ଭୁବନେଶ୍ବର: ରାଜଧାନୀରେ ଅପରାଧୀ ଓ ପୋଲିସ ମୁହାଁମୁହିଁ । ସକାଳୁ ସକାଳୁ ଭୁବନେଶ୍ବରରେ ଏନକାଉଣ୍ଟର । ବାଲିଅନ୍ତା ଥାନା ଅଞ୍ଚଳରେ ହୋଇଛି ଗୁଳିମାଡ । ପୋଲିସ ଗୁଳିରେ ଘାଇଲା ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ । ମୁଖା ପିନ୍ଧି ବାଇକ ଯୋଗେ ଆସି ଅପରାଧ ଘଟାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ହୋଇଥିଲା ମୁହାଁମୁହିଁ । ପୋଲିସକୁ ଦେଖି ଅପରାଧୀ ଗୁଳିମାଡ ଆରମ୍ଭ କରିଥିଲା । ସେପଟେ ପ୍ରତି ବଦଳରେ ପୋଲିସ ଦେଇଥିଲା ଗୁଳିର ଜବାବ । ଶେଷରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛି । ଆହତ ଅପରାଧୀକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ଏନକାଉଣ୍ଟର:
ବାଲିଅନ୍ତା ଥାନାଧିକାରୀ ରବିନ୍ଦ୍ରନାଥ ମେହେର କହିଛନ୍ତି,"ଆହତ ଅପରାଧୀର ନା ଅର୍ଜୁନ ଅନାରେ । ସେ ରାଜ୍ୟ ବାହାରର ବୋଲି ଜଣାପଡିଛି । ପାହାଳ ଓ ବାଲିଅନ୍ତା ଥାନା ଅଞ୍ଚଳରେ ସେ ତାର ସହଯୋଗୀ ସହ ରହି ଆପାର୍ଟମେଣ୍ଟ ଲୁଟ ପାଇଁ ଚେଷ୍ଟା କରୁଥିବା ପୋଲିସ ସନ୍ଦେହ କରୁଥିଲା । ଖବର ପାଇ ବାଲିଅନ୍ତା ପିସିଆର ଟିମ୍ ସେମାନଙ୍କୁ ପିଛା କରିଥିଲା । ସେମାନଙ୍କୁ କିଛି ସମୟ ପିଛା କରିବା ପରେ ପୋଲିସକୁ ଦେଖି ଖସିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇ ପ୍ରଥମେ ଆକ୍ରମଣ କରିଥିଲେ । ଗୁଳିଚାଳନା କରି ଲୁଟେରା ଖସିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଅର୍ଜୁନ ଅନାରେ ନାମକ ଜଣକ ଅପରାଧୀର ବାମ ଗୋଡ଼ରେ ଗୁଳି ବାଜିଛି । ସେ ଆହତ ହେବା ପରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ସହଯୋଗୀ ସେଠାରୁ ଖସି ଯାଇଥିବାବେଳେ ସେମାନେ ଲୁଟପାଟ କରିଥିବା କିଛି ସୁନା, ଟଙ୍କା ବ୍ୟାଗ ମଧ୍ୟ ଏନକାଉଣ୍ଟର ହୋଇଥିବା ସ୍ଥାନରୁ ମିଳିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।"

ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଫରେନସିକ ଟିମ୍ ପହଞ୍ଚି ତନାଘନା କରିଛନ୍ତି । କିଭଳି ଏନକାଉଣ୍ଟର ହେଲା ? କେତେ ଦୂରରେ ଅପରାଧୀ ଥିଲେ ଆଉ କେତେ ଦୂରରେ ପୋଲିସ ଥିଲେ ? କିଭଳି ସେମାନେ ପୋଲିସ ଉପରକୁ ଗୁଳିମାଡ କଲେ ? ବଦଳରେ ପୋଲିସ କିଭଳି ସେମାନଙ୍କୁ ପାଲଟା ଜବାବ ଗୁଳିରେ ଦେଇଥିଲେ ସେନେଇ ତଦନ୍ତ ଚାଲିଛି । ଏପରିକି ଘଟଣାସ୍ଥଳରୁ ଟଙ୍କା ବ୍ୟାଗ ଓ କିଛି ଗହଣା ମଧ୍ୟ ମିଳିଛି । ଏହିସବୁ ଜିନିଷ ନେଇ ଅପରାଧୀମାନେ ଫେରାର ହେବାକୁ ଚେଷ୍ଟା କରୁଥିଲେ । କେଉଁଠୁ ସେସବୁ ଜିନିଷ ଚୋରି କରିଥିଲେ ? କେବେ ଚୋରି କରିଥିଲେ ? ସେସବୁକୁ ନେଇ ମଧ୍ୟ ପୋଲିସ ତନାଘନା କରୁଛି ।

ଏହା ମଧ୍ଯ ପଢ଼ନ୍ତୁ.. ବିଜାପୁର ଏନକାଉଣ୍ଟର: 31 ନକ୍ସଲ ସଫା, 2 ଯବାନ ଶହୀଦ କାଲି 14 ମାଓବାଦୀଙ୍କୁ ସଫା କରିଥିଲେ, ଆଜି ମୁଖ୍ୟମନ୍ତ୍ରୀ ଦେଲେ ଖୁସି ଖବର |
ତେବେ ପୋଲିସ ସୂଚନା ଅନୁସାରେ, ଆହତ ହୋଇଥିବା ଅପରାଧୀ ଏକା ନୁହେଁ ବରଂ ତା' ସହିତ ଆହୁରି କିଛି ସହଯୋଗୀ ରହିଛନ୍ତି । ଯେଉଁମାନେ ଆପାର୍ଟମେଣ୍ଟର ପଶି ସଦଳବଳ ହୋଇ ଲୁଟପାଟ କରନ୍ତି । ପୋଲିସ ହାତରେ କିଛି ସିସିଟିଭି ଫୁଟେଜ ମଧ୍ୟ ଲାଗିଛି । ଏନେଇ ତଦନ୍ତ ଚାଲିଥିବା କହିଛନ୍ତି ବାଲିଅନ୍ତା ଥାନାଧିକାରୀ ।
ଇଟିଭି ଭାରତ, ଭୁବନେଶ୍ବର