ଭୁବନେଶ୍ବର: ବାୟୋଗ୍ରାଫିରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଜୀବନ ଯାତ୍ରା । ଅନୁଭବଙ୍କ ଜୀବନ କାହାଣୀକୁ ନେଇ ଉନ୍ମୋଚିତ ହୋଇଛି ପୁସ୍ତକ 'ବ୍ଲକବ୍ଲଷ୍ଟରରୁ ବାଲାଟ ବକ୍ସ'। ଏହି ପୁସ୍ତକରେ ଅନୁଭବଙ୍କ ଜନ୍ମଠାରୁ ଆରମ୍ଭ କରି ଆଲବମ, ଚଳଚ୍ଚିତ୍ର ଓ ରାଜନୀତି ଜୀବନର ଅନେକ କାହାଣୀକୁ ସ୍ଥାନିତ କରାଯାଇଛି । ଭୁବନେଶ୍ଵର ହୋଟେଲ ସ୍ୟାଣ୍ଡିସ ଟାୱାରଠାରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ ଅନୁଭବଙ୍କ ଜୀବନ କାହାଣୀର ପୁସ୍ତକର ଉନ୍ମୋଚନ କରିଛନ୍ତି । ପୁସ୍ତକ ଉନ୍ମୋଚନ ସମୟରେ ପୁଣି ଥରେ ବର୍ଷାଙ୍କୁ ଟାର୍ଗେଟ କରି 'ମିଛ ମାମଲାରେ ନଛନ୍ଦିବାକୁ ଅନୁରୋଧ' ବୋଲି କହିଛନ୍ତି ଅନୁଭବ ।
ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି:
ଉନ୍ମୋଚିତ ହୋଇଛି ଅଭିନେତା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ 'ବ୍ଲକବ୍ଲଷ୍ଟରରୁ ବାଲାଟ ବକ୍ସ' । ଏହି ଆତ୍ମଜୀବନୀ ଜାଗୃତି ଶୁକ୍ଳାଙ୍କୁ ଦ୍ଵାରା ରଚିତ ଓ ସ୍ୱର୍ଗତଃ ଅସ୍ତିତ୍ବଙ୍କ ଦ୍ଵାରା ସହ-ଲିଖିତ ହୋଇଥିବାବେଳେ ଏହାର ଓଡିଆ ସଂସ୍କରଣକୁ ମାନସ ପଢିଆରୀ ଲେଖିଛନ୍ତି । ୧୬୯ ପୃଷ୍ଠା ସମ୍ବଳିତ ଏହି ପୁସ୍ତକ ଅନୁଭବଙ୍କ ଜୀବନର ଅନେକ ଅକୁହା କାହାଣୀକୁ ପ୍ରତିପାଦିତ କରିବ । ଓଡିଶା ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ରାଜନୈତିକ କ୍ୟାରିୟର ଏବଂ ଓଡିଶା ଓ ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି । ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅଟେ । ଟାଇମପାସ ପ୍ରକାଶନରେ ପ୍ରକାଶିତ ହୋଇଥିବାବେଳେ ଏହାର ପ୍ରକାଶକ ଅଛନ୍ତି ସରୋଜ ବଳ । ବହିରେ ରହିଛି ଅନୁଭବଙ୍କ ଜନ୍ମ, ବାଲ୍ୟ ଜୀବନ, ଶିକ୍ଷା, ବାଲ୍ୟ ଜୀବନ, ରାଜନୀତି, ସିନେମା ଓ ସିନେମା ସମୟରେ ଘଟଣା ଦୁର୍ଘଟଣା ଭଳି ଅନେକ ରୋଚକ କଥା କାହାଣୀ । ବହିରେ ରହିଛି ଅନେକ ଫିଲ୍ମ ପୋଷ୍ଟରର ଚିତ୍ର ।
