ହାଇଦ୍ରାବାଦ: ଫାସଟ୍ୟାଗ୍ର ନୂଆ ନିୟମ ଆଜି (ସୋମବାର)ଠୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି । ସରକାରଙ୍କ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ ଆକାଉଣ୍ଟରେ କମ୍ ବାଲାନ୍ସ ଥିଲେ, ପେମେଣ୍ଟରେ ବିଳମ୍ବ ହେଲେ କିମ୍ବା ଫାସଟ୍ୟାଗ୍ ବ୍ଲାକଲିଷ୍ଟ ହେଲେ ଅତିରିକ୍ତ ଫାଇନ୍ ଦେବାକୁ ପଡ଼ିବ । ନୂଆ ନିୟମ ଅନୁସାରେ ଆପଣଙ୍କ ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବାର 60ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ଯଦି ଫାସଟ୍ୟାଗ୍ ଅଚଳ ରହେ ତେବେ ଟ୍ରାଞ୍ଜାକ୍ସନ ବିଫଳ ହେବ । ସେହିପରି ଟୋଲ୍ ଅତିକ୍ରମ କରିବାର 15 ମିନିଟ୍ ପରେ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାକରଣ ହେଲେ, ଏହାକୁ ଅସ୍ବୀକାର କରାଯିବ । ଏପରି ପେମେଣ୍ଟରେ 'ଏରର୍ କୋଡ୍ 176' ଲେଖାଯାଇ ରିଜେକ୍ଟ କରାଯିବ । ଫଳରେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ ।
ଆଗୁଆ ରିଚାର୍ଜ କରନ୍ତୁ ଫାସଟ୍ୟାଗ୍
ଯଦି ଗାଡି ଟୋଲ୍ ରିଡର୍ ପାସ୍ କରିବାର 15 ମିନିଟରୁ ଅଧିକ ସମୟ ପରେ ଟୋଲ୍ କାରବାର ହେଉଛି, ତେବେ ଉପଭୋକ୍ତାଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ପୂର୍ବରୁ ଉପଭୋକ୍ତାମାନେ ଟୋଲବୁଥ୍ରେ ଫାସଟ୍ୟାଗ୍ ରିଚାର୍ଜ କରି ଆଗକୁ ଯାଉଥିଲେ, କିନ୍ତୁ ଏବେ ଫାସଟ୍ୟାଗ୍କୁ ଆଗୁଆ ରିଚାର୍ଜ କରିବାକୁ ପଡ଼ିବ । ନୂଆ ନିୟମକୁ ଦୃଷ୍ଟିରେ ରଖି ଗାଡ଼ି ବାହାର କରିବା ପୂର୍ବରୁ ଫାସଟ୍ୟାଗ୍ ଆକାଉଣ୍ଟରେ ଯଥେଷ୍ଟ ବାଲାନ୍ସ ଅଛି କି ନାହିଁ ତାହା ନିଶ୍ଚିତ କରିବା ଉଚିତ । ସରକାରଙ୍କ ନୂଆ ନିୟମ ଆଣିବାର ଉଦ୍ଦେଶ୍ୟ ହେଉଛି ଫାସଟ୍ୟାଗ୍ରେ ସମସ୍ୟା ଯୋଗୁଁ ଟୋଲ୍ ପ୍ଲାଜାରେ ଯାନବାହନଗୁଡ଼ିକର ଲାଗୁଥିବା ଲମ୍ବା ଧାଡ଼ି ହ୍ରାସ କରିବା ।
ଫାସ୍ଟ୍ୟାଗ୍ର ନୂଆ ନିୟମାବଳୀ
- ବ୍ଲାକ୍ଲିଷ୍ଟ ଫାସ୍ଟ୍ୟାଗ୍: ନୂଆ ନିୟମ ଅନୁଯାୟୀ ଯଦି ଟୋଲ୍ରେ ପହଞ୍ଚିବା ପରେ FASTag ବ୍ଲାକ୍ଲିଷ୍ଟ ତାଲିକାଭୁକ୍ତ ହୁଏ ତେବେ ଟୋଲ୍ ପେମେଣ୍ଟ ପ୍ରକ୍ରିୟାକରଣ ହେବ ନାହିଁ ।
