ଓଡିଶା

odisha

ETV Bharat / politics

ଆର୍ସେଲର ମିତ୍ତଲ ନିପନ ଷ୍ଟିଲକୁ ନେଇ ଦ୍ୱନ୍ଦ୍ୱ; ବିଜେଡିର ଅଭିଯୋଗ ପରେ ଶିଳ୍ପମନ୍ତ୍ରୀଙ୍କ ଜବାବ - PLANT POLITICS

ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଜନୈତିକ ବୟାନ ବାଜି । ବିଜେପି ସରକାରଙ୍କୁ ବିଜେଡିର ଟାର୍ଗେଟ୍ ପରେ ଜବାବ ରଖିଛନ୍ତି ଶିଳ୍ପ ମନ୍ତ୍ରୀ।

Plant Politics
Plant Politics (ETV Bharat Odisha)

By ETV Bharat Odisha Team

Published : Nov 4, 2024, 10:40 PM IST

ଭୁବନେଶ୍ୱର: ଜୋର ଧରିଲା ପ୍ଲାଣ୍ଟ ରାଜନୀତି । ଆନ୍ଧ୍ରପ୍ରଦେଶର ଅଙ୍କାପାଲିରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗୋଟିଏ ବୃହତ୍ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି । ଏହାପରେ ଓଡ଼ିଶାରେ ଏହି କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ପ୍ଲାଣ୍ଟକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ବିଜେପି ସରକାରରେ କମ୍ପାନୀ ଓଡିଶା ଛାଡି ଚାଲିଯାଉଥିବା ନେଇ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଅଭିଯୋଗ ଆଣିଛନ୍ତି । ସେପଟେ ପ୍ରତାପଙ୍କ ଅଭିଯୋଗର ଜୋରଦାର ଜବାବ ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ରାଜନୀତିରେ ତିଷ୍ଠି ରହିବା ପାଇଁ ବିଜେଡି ଲୋକଙ୍କୁ ଭ୍ରମିତ କରୁଛି । ପୂର୍ବ ସରକାରରେ ଶିଥିଳ ଥିବା ଶିଳ୍ପ, ବିଜେପି ସରକାରରେ ଆକୃଷ୍ଟ ହେଉଛନ୍ତି । ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ବନ୍ଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Plant Politics (ETV Bharat Odisha)

ବିଜେପି ସରକାରକୁ ବିଜେଡିର ଟାର୍ଗେଟ୍:

ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, "ବିଜେପି ସରକାରଙ୍କ ଅପାରଗତା କାରଣରୁ ଓଡିଶାରୁ ନିବେଶକମାନେ ଚାଲି ଯାଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପନ ଷ୍ଟିଲ ସହିତ ଆଲୋଚନା କରିଥିଲେ । ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ ଲଗାଇବେ ବୋଲି ଚୁକ୍ତି କରିଥିଲେ । ଏହି ପ୍ରକଳ୍ପରେ କମ୍ପାନୀ ତରଫରୁ ପ୍ରାୟ 1 ଲକ୍ଷ 40 ହଜାର କୋଟି ଟଙ୍କା ବିନିଯୋଗ ହୋଇଥାନ୍ତା । ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟର ରାଜସ୍ୱରେ ବଡ଼ ବୃଦ୍ଧି ହୋଇଥାନ୍ତା । ରାଜ୍ୟର ଅନେକ ଯୁବକ ଯୁବତୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିଯୁକ୍ତି ପାଇଥାନ୍ତେ । କିନ୍ତୁ ଏହି ପ୍ରକଳ୍ପ ଆନ୍ଧ୍ରପ୍ରଦେଶକୁ ଚାଲି ଯାଉଛି ବୋଲି ଆମେ ଜାଣିବାକୁ ପାଉଛୁ, ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ।"

ପ୍ରତାପ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାରେ ବର୍ତ୍ତମାନ ବିଜେପି ସରକାର ଅଛି, ଯାହା ରିମୋଟ କଣ୍ଟ୍ରୋଲ ସରକାର ଭାବେ କାର୍ଯ୍ୟ କରୁଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶା ସହ ଚୁକ୍ତିବଦ୍ଧ ହୋଇଥିବା ଜେଏସଡବ୍ଲ୍ୟୁ ଇଭି ଓଡ଼ିଶାରୁ ବିଦାୟ ନେଇଛି । କଟକର ନରାଜରେ 40 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥାନ୍ତା । ଏହି କମ୍ପାନୀ ତାର ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମହାରାଷ୍ଟ୍ରରେ କରିସାରିଛି । ରାଜ୍ୟରେ ନୂଆ ସରକାର ଆସିବା ପରେ ଯେଉଁ ନିବେଶକମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ, ଏବେ ରାଜ୍ୟ ସରକାରଙ୍କ ଉପରେ ସେମାନଙ୍କ ଭରସା ପାଉନାହିଁ । ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ଗୁଡିକ ରାଜ୍ୟରୁ ବିଦାୟ ନେବା ଆରମ୍ଭ କରିଛନ୍ତି । ପୂର୍ବ ସରକାରଙ୍କ ସମୟରେ ପ୍ରଣୟନ ହୋଇଥିବା ଶିଳ୍ପ ନୀତି ଯୋଗୁ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଶ ବିଦେଶରୁ ଶିଳ୍ପାନୁଷ୍ଠାନମାନ ଆକୃଷ୍ଟ ହୋଇଥିଲେ । କିନ୍ତୁ ସରକାର ପରିବର୍ତ୍ତନ ହେବା ପରେ ନୂତନ ସରକାର ପୁଞ୍ଜି ନିବେଶକାରୀଙ୍କ ଭରସା ଜିତିବାରେ ସଫଳ ହୋଇ ପାରିନାହାନ୍ତି ।"

