ନୂଆପଡା: ଥମୁନି ଦାଦନ ଯନ୍ତ୍ରଣା । ପୁଣି ଦାଦନ ଶ୍ରମିକର କରୁଣ କାହାଣୀ ସାମ୍ନାକୁ ଆସିଛି । ଯିଏକି ଜଣେ ନାବାଳିକା । ସର୍ଦ୍ଦାରର ନିର୍ଯାତନାରେ ଅସୁସ୍ଥ ହୋଇ ଇଟାଭାଟିରେ ମୃତ୍ୟୁବରଣ କରିଛନ୍ତି ଶ୍ରମିକ ଭାବେ କାମ କରୁଥିବା ନାବାଳିକା । ସେ ହେଉଛନ୍ତି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଏକ ଗାଁର 17 ବର୍ଷୀୟା ନାବାଳିକା । ଗତକାଲି (ଶନିବାର) ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି । ସେପଟେ ଶେଷକୃତ୍ୟ ପାଇଁ ପାଖରେ ସମ୍ବଳ ନଥିବାବେଳେ ନ୍ୟାୟ ଆଶାରେ ପରିବାର ।
ଓଡ଼ିଆ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ:
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, "2024 ଅକ୍ଟୋବରରେ ନାବାଳିକା ଜଣକ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଏକ ଫ୍ୟାକ୍ଟ୍ରିରେ ଇଟାଗଢ଼ା କାମରେ ନିୟୋଜିତ ଥିଲେ । ଭୋକ ଉପାସରେ ଦିବା ରାତ୍ର କାମ କରାଇବା ସହିତ ସର୍ଦ୍ଦାର ନିର୍ଯାତନା ଦେଉଥିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ ସମ୍ପୃକ୍ତ ନାବାଳିକା । ଚିକିତ୍ସା ଅଭାବରୁ ତାଙ୍କର ଜୀବନ ଯାଇଛି ।" ସମାଜସେବୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଶନିବାର ଗାଁକୁ ଫେରିଛି ମୃତଦେହ । ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ...ଅଧା ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ଘରକୁ ଫେରି ପାରିଲାନି ମୃତଦେହ - Migrant labour death
ଏହା ବି ପଢନ୍ତୁ...ଦାଦନ ଖଟିବାକୁ ଯାଇଥିଲେ ଚେନ୍ନାଇ, ରେଳଲାଇନରୁ ମିଳିଲା 2 ଓଡ଼ିଆଙ୍କ ମୃତଦେହ
ନ୍ଯାୟ ଆଶାରେ ମୃତ ନାବାଳିକାଙ୍କ ପରିବାର:
ଜିଲ୍ଲାରୁ ବେଆଇନ ଭାବରେ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ନିଜ ଅଞ୍ଚଳରେ ରୋଜଗାର ନପାଇ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି ଶ୍ରମିକ । ଫଳରେ ଅକାଳରେ ମୃତ୍ୟୁ ମୁଖରେ ପଡୁଥିବାରୁ ଶେଷରେ ଗାଁକୁ ଫେରୁଛି ମୃତଦେହ । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି କହିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସମାଜସେବୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର କହିଛନ୍ତି, "ଆମେ ବହୁ କଷ୍ଟରେ ତାଙ୍କର ମୃତଦେହ ଫେରାଇବାରେ ସକ୍ଷମ ହେଲୁ । ସେମାନେ ଅତି ଗରିବ ଶ୍ରେଣୀର । ସେମାନଙ୍କ ନିକଟରେ ଶୁଦ୍ଧି କ୍ରିୟା ପାଇଁ ମଧ୍ୟ ସମ୍ବଳ ନାହିଁ । ଏମିତିକି ତାଙ୍କ ଘରେ ଶୋଇବା ପାଇଁ ଖଟିଆଟିଏ ମଧ୍ୟ ନାହିଁ । ସରକାର କିଛି ସାହାଯ୍ୟ କଲେ ସେମାନେ ଉପକୃତ ହେବେ ।"
ଏହା ବି ପଢନ୍ତୁ...ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ଗଲା ଜୀବନ, କେମିତି ଆସିବ ମୃତଦେହ, ଚିନ୍ତାରେ ପରିବାର ? - Migrant Labor Died In Gujarat
ଇଟିଭି ଭାରତ, ନୂଆପଡ଼ା