- ଗ୍ରେସ ପିରିଅଡ: ଟୋଲ୍ ପ୍ଲାଜା ପାର କରିବା ପୂର୍ବରୁ ଉପଭୋକ୍ତାମାନଙ୍କୁ ସେମାନଙ୍କ ଫାସ୍ଟ୍ୟାଗ୍ ସ୍ଥିତି ସୁଧାରିବା ଲାଗି 70ମିନିଟର ସମୟ ଦିଆଯିବ ।
- ବ୍ଲାକଲିଷ୍ଟିଂର ପ୍ରଭାବ: ଯଦି ଆପଣଙ୍କ ଫାସ୍ଟ୍ୟାଗ୍ ଟୋଲ୍ ନିକଟରେ ପହଞ୍ଚିବାବେଳେ ବ୍ଲାକ୍ଲିଷ୍ଟ ହୁଏ, ତେବେ ତତକ୍ଷଣାତ ରିଚାର୍ଜ ପ୍ରକ୍ରିୟାକରଣ ହେବନାହିଁ, ଫଳରେ ସମ୍ଭବତଃ ଆପଣଙ୍କୁ ଦୁଇଗୁଣା ଫାଇନ୍ ଦେବାକୁ ପଡ଼ିପାରେ । ଅପରପକ୍ଷେ, ଟ୍ୟାଗ୍ ସ୍କାନିଂର 10ମନିଟ ଭିତରେ ରିଚାର୍ଜ କଲେ ଆପଣ ପେନାଲ୍ଟି ରିଫଣ୍ଡ୍ ପାଇଁ ଅନୁରୋଧ କରିପାରିବେ ।
- ବିଳମ୍ବ କାରବାର: ଯଦି ଗାଡ଼ି ଟୋଲ୍ ରିଡର୍କୁ ଅତିକ୍ର କରିବାର 15ମିନିଟ ପରେ ଟୋଲ୍ ଟ୍ରାଞ୍ଜାକ୍ସନ ହେଉଛି ତେବେ ଉପଭୋକ୍ତାମାନଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ ।
- ଚାର୍ଜବ୍ୟାକ୍: କେବଳ 15ଦିନର କୋହଳ ଅବଧି ପରେ ବ୍ୟାଙ୍କଗୁଡିକ ବ୍ଲାକ୍ଲିଷ୍ଟଭୁକ୍ତ କିମ୍ବା ନିମ୍ନ-ବାଲାନ୍ସ FASTag ସହିତ ଜଡିତ ଅତିରିକ୍ତ କଟିଥିବା ଶୁଳ୍କକୁ ଫେରସ୍ତ କରିବେ ।
- ଅଚଳ ଫାସ୍ଟ୍ୟାଗ୍: ଯଦି ଗାଡି ଟୋଲ୍ ଅତିକ୍ରମ କରିବା ପୂର୍ବରୁ ଫାସ୍ଟ୍ୟାଗ୍ 60ମିନିଟରୁ ଅଧିକ ସମୟ ଏବଂ ଟୋଲ୍ ଅତିକ୍ରମ କରିବାର 10 ମିନିଟ ପର୍ଯ୍ୟନ୍ତ ଅଚଳ ହୁଏ ତେବେ କାରବାର ପ୍ରତ୍ୟାଖ୍ୟାନ ହେବ ।
ଅତିରିକ୍ତ ଫାଇନ୍ରୁ କିପରି ବର୍ତ୍ତିବେ ?
- ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆପଣଙ୍କ FASTag ୱଲେଟ୍ରେ ଯଥେଷ୍ଟ ବାଲାନ୍ସ ନିଶ୍ଚିତ କରନ୍ତୁ । ଅତି କମରେ 1ଘଣ୍ଟା ପୂର୍ବରୁ ରିଚାର୍ଜ କରନ୍ତୁ ।
- ନିଜ ଫାସ୍ଟ୍ୟାଗ୍ର ସ୍ଥିତି ଯାଞ୍ଚ କରି ଏହା ବ୍ଲାକ୍ଲିଷ୍ଟ ପରିବର୍ତ୍ତେ ସକ୍ରିୟ ଥିବା ସୁନିଶ୍ଚିତ କରନ୍ତୁ ।
- ଶୁଳ୍କ ଦେବାରେ ବିଳମ୍ବରୁ ବର୍ତ୍ତିବା ଲାଗି କାରବାର ସମୟ ଉପରେ ନଜର ରଖନ୍ତୁ ।
- ଅଚଳ ଯୋଗୁଁ କାରବାର ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ଆପଣଙ୍କର FASTagର ସ୍ଥିତି ଉପରେ ନଜର ରଖନ୍ତୁ ।
କେମିତି ଫାସ୍ଟ୍ୟାଗ୍ ସ୍ଥିତି ଯାଞ୍ଚ କରିବେ ?
