ଭୁବନେଶ୍ବର: ରାଜ୍ୟରେ ଅଫିସରମାନେ ଏଣିକି ଆଉ ଲଗାମଛଡା ହୋଇ ପାରିବେନାହିଁ । ମନ୍ତ୍ରୀମାନଙ୍କ ହାତରେ ରହିବ ସଚିବ ଓ ଅଧିକାରୀଙ୍କ ଲଗାମ । ସରକାର ଠିକ ଭାବରେ ଚାଲିଲେ, ଅଫିସରମାନେ ଠିକ ଭାବେ କାମ କରିବେ । ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରଙ୍କୁ କାମ କରିବାର ଅଛି । ଆଉ ଆମେ ତାଙ୍କୁ କାମ କରେଇବାର ଅଛି । ସରକାର ଓ ସରକାରୀ ଅଧିକାରୀ ଲୋକଙ୍କ ପାଇଁ କାମ କରିବେ । ରାଜ୍ୟବାସୀ ଏଇ ବିଶ୍ଵାସ ରଖନ୍ତୁ ବୋଲି କହିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ରବି ନାୟକ ।
ପୂର୍ବରୁ ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ମନମାନି ବାବଦରେ ଅପଖ୍ୟାତି ରହିଛି । ରାଜ୍ୟରେ ମନ୍ତ୍ରୀ କିମ୍ବା ବିଧାୟକ ନୁହଁନ୍ତି, ସଚିବ ଓ ଅଧିକାରୀଙ୍କ ରାଜ୍ ଚାଲିଛି ବୋଲି ଅଭିଯୋଗ ମଧ୍ୟ ରହିଛି । ରାଜ୍ୟର କ୍ଷମତା ଡୋରୀ ଲୋକପ୍ରତିନିଧି ନୁହେଁ, ସରକାରୀ ବାବୁଙ୍କ ହାତରେ ରହିଥିବା ବିରୋଧୀ ଦଳରେ ଥିବା ବେଳେ ବିଜେପି ଅଭିଯୋଗ କରି ଆସିଛି । ଏବେ ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଛି । ଅଭିଯୋଗ କରୁଥିବା ବିଜେପି ଦଳ ଏବେ ଶାସନ ଗାଦିକୁ ଆସିଛି । ରାଜ୍ୟରେ ବାବୁ ରାଜ ନେଇ ନବ ନିର୍ବାଚିତ କ୍ୟାବିନେଟ ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ, ଯଦି ସରକାର ଠିକ ଚାଲିବ ତାହାଲେ ସଚିବ, ଅଧିକାରୀ ଓ ଅଫିସର ମାନେ ଠିକ ଚାଲିବେ । ଆମ ଲଗାମ ଆମ ପାଖରେ ଅଛି । ଲଗାମ ଆମେ ଧରିବୁ । ଘୋଡା ଠିକ ହିସାବରେ ଯିବ । ନୂଆ ସରକାରକୁ ପ୍ରଶାସନିକ ଅସହଯୋଗ ସନ୍ଦେହ ଦୂର ହେବ । ଲୋକଙ୍କ ଲାଗି ଆମେ ନିଷ୍ପତ୍ତି ନେବୁ । ତାକୁ ଆମେ ପାଳନ କରିବୁ । ତେଣୁ ସେ ଦୃଷ୍ଟିରୁ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ । ଏ ବିଷୟରେ କ୍ୟାବିନେଟ ବୈଠକ ସମୟରେ ଆଲୋଚନା ହୋଇଛି ।