ବେଙ୍ଗାଲୁରୁ/ଗୌହାଟୀ:ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ଜେଡିଏସ’ ପ୍ରତିଷ୍ଠାତା ମୁଖ୍ୟ ଦେବେଗୌଡାଙ୍କ ନାତି ପ୍ରଜ୍ଜଳ ରେବନ୍ନାଙ୍କ ସେକ୍ସ ଭିଡିଓ ଭାଇରାଲ ପ୍ରସଙ୍ଗ ନିର୍ବାଚନୀ ରାଜନୀତିକୁ ଉଷ୍ମ କରିଛି । ଜେଡିଏସ ଏବେ ବିଜେପି ନେତୃତ୍ବଧୀନ ‘ଏନଡିଏ’ ମେଣ୍ଟର ସହଯୋଗୀ ଦଳ ଥିବା ବେଳେ ପ୍ରଜ୍ଜଳ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏପରି ସମୟରେ ବିରୋଧୀ କଂଗ୍ରେସ ସିଧା ବିଜେପିର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ଏହାକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୌହାଟୀରେ ପ୍ରେସମିଟ କରି କଂଗ୍ରେସ ଉପରେ ପାଲଟା ବର୍ଷିଛନ୍ତି । ଏପରି ଘଟଣା କେବେ ବରଦାସ୍ତଯୋଗ୍ୟ ନୁହେଁ । ବିଜେପିର ଆଭିମୁଖ୍ୟ ଅତି ସ୍ପଷ୍ଟ । ନାରିଶକ୍ତିର ଅପମାନ କେବେ ହେଲେ ଗ୍ରହଣୀୟ ନୁହେଁ । ମୋଦି ସରକାର ମହିଳା ସମ୍ମାନ ଓ ସୁରକ୍ଷା ପ୍ରତି ପ୍ରତିଶୃତିବଦ୍ଧ । କର୍ଣ୍ଣାଟକରରେ କଂଗ୍ରେସ ସରକାରରେ ଅଛି । ସେମାନେ କାହିଁକି ତଦନ୍ତ ନକରି ବିଜେପିକୁ ପାଲଟା ପ୍ରଶ୍ନ କରୁଛନ୍ତି ବୋଲି ଶାହ କହିଛନ୍ତି ।
ପ୍ରେସମିଟରେ ଶାହ କହିଛନ୍ତି, ‘‘ଏହି ପ୍ରସଙ୍ଗରେ ବିଜେପି ଓ ଏହାର ସହଯୋଗୀ ଦଳ ‘ଜେଡିଏସ’ ମଧ୍ୟ ତଦନ୍ତ ପାଇଁ ପ୍ରସ୍ତୁତ । ଆଜି ଜେଡିଏସର କୋର କମିଟି ବୈଠକ ମଧ୍ୟ ବସିବାକୁ ଯାଉଛି । ସେମାନେ ଏହା ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବିଜେପି ମଧ୍ୟ ଏହାକୁ ଗ୍ରହଣ କରୁନାହିଁ । ମାତ୍ର କର୍ଣ୍ଣାଟକରେ କଂଗ୍ରେସ ଶାସନରେ ରହିଛି । ସେମାନଙ୍କୁ ଘଟଣା ସମ୍ପର୍କରେ ଜଣାଥିବ । ନିର୍ବାଚନ ସମୟରେ ଏହି ଭିଡିଓ ଭାଇରାଲ ହୋଇଛି । ଏପର୍ଯ୍ୟନ୍ତ କାହିଁକି ତଦନ୍ତ କରାଯାଇନି । ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ପ୍ରଶ୍ନ ନକରି ନିଜ ଦଳୀୟ ସରକାରର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି । ଏହା ରାଜ୍ୟ କ୍ଷମତା ଅନ୍ତର୍ଗତ ବିଷୟ । ଏଥିରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । କିନ୍ତୁ ବିଜେପିର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ମହିଳାଙ୍କ ବିରୋଧରେ କୌଣସି ଆପତ୍ତିଜନକ ଘଟଣା ଆଦୌ ଗ୍ରହଣୀୟ ନୁହେଁ । ତେଣୁ କଠୋର କର୍ଯ୍ଯାନୁଷ୍ଠାନ ଆବଶ୍ୟକ । ’’