ବାୟୋଗ୍ରାଫି ଉନ୍ମୋଚନବେଳେ ଏଭଳି କହିଲେ ଅନୁଭବ:
ବାୟୋଗ୍ରାଫି ଉନ୍ମୋଚନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇ ଅନୁଭବ ମହାନ୍ତି କହିଛନ୍ତି, "ଏହି ପୁସ୍ତକ ମୋର ବ୍ୟକ୍ତିଗତ ଅଟେ । ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ ଅଟେ । ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ଓ ତାଙ୍କୁ ଭଲ ଲାଗିବ । ମୋ ଜୀବନର ଅନେକ ଅକୁହା କଥା ଆପଣ ଏ ବହିରୁ ଜାଣିବେ । ଜାଗୃତି ଶୁକ୍ଲା ବହୁ ଘାତ ପ୍ରତିଘାତ ଓ ସମାଲୋଚନା ଭିତରେ ଏହି ପୁସ୍ତକଟି ଲେଖିଛନ୍ତି । ମୁଁ ବି ଜଣେ ପାଠକ ଭାବରେ ପଢ଼ିବି ଆଉ ଜାଣିବି । ଭାବୁଛି ମୁଁ ଯାହା କହିନି ସେ ତାହା ଲେଖି ନଥିବେ ।"
'ନବୀନ ଭଲ ନାଁ ମୋଦି', କହିଲେ ଅନୁଭବ:
ରାଜନୈତିକ ପୃଷ୍ଠପୋଷକତାରେ ଲେଖାକୁ ନେଇ ସେ କହିଛନ୍ତି, "ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଉଭୟ ବ୍ୟକ୍ତିଗତ ସ୍ତରରେ ନିଆରା । ୨ ଜଣ ନିଜ ନିଜ ସ୍ଥାନରେ ଓ କ୍ଷେତ୍ରରେ ବେଷ୍ଟ । ଏକଥା ନିଜକୁ ବଡ ନେତା କହୁଥିବା ଲୋକ ବି ଆଗରୁ କହିଦେଇଛନ୍ତି । ମୋ ପାଇଁ ୨ ଜଣ ଚିରନମସ୍ୟ ଈଶ୍ୱର ତାଙ୍କୁ ଦୀର୍ଘାୟୁ କରନ୍ତୁ । ମୁଁ ଯେତେବେଳେ ବହୁତ ଖରାପ ସମୟ ଦେଇ ଗତି କରୁଥିଲି ବହୁ ସମାଲୋଚନା ଶିକାର ହେଉଥିଲି ସେ ସମୟରେ ବହି ଲେଖା ହୋଇଛି । ତେଣୁ ଏହାକୁ ଲେଖିବା ପାଇଁ ଜାଗୃତିଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା । ଜାଗୃତି ଦୃଢତାର ସହ ରହି ବହୁ ଜିନିଷକୁ ସାମ୍ନା କରି, ଅନେକ ସମାଲୋଚନାକୁ ପାଥେୟ କରି ଏ ବହି ଲେଖିଛନ୍ତି । ଯାହା ଅନେକ ମହିଳାଙ୍କ ପାଇଁ ଉଦାହରଣ । ଆଉ ଶବ୍ଦ ସଂଯୋଜନା କରି ବେଶ ସୁନ୍ଦର ଭାବେ ମାନସ ପଢ଼ିହାରୀ ପାଠକଙ୍କ ପାଖରେ ପହଞ୍ଚାଇଛନ୍ତି । ସେଥିପାଇଁ ଉଭୟଙ୍କୁ ଧନ୍ଯବାଦ ।
