ଅସିତ ପଟ୍ଟନାୟକ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ଚର୍ଚ୍ଚା ଭଦ୍ରକ: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ସମୀକରଣ । ବିଜେଡି ଟିକେଟରୁ ବଞ୍ଚିତ ଅସିତ ପଟ୍ଟନାୟକ ଦଳ ଛାଡିବା ପରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ସମ୍ଭାବନା ପ୍ରକାଶ ପାଇଛି । ଅସିତ ନିଜ କର୍ମୀମାନଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି । ଯଦି କର୍ମୀ ତଥା ତାଙ୍କ ଶୁଭେଚ୍ଛୁମାନେ ପରାମର୍ଶ ଦିଅନ୍ତି, ତେବେ ସେ କଂଗ୍ରେସ ଟିକେଟରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢିବା ପାଇଁ ଦଳର ହାଇକମାଣ୍ଡ ତଥା ପିସିସି ସଭାପତିଙ୍କୁ ନିବେଦନ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ଦଖଲରେ ଥିବାବେଳେ ଏହାକୁ ବିଜେଡି ଦଖଲକୁ ଆଣିବାରେ ଅସିତ୍ ପଟ୍ଟନାୟକ ଏବଂ ତାଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି । ଅସିତ କହିଛନ୍ତି ଯେ, ଲୋକେ ଜାଣିଛନ୍ତି ଭଦ୍ରକବାସୀଙ୍କ ପ୍ରତି ତାଙ୍କ ପରିବାରର ଅବଦାନ କ'ଣ ରହିଛି ଏବଂ ଦଳୀୟ ଟିକେଟ ହାତେଇଥିବା ନେତା ଭଦ୍ରକ ପାଇଁ କ'ଣ କରିଛନ୍ତି । କାରଣ 2019 ନିର୍ବାଚନରେ ସେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ମଧ୍ୟ ଗତ ପୌର ନିର୍ବାଚନରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଜ ନେତୃତ୍ବର ପରାକାଷ୍ଠା ଦେଖାଇ ସାରିଛନ୍ତି । କେବଳ ଭଦ୍ରକ ପୌରପାଳିକା ନୁହେଁ, ସମଗ୍ର ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅସିତଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ସଂଗଠନ ଏବେ ଅସିତଙ୍କ ପଛରେ ଛିଡା ହୋଇଛନ୍ତି । ତେଣୁ ଅସିତଙ୍କ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନିଶ୍ଚିତ ଭାବେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଭୋଟକୁ ପ୍ରଭାବିତ କରିବ ଏଥରେ ସନ୍ଦେହ ନାହିଁ ।
ତେବେ ଦଳରୁ ଇସ୍ତଫା ପରେ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା କ'ଣ ରହିବ ସେନେଇ ଅସିତ କହିଛନ୍ତି ଯେ, ଚଳିତ ନିର୍ବାଚନରେ ମୋର ଭୂମିକା କ'ଣ ହେବ ମୋର ସମର୍ଥକମାନେ ହିଁ ନିଷ୍ପତ୍ତି ନେବେ । ଚୂଡାନ୍ତ ନିଷ୍ପତ୍ତି ପାଇଁ ମୋ ସମର୍ଥକ ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଛନ୍ତି । ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହେବ ଏବଂ ଖୁବଶୀଘ୍ର ମୋ ନିଷ୍ପତ୍ତି ଜଣାଇ ଦେବି । ଯଦି ମୋ କର୍ମୀ, ସମର୍ଥକ ଏବଂ ଶୁଭେଚ୍ଛୁମାନେ ଚାହିଁବେ ତାହେଲେ ମୁଁ ନିଶ୍ଚୟ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି । ତେବେ ସେ ସ୍ଵାଧୀନ ଭାବେ ନିର୍ବାଚନ ଲଢିବେ ନା ଘୋଷଣା ଅପେକ୍ଷାରେ ଥିବା କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଦଳରୁ ଇସ୍ତଫା ପରେ ତାଙ୍କ ପାଖରେ ଦୁଇଟି ବାଟ ରହିଛି । ତାହା ହେଲା ସେ ନିର୍ବାଚନ ଲଢିବେ ନଚେତ ନୀରବ ବସିବେ ।
ଏହା ମଧ୍ୟ ପଢନ୍ତୁ: ବିଜେଡିରେ ସାମିଲ ହେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର - Dr Debananda Mohapatra Joins BJD
ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଭଦ୍ରକ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରଫୁଲ୍ଲ ସାମଲଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ପ୍ରଫୁଲ୍ଲ ସାମଲ 2000 ଏବଂ 2004 ନିର୍ବାଚନରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଲଗାତାର ପରାଜିତ ହୋଇଥିଲେ । 2000 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସ୍ଵର୍ଗତ ବିରେନ ପଲେଇ 55051 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ 54519 ଖଣ୍ଡ ଭୋଟ ପାଇଥିଲେ । ସେହିପରି 2004 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନରେନ ପଲେଇ 66016 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ 61204 ଖଣ୍ଡ ସହ ପରାଜିତ ହୋଇଥିଲେ । ହେଲେ 2009 ଏବଂ 2014 ନିର୍ବାଚନରେ ବିଜେଡି ଅସିତଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କୁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରି ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରିପୋଖରୀରୁ ଛିଡା କରିଥିଲା । ପରିଣାମ ସ୍ୱରୂପ କଂଗ୍ରେସ ଦଖଲରେ ଥିବା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲକୁ ଆସିଥିଲା ।
ପ୍ରକାଶ ଥାଉକି, 2009 ନିର୍ବାଚନରେ 21428 ଖଣ୍ଡ ଭୋଟ ଏବଂ 2014 ନିର୍ବାଚନରେ 23587 ଖଣ୍ଡ ଭୋଟ ବ୍ୟବଧାନରେ ଯୁଗଳ ବିଜୟ ହୋଇଥିଲେ । ହେଲେ 2019 ନିର୍ବାଚନରେ ଯୁଗଳ କିମ୍ବା ତାଙ୍କ ପୁଅ ଅସିତଙ୍କୁ ବିଜେଡି ଟିକଟ ନଦେଇ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅସିତଙ୍କୁ ରାଜ୍ୟ ମତ୍ସ୍ୟ ନିଗମର ଅଧ୍ୟକ୍ଷ ଭାବେ ଥଇଥାନ କରିଥିଲା । ତେବେ ଚଳିତ ନିର୍ବାଚନରେ ଅସିତ ମୁଖ୍ୟ ଦାବିଦାର ଥିବା କୁହାଯାଉଥିଲା ବେଳେ ପୁନର୍ବାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଫୁଲ୍ଲ ସାମଲଙ୍କୁ ଆଣି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ କରିଛି ବିଜେଡି । ଯାହାକୁ ନେଇ ଏବେ ଭଦ୍ରକ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥଳେ କଂଗ୍ରେସର ପ୍ରାର୍ଥୀ ହେଉଥିବା ପୂର୍ବତନ ବିଧାୟକ ନରେନ ପଲେଇ ସମ୍ପ୍ରତି ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ଜଣେ ଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ ଥିବା ଆଲୋଚନା ହେଉଛି । ତେଣୁ ଅସିତଙ୍କ ପାଇଁ କଂଗ୍ରେସରେ ସୁଯୋଗ ସୃଷ୍ଟି ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
କାରଣ ଯୁଗଳ କିଶୋର ପଟ୍ଟନାୟକ ମୂଳରୁ କଂଗ୍ରେସ ବିଧାୟକ ଥିଲେ । ସେ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏଥିସହ ଭଦ୍ରକ ରାଜନୀତିରେ ଯୁଗଳ କିଶୋର ପଟ୍ଟନାୟକଙ୍କର ସ୍ବତନ୍ତ୍ର ଲୋକ ସମ୍ପର୍କ ଏବଂ ପରିଚୟ ରହିଛି । ତେଣୁ ଯୁଗଳଙ୍କ ସେହି ପୁରୁଣା ପଥକୁ ପାଥେୟ କରି ଅସିତ ନିଜର ସମର୍ଥକଙ୍କୁ ନେଇ କଂଗ୍ରେସରେ ଯୋଗ ଦେଇ ଭଦ୍ରକରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅଦ୍ୟାବଧି ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ଭଦ୍ରକ