ଭୁବନେଶ୍ୱର/ଭବାନୀପାଟଣା: ଲିପ୍ଟ ମାଗି ଫସିଲେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ । ମଦ ଭାଟିରୁ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ମାରୁଥିବା ବେଳେ ଧରିଲା ପୋଲିସ । ସେମାନଙ୍କ ନିକଟରୁ କୋଟି କୋଟି ଟଙ୍କା ସହ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଡକାୟତିମାନେ ଝାଡଖଣ୍ଡ ରାଜ୍ୟର ହୋଇଥିବା ଜଣାପଡିଛି ।
ଲିପ୍ଟ ମାଗି ଫସିଲେ ଡକାୟତ:
ଜାନୁଆରୀ ୩୧ ତାରିଖ ମଧ୍ୟରାତ୍ରିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଧର୍ମଗଡ ସହର ଭୀମଖୋଜ ପଡ଼ାରେ ଥିବା ଦେଶୀ ମଦ ଭାଟିରେ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ପାଖାପାଖି ୮ ଜଣ ଡକାୟତ ମାରଣାସ୍ତ୍ର ଧରି ମଦ ଭାଟି ଭିତରେ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି କୋଟି କୋଟି ଟଙ୍କା ଲୁଟ କରିନେଇଥିଲେ । ଏନେଇ ଖବର ପାଇବା ପରେ ଧର୍ମଗଡ ପୋଲିସ ଘଟଣାସ୍ଥଳକୁ ଯିବା ସମୟରେ ବାଟରେ ୨ଜଣ ଲିପ୍ଟ ମାଗୁଥିବା ଦେଖିଥିଲେ । ସନ୍ଦେହରେ ସେମାନଙ୍କୁ ଅଟକ ରଖି ପଚରା ଉଚରା ବେଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ।
ଓଡ଼ିଶା ଓ ଝାଡଖଣ୍ଡର ୧୧ ଜିଲ୍ଲା ପୋଲିସ କରିଥିଲେ ତଦନ୍ତ:
ଏନେଇ ଓଡ଼ିଶା ଓ ଝାଡଖଣ୍ଡ ରାଜ୍ୟର ୧୧ଟି ଜିଲ୍ଲା ପୋଲିସ ସହଯୋଗ ଏହି ମାମଲାର ତଦନ୍ତ କରିଥିଲେ । ୨୪ ଘଣ୍ଟା ମଧ୍ୟରେ ପୋଲିସ ୮ଜଣ ଡକାୟତଙ୍କ ସହ ୩ କୋଟି ୫୧ ଲକ୍ଷ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ ଓ ଏକ ବୋଲେରୋ ଜବତ କରିଛି । ଏହି ଡକାୟତମାନଙ୍କ ମଧ୍ୟରେ ଅନେତ ଅଭ୍ୟାସଗତ ଚୋର ରହିଛନ୍ତି । ସେମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଡକାୟତମାନେ ଝାଡଖଣ୍ଡ ରାଜ୍ୟ ରାଞ୍ଚିର ହୋଇଥିବା ଜଣାପଡିଛି ।
କଳାହାଣ୍ଡିରେ ମଦ ଭାଟିରେ ହୋଇଥିଲା ଚୋରି:
ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଏନେଇ ପ୍ରେସମିଟରେ କହିଛନ୍ତି, " ଗତ ୩୧ ତାରିଖ ମଧ୍ୟରାତ୍ରିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅଞ୍ଚଳରେ ଥିବା ଏକ ମଦ ଭାଟିରେ ୮ ଜଣ ଡକାୟତ ଡକାୟତି କରିଥିଲେ । ପୋଲିସ ପାଖରେ ଖବର ପହଞ୍ଚିବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇଥିଲା । ଏହି ସମୟରେ ବାଟରେ କିଛି ଲୋକ ରାସ୍ତା ଉପରେ ଲିପ୍ଟ ମାଗୁଥିବା ଦେଖିବାକୁ ପାଇଥିଲେ । ପୋଲିସ ସନ୍ଦେହରେ ସେମାନଙ୍କୁ ଗାଡି ଭିତରକୁ ନେଇ ପଚରାଉଚରା କରିଥିଲେ । ଘଟଣାସ୍ଥଳକୁ ଯାଇ ମାମଲାର ତଦନ୍ତ କରିଥିଲା ଜିଲ୍ଲା ପୋଲିସ ।"
ଯେଉଁ ୨ ଜଣଙ୍କୁ ଧରାଯାଇଥିଲା ସେମାନଙ୍କୁ ପଚରାଉଚରା କରାଯାଇଥିଲା । ପଚରାଉଚରାରୁ ପୁରା ମାମଲା ସମ୍ପର୍କରେ ଜଣାପଡିଥିଲା । ଜଙ୍ଗଲ ମଧ୍ୟରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା । ୧୧ଟି ଜିଲ୍ଲା ପୋଲିସ ସହଯୋଗ କରିଥିଲା । ଏହି ମାମଲାରେ ୩ କୋଟି ୫୧ ଲକ୍ଷ, ଗୋଟିଏ ଦେଶୀ ବନ୍ଧୁକ ଓ ବୋଲେରୋ ଜବତ କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ।
ଏହାମଧ୍ୟ ପଢନ୍ତୁ... ସୁନା ଦୋକାନରୁ ଲୁଟ୍ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ |
ଅନ୍ୟପଟେ ଚୋରି ହୋଇଥିବା ମଦ ଭାଟିର ମ୍ୟାନେଜର ରାକେଶ କୁମାର କହିଛନ୍ତି,"ରାତିରେ ଶୋଇବାକୁ ଯିବାବେଳେ ରାତି ୧୧ଟାରୁ ୧୨ଟା ମଧ୍ୟରେ ଡକାୟତମାନେ ଆସିଥିଲେ । ଆମମାନଙ୍କୁ ରଶିରେ ବାନ୍ଧି ଦେଇ ଚୋରି କରି ଚାଲିଯାଇଥିଲେ । ସେମାନେ ହିନ୍ଦୀରେ କଥା ହେଉଥିଲେ ।"
ଇଟିଭି ଭାରତ, ଭୁବନେଶ୍ୱର/କଳାହାଣ୍ଡି