ଓଡିଶା

odisha

ETV Bharat / politics

ତିର୍ତ୍ତୋଲରେ ବିଜେଡିର ଜୋରଦାର ପ୍ରଚାର, ସାମିଲ ହେଲେନି ବିଧାୟକ - General Election 2024

BJD Election Campaign: ତିର୍ତ୍ତୋଲ ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ହେଲେ ପ୍ରଚାରରେ ବିଧାୟକ ବିଜୟ ଶଙ୍କରଙ୍କୁ ଦେଖିବାକୁ ମିଳିନଥିଲା । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 9, 2024, 11:55 AM IST

Election Campaign
Election Campaign

Election Campaign

ଜଗତସିଂହପୁର:ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ମଧ୍ୟ ସେତେ ବଢି ଚାଲିଛି । ସବୁ ନେତାଙ୍କ ଫୋକସରେ ଏବେ ଭୋଟର । ଗାଁ ଗାଁ ବୁଲି ମତଦାତାଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଦେଲେଣି ନେତାକର୍ମୀ । ଏହିକ୍ରମରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରଚାର କାର୍ଯ୍ୟକ୍ରମ । ତିର୍ତ୍ତୋଲ ବିଜେଡି ବିଧାୟକ ପ୍ରାର୍ଥୀ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିରିଡି ବ୍ଲକ ବିଜେଡି କାର୍ଯ୍ୟାଳୟରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

ସୋମବାର ଦିନ ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ବିରିଡି ବ୍ଲକ ବିଜେଡି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କୁ ଭେଟିବା ସହ ସେଠାରୁ ନିଜ ନେତା ଓ କର୍ମୀମାନଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଧ୍ୟାନକୁଦ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ସେଠାରୁ 55 ନମ୍ବର ଜାତୀୟ ରାଜପଥ ଦେଇ ବାଲିଆ, ଧନୀପୁର ଆଦି ସ୍ଥାନରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମୀମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ମାଆ ଶାରଳା ମନ୍ଦିରକୁ ଯାଇ ଉଭୟ ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଦେଖିବାକୁ ମିଳିନଥିଲା ।

ଏହାମଧ୍ୟ ପଢନ୍ତୁ..'ଜଗତସିଂହପୁରରେ କଂଗ୍ରେସ ସଶକ୍ତ, ଘର ବାହୁଡା ଆରମ୍ଭ କଲେଣି କର୍ମୀ' - Jagatsinghpur Congress

ସୂଚନାଯୋଗ୍ୟ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ 2014 ମସିହାରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇ 14 ହଜାର 516 ଖଣ୍ଡ ଭୋଟ ପାଇଥିଲେ । ସେ ସମୟରେ 88 ହଜାର 553 ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ବିଜୟୀ ହୋଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ ରାଜକିଶୋର ବେହେରା 53 ହଜାର 505 ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

2019 ସାଧାରଣ ନିର୍ବାଚନରେ ରମାକାନ୍ତ ଭୋଇ ବିଜେପିରୁ ପ୍ରାର୍ଥୀ ହୋଇ 53 ହଜାର 581 ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ସମୟରେ ଏହି ଆସନରୁ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସ 93 ହଜାର 967 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । 2022ରେ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନରେ ପୂର୍ବରୁ କଂଗ୍ରେସରେ ଥିବା ରାଜକିଶୋର ବେହେରା ବିଜେପିରେ ଯୋଗ ଦେବା ପରେ ବିଜେପି ଛାଡି ରମାକାନ୍ତ ଭୋଇ ବିଜେଡିରେ ଯୋଗ ଦେଇଥିଲେ । ସେ ସମୟରେ ବିଜେଡି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିଥିଲା । ବିଜୟ ଶଙ୍କର ବିଜୟୀ ହୋଇଥିଲେ ।

ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ, ପାରାଦ୍ୱୀପ ଓ ବାଲିକୁଦା-ଏରସମା ଆସନ ପାଇଁ ଏ ଯାଏଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରଚାର ଜୋରଦାର କରିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details