ନୂଆଦିଲ୍ଲୀ:ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଗତକାଲି (ସୋମବାର) ସଂଧ୍ୟାରେ 7 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ସମସ୍ତ ପ୍ରାର୍ଥୀ 2ଟି ରାଜ୍ୟ ବିହାର ଓ ପଞ୍ଜାବରୁ ରହିଛନ୍ତି । ବିହାରରେ ଦଳ ପଶ୍ଚିମ-ଚମ୍ପାରଣ ଆସନରୁ ମଦନ ମୋହନ ତିଓ୍ବାରୀ, ମୁଜାଫରପୁରରୁ ଅଜୟ ନିଶଦ, ମହାରାଜଗଞ୍ଜ ଆସନରୁ ଦଳ ଆକାଶ ପ୍ରସାଦ ସିଂଙ୍କୁ ଟିକେଟ ଦେଇଛି ଦଳ । ସେହିପରି ଅନ୍ୟ ଦୁଇ ଗୁରୁତ୍ବପୂର୍ଣ୍ଣ ଆସନ ସମସ୍ତିପୁର ଓ ସାସାରାମରୁ ଦଳ ଯଥାକ୍ରମେ ସନି ହଜାରୀ ଓ ମନୋଜ କୁମାରଙ୍କୁ ପ୍ରାର୍ଥୀ କରିଛି । ସେହିପରି ପଞ୍ଜାବରେ ମାତ୍ର ଦୁଇଟି ଆସନରେ ଚଳିତ ପର୍ଯ୍ୟାୟରେ ପ୍ରାର୍ଥୀ ଦେଇଛି ଦଳ । ହୁସିଆରପୁରରୁ ୟାମିନ ଗୋମାର ଓ ଫରିଦକୋଟ ଆସନରୁ ଅମରଜିତ କୌର ସାହୋକେଙ୍କୁ ଦଳ ଟିକେଟ ଦେଇଛି ।
ଉତ୍ତର-ଭାରତୀୟ ରାଜ୍ୟ ବିହାର ଜାତୀୟ ରାଜନୀତିରେ ବେଶ ପ୍ରଭାବ ରଖିଥାଏ । ଏହି ରାଜ୍ୟରେ ମୋଟ 40 ଲୋକସଭା ଆସନ ଥିବା ବେଳେ ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମେଣ୍ଟରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ଓ ଅନ୍ୟ କିଛି ବାମପନ୍ଥୀ ଦଳଙ୍କ ସହ ‘ଇଣ୍ଡିଆ’ ମେଣ୍ଟ ବ୍ୟାନରରେ ନିର୍ବାଚନ ଲଢୁଛି । ମୋଟ 40 ଆସନ ମଧ୍ୟରେ ସିଂହଭାଗ ଆରଜେଡି ଖାତାକୁ ଯାଇଥିବା ବେଳେ କଂଗ୍ରେସ ମାତ୍ର 9 ଆସନ ପାଇଛି । ଏହି ଆସନରେ ଦଳ ପର୍ଯ୍ୟାୟକ୍ରମିକ ପ୍ରାର୍ଥୀ ଘୋଷଣା ଜାରି ରଖିଛି । ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ଶାସନରେ ଥିବା ନୀତିଶଙ୍କ ଦଳ ଜେଡିୟୁ, ‘ହାମ’ ଓ ଚିରାଗ ପାସଓ୍ବାନଙ୍କ ଦଳ ସହ ମେଣ୍ଟରେ ନିର୍ବାଚନ ଲଢୁଛି ।
- ଏହା ମଧ୍ୟ ପଢନ୍ତୁ :- ଜମ୍ମୁ-କାଶ୍ମୀରରେ ଯବାନଙ୍କ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ - Man shot dead by terrorists