ହାଇଦ୍ରାବାଦ: ଦେଶରେନିର୍ବାଚନୀ ପ୍ରଚାର ସହ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଓ ଅନ୍ୟ ତିନି ଅପରାଧିକ ଆଇନ ପ୍ରତ୍ୟାହାର କରାଯିବା ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସକୁ କଡା ସମୋଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ବିଜେପି ସରକାର କାର୍ଯ୍ୟକାରୀ କରିଥିବା ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) କୁ ପ୍ରତ୍ୟାହାର କରିବ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଚିଦାମ୍ବରମ କହିଥିଲେ । ଗତକାଲି ଏହି ପ୍ରସଙ୍ଗରେ ଶାହ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ତ ଏହାକୁ ପ୍ରତ୍ୟାହାର କରିବାକୁ ପ୍ରୟାସ କରିବ । ପରୋକ୍ଷରେ କଂଗ୍ରେସ କ୍ଷମତା ଠାରୁ ବହୁଦୂରରେ ଅଛି ଓ ଦଳର କ୍ଷମତାକୁ ଆସିବା ସମ୍ଭାବନା ମଧ୍ୟ ନାହିଁ ବୋଲି ଶାହ କଟାକ୍ଷ କରିଛନ୍ତି ।
ଗତକାଲି ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଶାହ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଥିଲେ । କହିଥିଲେ,‘‘ଏ ମୋଦିଙ୍କ ଗ୍ୟାରେଣ୍ଟି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଧାର୍ମିକ ପ୍ରତାଡନାର ଶିକାର ହୋଇ ଭାରତରେ ଥିବା ଶରଣାର୍ଥୀ ନିଶ୍ଚିତ ଭାରତୀୟ ନାକରିକତା ପାଇବେ । ଏହାକୁ କେହି ବନ୍ଦ କରିପାରିବେ ନାହିଁ । ବ୍ରିଟିଶ ଅମଳରୁ ସାମ୍ରାଜବାଦ ନୀତି ଆଧାରରେ ଭାରତରେ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଥିଲା । ଏହାକୁ ଏବେ ମୋଦି ସରକାର ସଂଶୋଧନ କରି ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ବିଶ୍ବରେ ଏକ ପ୍ରମୁଖ ଦେଶ ଭାବେ ସ୍ଥାନ ଦେଇଛନ୍ତି । ଭାରତ ଏବେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଧୁନିକ ପ୍ରକ୍ରିୟାର ଦେଶ । ମାତ୍ର କଂଗ୍ରେସ ଏହାକୁ ପରିବର୍ତ୍ତନ କରିବା ଓ ପ୍ରତ୍ୟାହାର କରିବାର କଥା କହୁଛି । ସମାନେ (କଂଗ୍ରେସ) କ୍ଷମତାକୁ ଆସିଲେ ସିନା ଏପରି କରିବେ । ସେମାନେ କ୍ଷମତାକୁ ଆସିବାର କୌଣସି ସମ୍ଭାବନା ଦେଖାଯାଉନି ।’’