ଓଡିଶା

odisha

ଜମ୍ମୁରେ ଅହରହ ଗର୍ଜୁଛି ବନ୍ଧୁକ, ମୋଦିଙ୍କ ନୂଆ କାଶ୍ମୀରରେ 'ଶାନ୍ତି' ଆଜି ବି ସ୍ବପ୍ନ: ହିଂସା ରୋକିପାରିବ କି ନିର୍ବାଚନ ? - Frail Peace In Naya Kashmir

By ETV Bharat Odisha Team

Published : Jul 26, 2024, 1:57 PM IST

Terror Surge in Jammu, Frail Peace In 'Naya Kashmir': ଚଳିତ ବର୍ଷ ଶେଷ ବେଳକୁ ଜମ୍ମୁ-କାଶ୍ମୀରରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ହେଲେ ଏହା ପୂର୍ବରୁ ଏଠାରେ ଆତଙ୍କୀ ହାମ୍‌ଲା ବଢିଚାଲିଛି । ପ୍ରତିଦିନ କେଉଁଠି ନା କେଉଁଠି ଗୁଳି ଫୁଟୁଛି । ଫଳରେ ମୋଦିଙ୍କ 'ନୂଆ କାଶ୍ମୀର'ରେ ଶାନ୍ତି ଦୁର୍ବଳ ହେଉଛି । ଏମିତିରେ ଏଠି ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ କ'ଣ ଏହି ହିଂସା ଓ ଆକ୍ରମଣକୁ ନିୟନ୍ତ୍ରଣ କରିପାରିବ ? ପଢନ୍ତୁ ଏନେଇ ସଞ୍ଜୟ କପୁରଙ୍କ ଆଲେଖ୍ୟ

ଜମ୍ମୁରେ ଅହରହ ଗର୍ଜୁଛି ବନ୍ଧୁକ, ମୋଦିଙ୍କ ନୂଆ କାଶ୍ମୀରରେ 'ଶାନ୍ତି' ଆଜି ବି ସ୍ବପ୍ନ: ଏହି ହିଂସା ରୋକିପାରିବ କି ବିଧାନସଭା ନିର୍ବାଚନ
ଜମ୍ମୁରେ ଅହରହ ଗର୍ଜୁଛି ବନ୍ଧୁକ, ମୋଦିଙ୍କ ନୂଆ କାଶ୍ମୀରରେ 'ଶାନ୍ତି' ଆଜି ବି ସ୍ବପ୍ନ: ଏହି ହିଂସା ରୋକିପାରିବ କି ବିଧାନସଭା ନିର୍ବାଚନ (ETV Bharat Odisha)

ହାଇଦ୍ରାବାଦ:କିଛି ଦିନ ହେବ ଜମ୍ମୁ-କାଶ୍ମୀରର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଖୁବ୍ ସକ୍ରିୟ ହୋଇଉଠିଛନ୍ତି ଆତଙ୍କବାଦୀ । ପ୍ରତିଦିନ ଜମ୍ମୁରେ କେଉଁଠି ନା କେଉଁଠି ଗୁଳି ଫୁଟୁଛି । ଯେଉଁ କାରଣରୁ ଏବେ କାଶ୍ମୀରରୁ ଧ୍ୟାନ ହଟାଇ ଜମ୍ମୁର କମ୍ ଆତଙ୍କୀ ପ୍ରବଣ ଅଞ୍ଚଳକୁ ଅଧିକ ଫୋକସ୍ କରାଯାଉଛି । ଆଉ ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏମିତିରେ ବୁଲେଟ୍ ଉପରେ ବାଲାଟ ଜିତିବ ନା ଚୀନ୍ ଏବଂ ପାକିସ୍ତାନକୁ ନେଇ ଭାରତକୁ ପୁଣିଥରେ ଦୁଇପଟୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ ?

