ଓଡିଶା

odisha

ETV Bharat / politics

ଦିଦିଙ୍କୁ ମନେଇବାରେ ଫେଲ ମାରିଲା କଂଗ୍ରେସ, ବରହମପୁରରୁ ଅଧୀରଙ୍କ ବିରୋଧରେ ଲଢିବେ ୟୁସୁଫ୍‌ - Adhir Chowdhury

Adhir Chowdhury vs Yusuf Pathan from Bengal: ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଦିଦିଙ୍କୁ ମନେଇ ପାରିଲାନି କଂଗ୍ରେସ । ବଙ୍ଗ ପିସିସି ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ଲଢିବେ ୟୁସୁଫ୍‌ ପଠାନ । ଅଧିକ ପଢନ୍ତୁ

ଦିଦିଙ୍କୁ ମନେଇବାରେ କଂଗ୍ରେସ ଫେଲ, ବରହମପୁରରୁ ଅଧୀରଙ୍କ ବିରୋଧରେ ୟୁସୁଫ୍‌
ଦିଦିଙ୍କୁ ମନେଇବାରେ କଂଗ୍ରେସ ଫେଲ, ବରହମପୁରରୁ ଅଧୀରଙ୍କ ବିରୋଧରେ ୟୁସୁଫ୍‌ଦିଦିଙ୍କୁ ମନେଇବାରେ କଂଗ୍ରେସ ଫେଲ, ବରହମପୁରରୁ ଅଧୀରଙ୍କ ବିରୋଧରେ ୟୁସୁଫ୍‌

By ETV Bharat Odisha Team

Published : Mar 10, 2024, 8:25 PM IST

ହାଇଦ୍ରାବାଦ:ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା ଦେଲେ ମମତା ବାନାର୍ଜୀ । ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଆସନ ବୁଝାମଣା ଦ୍ବନ୍ଦ୍ବ ଦୂର କରିବାରେ ସଫଳ ହୋଇଥିଲେ ସୁଦ୍ଧା ପଶ୍ଚିମବଙ୍ଗରେ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ସେପିରି କିଛି ସଫଳତା ହାସଲ କରିପାରିନି । ଦୀର୍ଘ ଦିନର ଉଦ୍ୟମ ପରେ ମଧ୍ୟ ମମତାଙ୍କୁ ମେଣ୍ଟରେ ବାନ୍ଧି ରଖିବାରେ କଂଗ୍ରେସ ସଫଳ ହୋଇପାରିନି । ପୂର୍ବରୁ ରାଜ୍ୟରେ ଏକାକୀ ଲଢିବାର ଚେତାବନୀ ଦେଇଥିବା ମମତା ଆଜି ମାତ୍ର ଗୋଟିଏ ଥରରେ ରାଜ୍ୟର ସମସ୍ତ 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଓ ଏହାର ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା ଦେଇଛନ୍ତି ।

ଦୁଇ ଦଳ ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନଙ୍କ ଚୌଧୁରୀଙ୍କ ଭୂମିକା ସାମ୍ନାକୁ ଆସିଥିଲା । ଅଧୀରଙ୍କ ଯୋଗୁ ଆସନ ବୁଝାମଣା ଅଟକି ରହିଥିବା ଓ ଦ୍ବନ୍ଦ୍ବ ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ଧରି ଉଭୟ ଦଳ ମଧ୍ୟରେ ଏହି ଆଲୋଚନା ଗୋପନୀୟ ଭାବେ ଚାଲିଥିଲେ ସୁଦ୍ଧା ଏହା ଫଳପ୍ରଦ ନିଷ୍କର୍ଷରେ ପହଞ୍ଚି ପାରିଲାନାହିଁ । ଆଜି ଟିଏମସି ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପିସିସି ସଭାପତି ଅଧୀରଙ୍କ ପାରମ୍ପରିକ ଆସନ ବରହମପୁରରୁ ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନରୁ ଏବେ ଅଧୀର ସାଂସଦ ରହିଛନ୍ତି ।

