ନୂଆଦିଲ୍ଲୀ/ପାଟନା:ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଲାଣି । ବିଜେପି ଓ ଏହାର ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ଏହି ଧାରାରେ ବେଶ ପଛରେ ରହିଛି । ଦଳ ପୂର୍ବରୁ ଏକାଧିକ ରାଜ୍ୟରେ ଆସନ ବୁଝାମଣା କନ୍ଦଳର ସାମ୍ନା କରି ସାରିଥିବା ବେଳେ ଏବେ ବିହାରରେ ମଧ୍ୟ ସମାନ ସଙ୍କଟ ଲାଗି ରହିଥିବା ସୂତ୍ରରୁ ସୂଚନା ମିଳିଛି ।
ରାଜ୍ୟରେ ପୂର୍ବରୁ ଲାଲୁଙ୍କ ଆରଜେଡି ଓ କଂଗ୍ରେସ ମହାମେଣ୍ଟ ସରକାରରେ ସହଯୋଗୀ ଦଳ ଥିଲେ । ଏବେ ଉଭୟ ଦଳ ଏକାକୀ ସାଧାରଣ ନିର୍ବାଚନ ମଧ୍ୟ ଲଢିବାକୁ ଯାଉଛନ୍ତି । ହେଲେ ରାଜ୍ୟରେ 40 ଲୋକସଭା ଆସନ ମଧ୍ୟରୁ କଂଗ୍ରେସକୁ ମାତ୍ର 5ରୁ 6ଆସନ ଛାଡିବା ପାଇଁ ଆରଜେଡି କ୍ୟାମ୍ପରୁ ପ୍ରସ୍ତାବ ମିଳିଥିବା ସୂଚନା ମିଳିଛି । ତେବେ କେବଳ ସିଟ ସଂଖ୍ୟା ନୁହେଁ ବରଂ ବିହାରର ଚର୍ଚ୍ଚିତ ସଂସଦୀୟ ଆସନ ପୁର୍ଣ୍ଣିଆ, ବେଗୁସରାଇ ଓ ଔରଙ୍ଗାବାଦକୁ ନେଇ ମଧ୍ୟ ଉଭୟ ଦଳ ମଧ୍ୟରେ ଅସହମତି ରହିଛି । ଯାହାକୁ ନେଇ କଂଗ୍ରେସ କ୍ୟାମ୍ପରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରାଜ୍ୟ କଂଗ୍ରେସର ନେତାମାନେ ହାଇକମାଣ୍ଡ ଓ ପାର୍ଟି ମୁଖ୍ୟାଳୟର ହସ୍ତକ୍ଷେପ ଲୋଡି ଦିଲ୍ଲୀକୁ ଚିଠି ମଧ୍ୟ ଲେଖିଥିବା ସୂତ୍ରରୁ ଜଣାପଡିଛି ।
AICCର ଜଣେ ବରିଷ୍ଠ ନେତା ‘ଇଟିଭି ଭାରତ’କୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, କଂଗ୍ରେସ ରାଜ୍ୟରେ ଅତିକମରେ 10ରୁ ଅଧିକ ଆସନରେ ପ୍ରାର୍ଥୀ ଦେବା ପ୍ରସ୍ତୁତିରେ ଅଛି । ମାତ୍ର ଲାଲୁଙ୍କ ଆରଜେଡି ଏତେ ସଂଖ୍ୟକ ଆସନ ଛାଡିବା ପାଇଁ ପ୍ରସ୍ତୁତ ନୁହେଁ । କଂଗ୍ରେସକୁ ମାତ୍ର 5ରୁ 6ଆସନ ଛାଡିବା ପାଇଁ ଆରଜେଡି କ୍ୟାମ୍ପରୁ ଅନୌପଚାରିକ ଭାବେ ବିଚାର ସାମ୍ନାକୁ ଆସିଛି । ଯାହା କଂଗ୍ରେସ ପକ୍ଷେ ଗ୍ରହଣ କରିବା ସମ୍ଭବପର ନୁହେଁ । ଅଧିକ ଆସନ ଦାବି କରିବାକୁ ଆରଜେଡି କଂଗ୍ରେସର ଭୋଟ ଷ୍ଟ୍ରାଇକ ରେଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ଏପରି ଏକତରଫା ନିଷ୍ପତ୍ତି ମେଣ୍ଟ ପାଇଁ ଶୁଭଙ୍କର ନୁହେଁ । ତେଣୁ କଂଗ୍ରେସ ହାଇକମାଣ୍ଡଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିବା ସମ୍ପୃକ୍ତ ନେତା କହିଛନ୍ତି ।