ଶିଳ୍ପ ମନ୍ତ୍ରୀଙ୍କ ଜବାବ:
ପ୍ରତାପଙ୍କ ଅଭିଯୋଗର ଜୋରଦାର ଜବାବ ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଶିଳ୍ପ ମନ୍ତ୍ରୀ କହିଛନ୍ତି, "ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ବିଜୁ ଜନତା ଦଳର ନେତାମାନେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଦେଶ ବିଦେଶରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ନାମକରା କମ୍ପାନୀ । କେବଳ ଭାରତ ନୁହେଁ ସାରା ବିଶ୍ବରେ ନାଁ କରିଥିବା ଇସ୍ପାତ କମ୍ପାନୀ । ଆର୍ସେଲର ମିତ୍ତଲ ସହ ବିଜେଡି ସରକାର ଏମଓୟୁ କରିବା ପରେ କମ୍ପାନୀ ଗୁଜୁରାଟର ହାଜିରାରେ ଏକ ଶିଳ୍ପ ପ୍ରତିଷ୍ଠା କରିଥିଲା । ତାଙ୍କ ସମୟରେ ଏହା ହୋଇଥିଲା । ମିତ୍ତଲ ଗୁଜୁରାଟ ପଳାଇଲା ବୋଲି ସେବେ ତ ବିଜେଡି କହିନଥିଲା । ମିତ୍ତଲ କମ୍ପାନୀ ଦେଶ ତଥା ଦେଶ ବାହାରେ ନିଜର ଶିଳ୍ପ କାରଖାନା ପ୍ରତିଷ୍ଠା କରିଛି । ଏହା ଓଡ଼ିଶାରୁ ଫେରିଯିବାର କୌଣସି ସମ୍ଭାବନା ନାହିଁ ।"

ଏହା ବି ପଢନ୍ତୁ...ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ତୃତୀୟ ସପ୍ତାହରେ ଯିବେ ବିଦେଶ !


ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡିଶା ସରକାରଙ୍କ ସହ ଦୁଇ ଦୁଇ ଥର ରିଭ୍ୟୁ ହୋଇସାରିଛି । ସଂସ୍ଥାର 200 ରୁ ଅଧିକ କର୍ମଚାରୀ ଓଡ଼ିଶାରେ ରହି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ପୂର୍ବ ସରକାରରେ ଦୁଇ ବର୍ଷ ଧରି କାର୍ଯ୍ୟ ସିଥିଳ ହୋଇଯାଇଥିଲା । ବିଜେପି ସରକାର ଆସିବା ପରେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଅଞ୍ଚଳରେ ଏହି ପ୍ଲାଣ୍ଟ ହେବ । ସେହି ଅଞ୍ଚଳରୁ ପ୍ରାୟ 60 ଜଣ ଡିପ୍ଲୋମା ହୋଲ୍ଡର ପିଲାଙ୍କୁ ସେମାନେ ତାଲିମ ଦେଉଛନ୍ତି । କେମିତି ସେହି ପ୍ଲାଣ୍ଟରେ ରୋଜଗାର ପାଇବେ ବ୍ୟବସ୍ଥା କରାଯାଉଛି । ବିଜେଡି ତିଷ୍ଠି ରହିବା ପାଇଁ ଲୋକଙ୍କ ଆଗରେ ମିଛ କହୁଛି । ବିଜେଡି ସରକାର ସମୟରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ନିବେଶ ପାଇଁ ମନା ବଳାଉଛନ୍ତି । ଜେଏସଡବ୍ଲ୍ୟୁ ଇଭି ପଳେଇଲା ବୋଲି ଚର୍ଚ୍ଚା କଲେ । ଏହା କେଉଁ ଆଡେ ଯାଉନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କଲେ । ନୂଆ ସରକାରଙ୍କ ପ୍ରତି କମ୍ପାନୀ ଗୁଡ଼ିକ ଆକୃଷ୍ଟ ହେଉଛନ୍ତି । ରୋଡ ସୋ ଆମେ ଦିଲ୍ଲୀ, ମୁମ୍ବାଇରେ କରିଛୁ । ବିଦେଶରେ ମଧ୍ୟ କରିବୁ। ଆଗାମୀ ଦିନରେ ସିଙ୍ଗାପୁରରେ ମଧ୍ୟ ହେବ ରୋଡ ସୋ ।"
ଏହା ବି ପଢନ୍ତୁ- ଓଡିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ, ଅନନ୍ତ ଆମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ବି ପଢନ୍ତୁ- ଦିଲ୍ଲୀ ପରେ ମୁମ୍ବାଇ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫୋକସରେ ଉତ୍କର୍ଷ ଓଡିଶା, 'ଓଡ଼ିଶା ହେବ ଶିଳ୍ପ ହବ୍'


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details