ଢେଙ୍କାନାଳ: ବିଜେଡି ଦଖଲରେ ଥିବା ଢେଙ୍କାନାଳ ସଦର ପଞ୍ଚାୟତ ସମିତିକୁ କବ୍ଜା କରିଛି ବିଜେପି । ଆଜି ଅନାସ୍ଥା ଭୋଟରେ ଅଧ୍ୟକ୍ଷା ପଦବୀ ହରାଇଛନ୍ତି ବିଜେଡି ଦଳୀୟ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଫଳରେ ସଦର ବ୍ଲକର ବିଜେପି ସମର୍ଥିତ ପ୍ରାର୍ଥୀ ହେବେ ନୂତନ ବ୍ଲକ ଅଧ୍ୟକ୍ଷା । ଗତ ୬ ତାରଖରେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ ବିଜେପି ସମର୍ଥିତ ସମିତି ସଭ୍ୟସଭ୍ୟା । ଆଜି ଏହି ଅନାସ୍ଥା ବୈଠକ ଢେଙ୍କାନାଳ ସଦର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିବା ବେଳେ ଅନାସ୍ଥା ସପକ୍ଷରେ ୪୪ ଓ ବିପକ୍ଷରେ ୧୭ ଭୋଟ ଆସିଛି । ଫଳରେ ବିଜେଡି ଦଳୀୟ ଅଧ୍ୟକ୍ଷା ନିଜର ପଦବୀ ହରାଇଛନ୍ତି ।
ଅନାସ୍ଥା ହାରିଲା ବିଜେଡି:
ସୂଚନା ଥାଉକି, ଢେଙ୍କାନାଳ ସଦର ବ୍ଲକରେ ମୋଟ ୩୦ଟି ପଞ୍ଚାୟତ ରହିଥିବା ବେଳେ ସେଥିରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ୬ଟି ପଞ୍ଚାୟତ ରହିଛି । ତେବେ କାଇମାଟି ପଞ୍ଚାୟତ ସମିତି ସଭ୍ୟଙ୍କର ଅକାଳ ମୃତ୍ୟୁ ଘଟି ସାରିଛି । ଆଜି ଅନାସ୍ଥା ଭୋଟିଂରେ ସରପଞ୍ଚ ଓ ସମିତି ସଭ୍ୟ ମିଶି ୫୯ ଜଣ, ଆଇନ ମୁତାବକ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ଢେଙ୍କାନାଳ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ମିଶାଇ ୬୨ ଜଣ ଅନାସ୍ଥା ଭୋଟ୍ରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ନାକଚ ହୋଇଥିବା ବେଳେ ୪୪ ଜଣ ଅନାସ୍ଥା ସପକ୍ଷରେ ଓ ୧୭ଜଣ ଅନାସ୍ଥା ବିରୁଦ୍ଧରେ ଭୋଟିଂ କରିଥିଲେ । ଫଳରେ ବିଜେପି ବାଜିମାତ କରିବା ସହ ଅନାସ୍ଥାରେ ହାରିବା ପରେ ବ୍ଲକ୍ ଅଧ୍ୟକ୍ଷା ପଦରୁ ରାଜଶ୍ରୀ ନାୟକ ହଟିଛନ୍ତି ।
ସପକ୍ଷରେ ୪୪ ବିପକ୍ଷରେ ୧୭:
ଏନେଇ ଭୋଟିଂ ପରିଚାଳନା କରିଥିବା ଢେଙ୍କାନାଳ ସଦର ତହସିଲଦାର ଲିତୁସ୍ମିତା ମିଶ୍ର କହିଛନ୍ତି, "ଆଜି ଭୋଟିଂ ପ୍ରକ୍ରିୟାରେ ୬୨ ଜଣ ଭାଗ ନେଇଥିଲେ । ପଞ୍ଚାୟତ ସମିତି ଆକ୍ଟ ୧୯୫୬ ଅନୁସାରେ ଭୋଟିଂ ହୋଇଥିଲା । ଭୋଟିଂରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୪୪ ଜଣ ଭୋଟ ଦେଇଥିଲେ । ୧୭ ଜଣ ବିପକ୍ଷରେ ଓ ଜଣଙ୍କ ଭୋଟ ନାକଚ ହୋଇଥିଲା । ୬୨ ଜଣଙ୍କ ଭୋଟ ହିସାବକୁ ନିଆଯାଇଥିଲା । ବର୍ତ୍ତମାନ ଉପଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳିବେ । ନୂତନ ଚେୟାରମ୍ୟାନ ଗଠନ କେବେ ହେବେ ସେନେଇ ପରବର୍ତ୍ତୀ ସମୟରେ ଜଣାଯିବ ।"
'ବିଜେଡି ପ୍ରତି ଲୋକମାନଙ୍କ ବିଶ୍ବାସ କମିଲାଣି':
ସେପଟେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି "ଢେଙ୍କାନାଳ ସଦର ବ୍ଲକର ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଆଜି ଭୋଟିଂ ହେଲା । ଭୋଟିଂରେ ୧ଟି ନାକଚ ହୋଇଥିବା ବେଳେ ୪୪ଟି ଅନାସ୍ଥା ସପକ୍ଷରେ ଓ ୧୭ଟି ଅନାସ୍ଥା ବିପକ୍ଷରେ ଆସିଲା । ବର୍ତ୍ତମାନ ସଦର ବ୍ଲକରେ ନୂଆ ଚେୟାରମ୍ୟାନ ହେବେ । ସାରା ଓଡ଼ିଶାରେ ବିଜେଡି ଭାଙ୍ଗୁଛି । ଧିରେଧିରେ ବିଜେଡି ପ୍ରତି ଲୋକମାନଙ୍କ ବିଶ୍ବାସ କମିବାରେ ଲାଗିଛି । ବିଜେଡିର ସାଂଗଠନିକ ସ୍ଥିତି ଆଉ ରହିବ ନାହିଁ । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବୟସାଧିକ କାରଣରୁ ସଂଗଠନକୁ ସମ୍ଭାଳି ପାରୁନାହାନ୍ତି । ବିଜେଡି ଦଳର ଦ୍ବିତୀୟ ପିଢ଼ିର କେହି ନେତା ଦଳକୁ ସମ୍ଭାଳିବା ପାଇଁ ଯୋଗ୍ୟ ନାହାନ୍ତି । ସେଥିପାଇଁ ପାଣ୍ଡିଆନଙ୍କୁ ସେ ବ୍ୟବହାର କରୁଥିଲେ । ଓଡ଼ିଶାବାସୀ ପାଣ୍ଡିଆନକୁ ନାକଚ କରିଦେଇଛନ୍ତି । ବର୍ତ୍ତମାନ ବିଜେଡିରେ ଯେତେ ନେତା ଅଛନ୍ତି ସେମାନଙ୍କ ଭିତରେ ବିଶ୍ବାସର କମି ହୋଇଗଲାଣି । ସେଥିପାଇଁ ସେମାନେ ବିଜେପି ଆଡକୁ ଆସୁଛନ୍ତି । ଆମେ ତାଙ୍କୁ ସ୍ବାଗତ କରୁଛୁ ।"
ଏହା ମଧ୍ୟ ପଢ଼ନ୍ତୁ...ଜୟନାରାୟଣ ଜାମିନ ରାଜନୀତି: ପ୍ରଶ୍ନରେ ଘେରିଲା ବିଜେଡି, ଜବାବ ଦେଲା ଶାସକ ଦଳ ଏହା ମଧ୍ୟ ପଢ଼ନ୍ତୁ...ଜାତିଗଣନା ଦାବି କଲା ବିଜେଡି, କାଉଣ୍ଟରରେ ପୂର୍ବ ସରକାରକୁ ବିଜେପିର ପ୍ରଶ୍ନ |
ସେପଟେ ବିଜେଡି ପୂର୍ବତନ ବିଧାୟକ ସୁଧୀର ସାମଲ କହିଛନ୍ତି, "ଗୁଣ୍ଡାଗର୍ଦି କରି ଯେତେବେଳେ ମନ୍ତ୍ରୀ ପ୍ରାର୍ଥୀଙ୍କୁ ଧରି ଆସିଲେ ସେତେବେଳୁ ଆମେ ଜାଣିଥିଲୁ ଯେ, ଆମେ ଅନାସ୍ଥାରେ ହାରିବୁ । ମନ୍ତ୍ରୀଙ୍କ ଗାଡ଼ିରେ ପ୍ରାର୍ଥୀ ବୁହାହେବା ମୁଁ କେବେ ଦେଖିନଥିଲି ।"
ଇଟିଭି ଭାରତ, ଢେଙ୍କାନାଳ