ସିଧାସଳଖ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ:
ସେ ଆହୁରି କହିଛନ୍ତି, "ବାପାଙ୍କ ଯିବା ଦିନଠୁ ବହୁତ୍ କଷ୍ଟ ହେଉଛି । ବାପାଙ୍କ ଦେହ ଖରାପ ସତ୍ତ୍ବେ ଏପଟେ କୋର୍ଟ ହାଜର ହେବାକୁ ପଡ଼ୁଥିଲା । ସେଦିନର ସେ ସମୟ କଷ୍ଟ ସମୟ ଥିଲା । ଜାଗୃତି ମୋ ବନ୍ଧୁ ବୋଲି ବହୁ ସମାଲୋଚନା ସହିବାକୁ ପଡ଼ିଛି । ସୋସିଆଲ ମିଡ଼ିଆରେ ଜାଗୃତିଙ୍କୁ ତୀବ୍ର ସମାଲୋଚନା ହେଉଥିଲା । ଆଉ ଏହି ସବୁ ଶୋଷଣ ବା ହାରାସମେଣ୍ଟ ପାଇଁ ଜାଗୃତି ଚାକିରି ଛାଡିଲେ ।" ବର୍ଷାଙ୍କୁ ନେଇ ଅନୁଭବ କହିଛନ୍ତି, "ଯିଏ ଯେମିତି କର୍ମ କରେ ସେମିତି ଫଳ ପାଏ । ତାଙ୍କୁ କାହା ସହିତ ତୁଳନା କରିପାରିବି ନାହିଁ । ସେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ । ତାଙ୍କ ବିଷୟରେ କହି ମୁଁ ସବୁ ନାରୀଙ୍କୁ ଅସମ୍ମାନ କରିବାକୁ ଚାହୁଁନି । ବଡ କଥା ହେଉଛି ତାଙ୍କ ପାଇଁ ବାପାଙ୍କ ମୃତ୍ୟୁ ସମୟରେ ମୁଁ ତାଙ୍କ ପାଖରେ ରହିବା ବଦଳରେ କୋର୍ଟରେ ଥିଲି । ମୁଁ ନିଜକୁ ସେନେଇ କ୍ଷମା କରିପାରିବିନି ।"
'ମୁଁ ସାଂସଦ ଥିଲି ସେ ମନ୍ତ୍ରୀ ହୁଅନ୍ତୁ':
ଅନୁଭବ ଆହୁରି ମଧ୍ୟ କହିଛନ୍ତି,"୨୦୨୦ରେ ଡିଭୋର୍ସ ଫାଇଲ କରିଥିଲି । କେସକୁ ରାଜନୀତିକରଣ କରାଗଲା । ମୁଁ ତାଙ୍କୁ ଛାଡପତ୍ର ଦେବା ପାଇଁ ବାହା ହୋଇନଥିଲି । ଏପରି ଯିଏ ସବୁଦିନ ମୋ ସହ ରହିବାକୁ ଚାହୁଁଥିଲେ ଛାଡପତ୍ର ହେଉ ହେଉ ମୁଁ ଯେଉଁ ଦଳରେ ଅଣନିଶ୍ୱାସୀ ହୋଇ ଛାଡ଼ିଲି ସେ ଦଳରେ ସେ ନିର୍ବାଚନ ଲଢ଼ିଲେ । ସ୍ବାମୀଙ୍କୁ ଭଲ ପାଉଥିଲେ ସେ ଦଳକୁ ଯାଇନଥାନ୍ତେ । ତେଣୁ ସତ କ'ଣ ମିଛ କ'ଣ ତାହା ଲୋକମାନେ ତର୍ଜମା କରିବେ । ଯଦି କାହାକୁ ବାହା ହେବାକୁ ଇଚ୍ଛା ତେବେ ବାହା ହୁଅନ୍ତୁ । ରାଜନୀତି ବି କରନ୍ତୁ । ମୁଁ ସାଂସଦ ଥିଲି ସେ ମନ୍ତ୍ରୀ ହୁଅନ୍ତୁ । ମୋତେ ମୋ ଜୀବନରେ ଛାଡି ଦିଅନ୍ତୁ । ମୋ ଜୀବନ ମୋତେ ବଞ୍ଚିବାକୁ ଦିଅନ୍ତୁ । ଅଯଥାରେ ମିଛ ଜିନିଷରେ କୋର୍ଟକୁ ଘୋଷାଡୁଛନ୍ତି । ସେସବୁ ବନ୍ଦ କରିବାକୁ ବର୍ଷାଙ୍କୁ ଅନୁରୋଧ ।" ତେବେ ଅନୁଭବ ଓ ଜାଗୃତିଙ୍କ ବିବାହ ପାଇଁ ଅନୁଭବଙ୍କ ପ୍ରଶଂସକ ଚାହୁଁଥିବା ପ୍ରଶ୍ନରେ ଉତ୍ତର ଉଭୟ ଦେଇଛନ୍ତି । ପ୍ରଶଂସକ ଚାହୁଁଥିବା କଥାକୁ ରଖିବା ପାଇଁ ଉଭୟ ଚେଷ୍ଟା କରିବେ ବୋଲି ଉଭୟ କହିଛନ୍ତି । ଅନୁଭବ କହିଛନ୍ତି, "ପ୍ରଶଂସକଙ୍କୁ କେବେ ଅସମ୍ମାନ କରିନୁ । ଯେତେବେଳେ ଯାହା ସମୟ ଆସିଲେ ହେବ ସବୁ ସେମାନେ ଜାଣିବେ ।"
ଏଭଳି କହିଲେ ଜାଗୃତି ଶୁକ୍ଳା:
ପୁସ୍ତକ ଉନ୍ମୋଚନ ପରେ ଜାଗୃତି ଶୁକ୍ଳା ପ୍ରତିକ୍ରିୟାରେ କହିଛନ୍ତି, "୫ ବର୍ଷ ଲାଗିଲା ବହି ଶେଷ କରିବାକୁ । ବହି ଲେଖୁ ଲେଖୁ ଜୀବନ ବଦଳି ଗଲା । ଅନୁଭବଙ୍କ ସହଯାତ୍ରୀ ହେଲି । ଛୁଆ ବେଳର ଶିକ୍ଷୟିତ୍ରୀ ଜୟା ମିସଙ୍କ ବାବଦରେ ଲେଖାଅଛି । ଅନୁଭବ ବହିରେ ଲୁଚାଉଥିବା ମଡେଲଙ୍କ ଫଟୋ ତାହା ମଧ୍ୟ ଅଛି । ୧୬ ବର୍ଷରେ ଡାଇବେଟିସ ରୋଗରେ ପୀଡିତ ହୋଇଥିଲେ । ୧୯ ବର୍ଷରେ ସୁପର ମଡେଲ ହେଲେ । ୨୧ ବର୍ଷରେ ସୁପରଷ୍ଟାର । ୩୨ ବର୍ଷରେ ସର୍ବ କନିଷ୍ଠ ସାଂସଦ । ଆଜି ପୁସ୍ତକର ପ୍ରଥମ ଭଲ୍ୟୁମ ଲଞ୍ଚ ହେଲା । ଭଲ୍ୟୁମ-୨ରେ ଅନେକ ରୋଚକ କାହାଣୀ ଆସିବ । ଅନୁଭବଙ୍କ ବାୟୋଗ୍ରାଫି ଲେଖିବାବେଳେ ଅନେକ ସମାଲୋଚନାର ଶିକାର ହୋଇଛି ।"
ଏହା ମଧ୍ୟ ପଢ଼ନ୍ତୁ... |
ତେବେ ଅନୁଭବଙ୍କ ବାୟୋଗ୍ରାଫି ଉନ୍ମୋଚନବେଳେ ଚଳଚ୍ଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କୁନା ତ୍ରିପାଠୀ, ମନ୍ମଥ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବୁଦ୍ଧାଦିତ୍ୟଙ୍କ ଭଳି ଅଭିନେତା, ସଙ୍ଗୀତଜ୍ଞ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର