ରହିଛି, ପୂର୍ବତନ ବିଧାୟକ ତଥା ଅସିତଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କର ମଧ୍ୟ ସମାନ ଭାଗିଦାରୀ ରହିଛି ବୋଲି ଆଲୋଚନା ହେଉଛି । କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ କହିଛନ୍ତି, "ଏଥର ଭଦ୍ରକରେ ନିଆରା ନିର୍ବାଚନ ହେବାକୁ ଯାଉଛି । ବିଜେପି ଓ ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ମହିଳା, ଯୁବବର୍ଗ, ବୁଦ୍ଧିଜୀବୀ ଆଦି ସବୁ ବର୍ଗର ଲୋକ ଅପମାନିତ ଅନୁଭବ କରିଛନ୍ତି । ଏଥର ନିର୍ବାଚନରେ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ଜିତିବେ ବୋଲି ଲୋକ ଚର୍ଚ୍ଚା କରୁଛନ୍ତି । ଯୁଗଳଙ୍କ ସମୟରେ ଭଦ୍ରକରେ ଫେକର କାରଖାନା, ମହିଳା କଲେଜ, ନେହେରୁ ଷ୍ଟାଡିୟମ ଓ ଇଞ୍ଜିନିୟରିଂ ସ୍କୁଲ ଭଳି ବିଭିନ୍ନ ବିକାଶମୂଳକ କାମ ହୋଇଛି । ଏଥର କଂଗ୍ରେସ ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜକୁ ପ୍ରମୁଖ ପ୍ରସଙ୍ଗକରି ନିର୍ବାଚନ ଲଢୁଛି । "

ବିଜେପି: ବିଜେପି ନିଜର ପ୍ରାର୍ଥୀ ନବାଗତ ସିତାଂଶୁ ଶେଖର ମହାପାତ୍ରଙ୍କୁ ଟିକଟ ଦେଇଛି । ଭଦ୍ରକ ଶହୀଦ ଭଗତ ସେନାର ଆବାହକ ସିତାଂଶୁଙ୍କର ଏକ ସ୍ଵଚ୍ଛ ଛବି ଭଦ୍ରକ ସହରରେ ରହିଛି । ସିତାଂଶୁ କହିଛନ୍ତି," ମୁଁ ହୁଏତ ରାଜନୀତିରେ ନୂଆ ହୋଇ ପାରେ ମାତ୍ର ମୋ ପରିବାର ଦୀର୍ଘ ୫୦ ବର୍ଷ ଧରି ସମାଜରେ ଲୋକଙ୍କ ସହିତ ଜଡିତ ହୋଇରହିଛି । ଭଦ୍ରକ ସହର ତଥା ଆଖପାଖ ଅଞ୍ଚଳରେ ଯୁବ ଗୋଷ୍ଠୀଙ୍କୁ ଏକାଠି କରି ନିଜର ସାମାଜିକ କାର୍ଯ୍ୟକ୍ରମ କରୁଛି । ଭଦ୍ରକ ସହରରେ ରାସ୍ତା ନାହିଁ କି ଚାଷକୁ ଜଳସେଚନର ବନ୍ଦୋବସ୍ତ ନାହିଁ । କେନ୍ଦ୍ର ସରକାରଙ୍କର ଯୋଜନା ଅନୁସାରେ ସ୍ବାସ୍ଥ୍ୟ, ଶିକ୍ଷା, ଆବାସ ଓ ଖାଦ୍ୟ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ । ଆସନ୍ତା ୩ ବର୍ଷ ମଧ୍ୟରେ ସମସ୍ତ ମୌଳିକ ସମସ୍ୟା ଦୂର କରାଯିବ ।"

ପୂର୍ବ ନିର୍ବାଚନ ଫଳାଫଳ:

Bhadrak Assembly Constituency (ETV Bharat Odisha)

୨୦୧୯ ବିଧାନସଭା ନିର୍ବାଚନ:

୨୦୧୯ରେ ବିଜେଡି ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ନାୟକଙ୍କୁ ୩୩,୩୮୯ ଖଣ୍ଡ ଭୋଟରେ ହରାଇଥିଲେ । ସଞ୍ଜୀବ ୯୩,୬୬୮ ଖଣ୍ଡ ଭୋଟ ଓ ପ୍ରଦୀପ ୬୦,୨୭୯ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ୨୨,୬୩୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୪ ବିଧାନସଭା ନିର୍ବାଚନ:

Bhadrak Assembly Constituency (ETV Bharat Odisha)

୨୦୧୪ରେ ବିଜେଡି ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ନରେନ ପଲେଇଙ୍କୁ ୨୩,୫୮୭ ଖଣ୍ଡ ଭୋଟରେ ହରାଇଥିଲେ । ଯୁଗଳଙ୍କୁ ୮୦,୫୮୨ ଖଣ୍ଡ ଭୋଟ ମିଳିଥିବା ବେଳେ ନରେନଙ୍କୁ ୫୬,୯୯୫ ଖଣ୍ଡ ଭୋଟ ମିଳିଥିଲା । ସେହିପରି ବିଜେପି ପ୍ରାର୍ଥୀ ଡ. ପ୍ରଦୀପ ନାୟକ ୧୯,୩୮୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୦୯ ବିଧାନସଭା ନିର୍ବାଚନ:

Bhadrak Assembly Constituency (ETV Bharat Odisha)

୨୦୦୯ରେ ବିଜେଡି ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ନରେନ ପଲେଇଙ୍କୁ ୨୧,୪୨୮ ଖଣ୍ଡ ଭୋଟରେ ହରାଇଥିଲେ । ଯୁଗଳ ୭୫,୨୯୪ ଖଣ୍ଡ ଭୋଟ ମିଳିଥିବା ନରେନଙ୍କୁ ୫୩,୮୬୬ ଖଣ୍ଡ ଭୋଟ ମିଳିଥିଲା । ସେହିପରି ବିଜେପି ପ୍ରାର୍ଥୀ ତୁଷାରକାନ୍ତି ଜେନା ୭,୭୫୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

Bhadrak Assembly Constituency (ETV Bharat Odisha)

ଭଦ୍ରକ ରାଜନୈତିକ ହାଲଚାଲ:

2022 ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଭଦ୍ରକ ପୌରପାଳିକା ନିର୍ବାଚନରେ ବିଜେଡି ନେତୃତ୍ବଙ୍କ ପୌରାଧ୍ୟକ୍ଷା ପ୍ରାର୍ଥୀ ଚୟନକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଗୁଲମକ୍କୀ ଦଲାୱାଜି ହାବିବିଙ୍କୁ ସ୍ବାଧୀନ ପୌରାଧ୍ୟକ୍ଷା ପ୍ରାର୍ଥିନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଯାଇଥିଲା । ସେତେବେଳେ ଶାସକ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥନୀ ସମିତା ମିଶ୍ରଙ୍କୁ 3256 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ଗୁଲମକ୍କୀ । ଏପରି ସ୍ଥଳେ ପ୍ରଫୁଲ୍ଲଙ୍କ ଗୋଟି ଚାଳନା ବେଶ୍ ଫଳପ୍ରଦ ରହିଛି । ଏକଦା ବିଭିନ୍ନ ସ୍ଥାନରେ ବିଜେଡିକୁ ଭଦ୍ରକରେ ବ୍ୟାକଫୁଟକୁ ନେବାରେ ସକ୍ଷମ ହେଉଥିବା ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହାବିବି, ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ବିଜେଡିରେ ସାମିଲ ହୋଇଛନ୍ତି । ଯାହାକି ବିଜେଡି ପାଇଁ ମତଦାନ ପୂର୍ବରୁ ଏକ ବଡ ସଫଳତା ବୋଲି କୁହାଯାଇପାରେ ।

ପ୍ରକାଶ ଥାଉକି ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀଙ୍କ ବିଜୟ ପଛରେ ବିଜେଡିରୁ ଇସ୍ତଫା ଦେବା ପରେ କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଥିଲା । ଯାହାକି ଏହା ସେତେବେଳେ ଶାସକ ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ତେଣୁ ନିର୍ବାଚନ ମଣ୍ଡଳୀର ଏହି ସଂଖ୍ୟାଲଘୁ ଭୋଟ ହାତଛଡ଼ା ହେବା ଆଶଙ୍କା କରି ବିଜେଡି ଏଥର ବିଧାୟକ ସଞ୍ଜୀବଙ୍କ ପରିବର୍ତ୍ତେ ପ୍ରଫୁଲ୍ଲଙ୍କୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଛି । ଭଦ୍ରକ ବିଧାନସଭାରେ ଆସନ ହାତେଇବାରେ ପ୍ରମୁଖ ଭୂମିକା ନେଉଥିବା ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା । ତେବେ ବିଜେଡିର ବିଜୟ ରଥରେ କଂଗ୍ରେସ ବ୍ରେକ ଲଗାଉଛି ନା ବିଜେପି କିଛି ଓଲଟପାଲଟ କରୁଛି ତାହା ଜୁନ ୪ରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details