ପରିବହନ ବିଭାଗର ଅଫିସିଆଲ ୱେବସାଇଟ୍କୁ ଯାଆନ୍ତୁ । ସେଠାରେ ଆପଣ 'Check E-Challan Status' ଅପସନକୁ ଚୟନ କରନ୍ତୁ । ଏହାପରେ ଆପଣଙ୍କ ଭେଇକିଲ୍ ରେଜିଷ୍ଟ୍ରେସନ ନମ୍ବର ଦିଅନ୍ତୁ । ଏପରି ଭାବରେ ଆପଣ ଜାଣିପାରିବେ ଆପଣଙ୍କ ଯାନ ବ୍ଲାକ୍ଲିଷ୍ଟ ହୋଇଛି କି ନାହିଁ । ଫାସ୍ଟ୍ୟାଗ୍କୁ ଅନବ୍ଲକ୍ କରିବା ଲାଗି ପ୍ରଥମେ ଏହାକୁ ରିଚାର୍ଜ କରିବାକୁ ହେବ । ପେମେଣ୍ଟ ସଫଳ ହେବା ପରେ ଆପଣଙ୍କ ଫାସ୍ଟ୍ୟାଗ୍ ସକ୍ରିୟ ହେବ ।
FASTag କଣ ଓ ଏହା କାହିଁକି ଗୁରୁତ୍ବପୂର୍ଣ୍ଣ ?
ଫାସ୍ଟ୍ୟାଗ୍ ହେଉଛି ଏକ ସ୍ବୟଂଚାଳିତ ଟୋଲ୍ ଶୁଳ୍କ ସଂଗ୍ରହ ପ୍ରଣାଳୀ ଯାହା 2016ରେ କାର୍ଯ୍ୟକାରୀ ହୋଇଥିଲା । ଏହାର ଉଦ୍ଦେଶ୍ୟ ଟୋଲ୍ ପ୍ଲାଜା ଅତିକ୍ରମ ସମୟରେ ଗାଡ଼ିକୁ ଅଟକାଇ ଶୁଳ୍କକୁ ନଗଦ ଆକାରରେ ଦେବାକୁ ବନ୍ଦ କରିବା । ଏହା ଏକ ପ୍ରିପେଡ୍ ଆକାଉଣ୍ଟ୍ ସହିତ ଲିଙ୍କ୍ ହୋଇଛି ଏବଂ ଯେତେବେଳେ ଆପଣ ଏକ ଟୋଲ୍ ଗେଟ୍ ଦେଇ ଯାଆନ୍ତି ଟୋଲ୍ ଶୁଳ୍କ ସ୍ବୟଂଚାଳିତ ଭାବରେ ଆପଣଙ୍କ ଫାସଟ୍ୟାଗ୍ ଆକାଉଣ୍ଟରୁ କଟିଥାଏ ।
କାହିଁକି ନୂଆ ନିୟମ ଆଣିଲେ ସରକାର ?
ଅନେକ ଲୋକ ସେମାନଙ୍କର FASTag ଆକାଉଣ୍ଟରେ ଯଥେଷ୍ଟ ବାଲାନ୍ସ ରଖିବାକୁ ଭୁଲିଯାଆନ୍ତି, ଯାହା ଟୋଲ୍ ପ୍ଲାଜାରେ ବିଳମ୍ବ ଘଟାଇଥାଏ । ଏହି ବିଳମ୍ବ ଯୋଗୁଁ ଟ୍ରାଫିକ୍ ଜାମ୍ ଏବଂ ଅନାବଶ୍ୟକ ଅପେକ୍ଷା ସହିତ ଅନ୍ୟ ଯାତ୍ରୀଙ୍କ ସମୟ ନେଇଥାଏ । ଏହାକୁ ରୋକିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (NHAI) ଏକ କଠୋର 60 ମିନିଟର ନିୟମ ପ୍ରଣୟନ କରିଛନ୍ତି ଯାହା ନିଶ୍ଚିତ କରେ ଯେ ଉପଭୋକ୍ତାମାନେ ସେମାନଙ୍କର FASTagକୁ ଠିକ୍ ସମୟରେ ରିଚାର୍ଜ କରିବେ ଏବଂ ବ୍ୟବସ୍ଥାକୁ ସୁରୁଖୁରୁରେ ଚଳାଇବେ ।