ଖୋର୍ଦ୍ଧା:ବିଜେଡି ଛାଡି ବିଜେପିରୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ଢାଲି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦଳରେ ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରି ପୁଣି ଥରେ ନିର୍ବାଚନୀ ସମର୍ଥନ ହାସଲ କରିବା ଏବଂ ବିଜେପି କର୍ମୀଙ୍କୁ ନେଇ ନିଜ ଆସନରେ ଦଳକୁ ସଂଗଠିତ କରିବା ଉଦ୍ଦେଶ୍ୟରେ ଅଭିଯାନ ଜାରି ରଖିଛନ୍ତି ଅରବିନ୍ଦ । ସମର୍ଥକଙ୍କୁ ଧରି ବିଭିନ୍ନ ସାହି, ଗାଁ ଓ ଗଳି ବୁଲୁଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ମୋଦି ସରକାରଙ୍କ ବିକାଶ ଭିଜନ କଥା କହି ଭୋଟ ମାଗୁଛନ୍ତି ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଥିବା ଓ ପରବର୍ତ୍ତୀ ସମୟରେ ଦଳବଦଳ କାରଣରୁ ସଭ୍ୟପଦରୁ ବିଦା ହୋଇଥିବା ଅରବିନ୍ଦ ଢ଼ାଲି ଏବେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢୁଛନ୍ତି । କିନ୍ତୁ ଅରବିନ୍ଦଙ୍କ ପ୍ରାର୍ଥିତ୍ବକୁ ନେଇ ଜୟଦେବ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ବରେ ଥିବା କିଛି ବିଜେପି କାର୍ଯ୍ୟକର୍ତ୍ତା ବିରୋଧ କରିବା ସହ ଅଣ୍ତାମାଡ ମଧ୍ୟ କରିଥିଲେ । ଏପରିକି ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥିତ୍ବ ପରିବର୍ତ୍ତନ କରିବା ପାଇଁ ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇଗୋଷ୍ଠୀ ରାଜ୍ୟ ବିଜେପି କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିଥିବା ଦେଖାଯାଇଥିଲା । ବିରୋଧ ସତ୍ତ୍ୱେ ଅରବିନ୍ଦ ନିଜ ସମର୍ଥକଙ୍କୁ ଧରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।