ଝାରସୁଗୁଡ଼ା: ପୂରଣ ହେଲା ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ । ଆଜି ଠାରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ବିମାନ ସେବା ଆରମ୍ଭ ହୋଇଛି । ସେପଟେ ଆସନ୍ତାକାଲି ରାୟପୁରକୁ ମଧ୍ୟ ଉଡ଼ିବ ଷ୍ଟାର୍ ଏୟାର ବିମାନ । ଉଡ଼ାନ ଯୋଜନାରେ ସପ୍ତାହକୁ ୩ ଦିନ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିବ ବିମାନ । ଆଜି ଏହାର ଶୁଭାରମ୍ଭ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ।
ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ବିମାନ ସେବା:
ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୪ଟା ୩୫ ମିନିଟ୍ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ ଓ ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍ରେ ଅବତରଣ କରିବ । ଏହି ୩ ଦିନ ହିଁ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍ରେ ଏଠାରେ ଅବତରଣ କରିବ ।
ଝାରସୁଗୁଡ଼ାରୁ ରାୟପୁରକୁ ବିମାନ ସେବା:
ସେହିପରି ସପ୍ତାହକୁ ୪ ଦିନ ଅର୍ଥାତ୍ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୬ଟା ୩୫ ମିନିଟ୍ରେ ଝାରସୁଗୁଡ଼ାରୁ ରାୟପୁର ଅଭିମୁଖେ ବିମାନ ଉଡ଼ାଣ ଭରିବ । ସେଠାରେ ସନ୍ଧ୍ୟା ୭ଟା ୨୫ ମିନିଟ୍ରେ ଅବତରଣ କରିବ । ସେଠାରୁ ପୁଣି ସନ୍ଧ୍ୟା ୭ଟା ୫୫ ମିନିଟ୍ରେ ଉଡ଼ାଣ ଭରି ଝାରସୁଗୁଡ଼ାରେ ରାତି ୮ଟା ୪୫ ମିନିଟ୍ରେ ଅବତରଣ । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ । ସେପଟେ ଆସନ୍ତା ମାର୍ଚ୍ଚ ପ୍ରଥମରୁ ଇଣ୍ଡିଗୋ ବିମାନ ଝାରସୁଗୁଡାରୁ ମୁମ୍ବାଇକୁ ସେବା ପ୍ରଦାନ କରିବା ନେଇ ସୂଚନା ମିଳିଛି ।
'ଝାରସୁଗୁଡ଼ାରୁ ମୁମ୍ବାଇକୁ ଆରମ୍ଭ ହେବ ବିମାନ ସେବା':
ଏନେଇ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ କହିଛନ୍ତି,"ଆଜି ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିଛି ବିମାନ । ସପ୍ତାହକ ୪ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦିନ ବିମାନ ଚଳାଚଳ କରିବ । ସେହିପରି ଫେବ୍ରୁଆରୀ ୨ ତାରିଖଠାରୁ ହାଇଦ୍ରାବାଦରୁ ଝାରସୁଗୁଡ଼ ଦେଇ ରାୟପୁରକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି l ସପ୍ତାହକ ତିନି ଦିନ ଅର୍ଥାତ ରବିବାର, ସୋମବାର ଏବଂ ବୁଧବାର ଏହି ରୁଟ୍ରେ ବିମାନ ଚଳାଚଳ କରିବ । ସେହିପରି ଆସନ୍ତା ମାର୍ଚ୍ଚରୁ ମୁମ୍ବାଇକୁ ମଧ୍ୟ ବିମାନ ଚଳାଚଳ କରିବ । "
'ଝାରସୁଗୁଡ଼ା ଜିଲ୍ଲାର ସାମଗ୍ରୀକ ବିକାଶ ହେବ'
ଏନେଇ ବିଧାୟକ ଝାରସୁଗୁଡ଼ା ଟଙ୍କଧର ତ୍ରିପାଠୀ କହିଛନ୍ତି," ଆଜିଠାରୁ ଲକ୍ଷ୍ନୌକୁ ବିମାନ ଚଳାଚଳ କରିବା ଏକ ଆନନ୍ଦର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଯୋଗୁଁ ଝାରସୁଗୁଡାରୁ ବିଭିନ୍ନ ସହରକୁ ବିମାନ ସେବା ଯୋଡି ହେଉଛି । ଏହାଦ୍ୱାରା ଜିଲ୍ଲାର ସାମଗ୍ରିକ ବିକାଶ ମଧ୍ୟ ହେବ ।"
ଇଟିଭି ଭାରତ,ଝାରସୁଗୁଡ଼ା