ପାଟନା:ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଗ୍ନିପରୀକ୍ଷା । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ନେଇ ପ୍ରମାଣ ଦେବେ ନୀତିଶ କୁମାର । ବିହାର ବିଧାନସଭାରେ ଆଜି ଫ୍ଲୋର ଟେଷ୍ଟ ହେବ । ଏଥିରେ ଯଦି ନୀତିଶ ସରକାର ପାସ ହୁଅନ୍ତି ତେବେ ରାଜ୍ୟରେ ଏନଡିଏ ମେଣ୍ଟ ସରକାର ତିଷ୍ଠି ରହିବ । ରାଜ୍ୟ ବିଧାନସଭା ଆସନ 243 ରହିଥିବା ବେଳେ ଫ୍ଲୋର ଟେଷ୍ଟରେ ବହୁମତ ପାଇଁ 122 ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏନଡିଏ ପାଖରେ 128 ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ପାଖରେ 114 ଜଣ ବିଧାୟକ ରହିଛନ୍ତି । ତେଣୁ ଫ୍ଲୋର ଟେଷ୍ଟରେ ଏନଡିଏର ବିଜୟ ହୋଇପାରେ ବୋଲି କୁହାଯାଉଛି ।
ତେଜସ୍ୱୀଙ୍କ ବାସଭବନରେ ସୁରକ୍ଷାକର୍ମୀ ମୁତୟନ:- ଅନ୍ୟପଟେ ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ 'ଖେଳ ଏବେ ବାକି ଅଛି' ମନ୍ତବ୍ୟକୁ ନେଇ ଜେଡିୟୁର ରାଜନୀତିକ ପାରା ଉପରମୁହାଁ ରହିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସରକାର ଚାଲିଯିବା ଭୟରେ ନିତୀଶ କୁମାର ହଜାର ହଜାର ପୋଲିସ ପଠାଇ ତେଜସ୍ୱୀଙ୍କ ବାସଭବନକୁ ଘେରି ରହିଥିବା ଜେଡିୟୁ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଆହୁରି ମଧ୍ୟ କୁହାଯାଇଛି, "ସେମାନେ ଯେକୌଣସି ବାହାନାରେ ବାସଭବନ ଭିତରକୁ ପ୍ରବେଶ କରିବାକୁ ଏବଂ ବିଧାୟକଙ୍କ ସହ ଅଯଥା ଘଟଣାଇବାକୁ ଚାହୁଁଛନ୍ତି । ବିହାରର ଲୋକମାନେ ନୀତିଶ କୁମାର ଏବଂ ପୋଲିସର କୁକର୍ମ ଉପରେ ନଜର ରଖିଛନ୍ତି । ମନେ ରଖ ଆମେ ଭୟ କରିବା ଓ ନଇଁଯିବା ଲୋକ ନୁହେଁ । ଏହି ସଂଘର୍ଷକୁ ଆମେ ଲଢିବୁ ଓ ଜିତୁବୁ । କାହିଁକିନା ବିହାରର ନ୍ୟାୟ ପ୍ରିୟ ଜନତା ପୋଲିସର ଦମନକୁ ବିରୋଧ କରିବେ । ଜୟ ବିହାର ! ଜୟ ହିନ୍ଦ ।''