କଂଗ୍ରେସ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରିନଥିଲେ ସୁଦ୍ଧା ଅଧୀର ରଞ୍ଜନ ଚୌଧୁରୀ ପୁଣିଥରେ ବରହମପୁରରୁ ଲଢିବା ଏକପ୍ରକାର ସ୍ପଷ୍ଟ । ତେବେ ଏହି ଆସନରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ୟୁସୁଫଙ୍କ ସହ ତାଙ୍କର ସିଧା ଲଢେଇ ହେବ । ତେବେ ରାଜନୀତିରେ ନବାଗତ ହୋଇଥିବା ୟୁସୁଫ ଜଣେ ସଫଳ ଅନ୍ତର୍ଜାତୀୟ କ୍ରିକେଟର ଓ ସେ ପୂର୍ବରୁ ଭାରତୀୟ ଟିମକୁ ପ୍ରତିନିଧିତ୍ବ କରିସାରିଛନ୍ତି । ସେହି ଦୃଷ୍ଟିରୁ ରାଜ୍ୟରେ ତାଙ୍କର ଲୋକପ୍ରିୟତା ମଧ୍ୟ ରହିଛି । ତେଣୁ ଏହି ଆସନରେ ନିଜ ନବାଗତ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ବିଜୟୀ ହେବା ରାଜନୀତିରେ ବେଶ ଅନୁଭବୀ ଅଧୀରଙ୍କ ପାଇଁ ଏତେ ସହଜ ହୋଇନପାରେ ବୋଲି ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି ।

ଏହା ମଧ୍ୟ ପଢନ୍ତୁ:- 42 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କଲେ ଦିଦି: ୟୁସୁଫ ଓ ରଚନାଙ୍କୁ ଟିକେଟ, ନୁସରତ ଆଉଟ୍‌

ମମତା ପୂର୍ବରୁ କଂଗ୍ରେସକୁ ମାତ୍ର ଦୁଇଟି ଆସନ ଛାଡିବା ପାଇଁ ରାଜି ହୋଇଥିଲେ । ହେଲେ କଂଗ୍ରେସ ଏଥିରେ ସହମତି ପ୍ରକାଶ ନକରିବା ପରେ ଦୁଇ ପାର୍ଟି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହା ପରେ ମମତା ସିଧା କଂଗ୍ରେସ ଉପରେ ଆକ୍ରମଣ କରିଥିଲେ । ରାଜ୍ୟରେ ଏକାକୀ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ଘୋଷଣା କରି ‘ଇଣ୍ଡିଆ’ ମେଣ୍ଟର କନ୍ଦଳକୁ ପଦାରେ ପକାଇ ବିରୋଧୀଙ୍କ ସମାଲୋଚନାର ଅବସର ଦେଇଥିଲେ ଦିଦି । ଦିଦିଙ୍କ ନାଲିଆଖିରେ କଂଗ୍ରେସ ବ୍ୟାକଫୁଟକୁ ଚାଲିଯାଇଥିଲା ।

ମମତାଙ୍କ ବିନା ‘ଇଣ୍ଡିଆ’ ମେଣ୍ଟ ସମ୍ଭବ ନୁହେଁ ବୋଲି କହି ଦଳ ସେତେବେଳେ ଦିଦିଙ୍କ କ୍ରୋଧ ଶାନ୍ତ କରିବାକୁ ସମସ୍ତ ପ୍ରୟାସ କରିଥିଲା । ହେଲେ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ମମତାଙ୍କୁ ବୁଝାଇବାରେ କଂଗ୍ରସ ସଫଳ ହୋଇନି । ମେଣ୍ଟ ମାଧ୍ୟମରେ ମୋଦି ହାଓ୍ବା ବିରୋଧରେ ଲଢିବାକୁ ବିରୋଧୀଙ୍କ ନେତୃତ୍ବ ନେଇଥିବା କଂଗ୍ରେସକୁ ଦିଦିଙ୍କ କ୍ୟାମ୍ପରୁ ଆଜି ବଡ ଝଟକା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details