Terror Surge in Jammu, Frail Peace In 'Naya Kashmir' (ETV Bharat Odisha)

ଜମ୍ମୁରେ ଭାରତୀୟ ସେନା ଉପରେ ହଠାତ୍ ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇବା, ସମୀକ୍ଷକଙ୍କୁ ପାକିସ୍ତାନ ଓ ଚୀନ ସୀମାରେ ସ୍ଥିରତା ଏବଂ ଚଳିତ ବର୍ଷ ଶେଷରେ ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ନିର୍ବାଚନ ଉପରେ ଏହାର ପ୍ରଭାବ ଚିନ୍ତା କରିବାକୁ ବାଧ୍ୟ କରୁଛି । ଏହି ଆକ୍ରମଣ ଅନେକଗୁଡିକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି । ଯେମିତିକି, ଏହା କ'ଣ ଭାରତ ପାଇଁ ଚୀନ ଓ ପାକିସ୍ତାନ ସହିତ ଦୁଇପଟୁ ଲଢେଇର ସଙ୍କେତ ? କାଶ୍ମୀର ସୌନ୍ଦର୍ଯ୍ୟର ଉପଭୋଗ ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଘାଟିକୁ ଛୁଟୁଥିବାବେଳେ ଏହି ଆତଙ୍କୀ ଆକ୍ରମଣ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି ।

କିଛି ଦିନ ତଳେ ରଇସି ସହରରେ ଆତଙ୍କବାଦୀମାନେ ଏକ ତୀର୍ଥଯାତ୍ରୀ ବସ୍‌କୁ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ବସ୍ ଏକ ଖାଇକୁ ଖସିପଡିଥିଲା ଏବଂ ୧୦ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ଜୁନ ୯ ତାରିଖରେ ଏହି ଭୟଙ୍କର ଆକ୍ରମଣ ହୋଇଥିଲା, ଯେଉଁଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିଲେ । ସେବେଠାରୁ ଜମ୍ମୁରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢିଚାଲିଛି । ବିଶେଷକରି ଜମ୍ମୁର ଡୋଡା, କାଠୁଆ ଓ ରଇସି ଜିଲ୍ଲାରେ ମୃତାହତ ଅଧିକ ରହୁଛି, ଯାହା ଅନେକ ବର୍ଷ ହେଲା ଶାନ୍ତ ପଡିଥିଲା ।

Terror Surge in Jammu, Frail Peace In 'Naya Kashmir' (ETV Bharat Odisha)

କାହିଁକି ଆତଙ୍କୀଙ୍କ ଟାର୍ଗେର ଅଛି ଜମ୍ମୁ ଅଞ୍ଚଳ:

ଏହି ଆତଙ୍କୀ ହାମଲା କାଶ୍ମୀରକୁ ଛାଡି ଏବେ କମ୍ ଆତଙ୍କୀ ପ୍ରଭାବିତ ଜମ୍ମୁ ଅଞ୍ଚଳରେ ସେନାର ପୁରା ଧ୍ୟାନ କେନ୍ଦ୍ରିତ କରିଛି । ରଣନୀତିକ ବିଶେଷଜ୍ଞଙ୍କ କହିବା କଥା, ୨୦୨୦ ଜୁନରେ ଗଲୱାନ ଘାଟି ସଂଘର୍ଷ ପରେ ଚୀନର ମୁକାବିଲା ପାଇଁ ସୁରକ୍ଷାବଳକୁ ଜମ୍ମୁରୁ ଲଦାଖ ସ୍ଥାନାନ୍ତର କରାଯାଇଛି । ଚୀନ ସଂଲଗ୍ନ ଭାରତୀୟ ଅଞ୍ଚଳରେ ସେନା ନିଜର ସ୍ଥିତି ମଜବୁତ କରୁଛି । ଏଥିରୁ ଅନୁମାନ କରାଯାଇପାରେ ଯେ, ଯଦି ଭାରତ-ଚୀନ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢେ, ତାହେଲେ ଇସଲାମବାଦ ଓ ବେଜିଂ ପରସ୍ପର ମିଳିତ ଭାବେ ସାମରିକ ଅପରେସନ ଚଳାଇବେ ଏବଂ ଏହା ଯୋଗୁଁ ଭାରତରେ ଆତଙ୍କୀ ଗତିବିଧି ବଢିପାରେ, ଯାହା ଏବେ ଦେଖିବାକୁ ମିଳୁଛି ।

ବିଶେଷଜ୍ଞ ଦାବି ଯେ, ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଲଜିଷ୍ଟିକ ସାମଗ୍ରୀ ଉପଲବ୍ଧ ରହୁଛି । ଯେହେତୁ ଅଧିକାଂଶ ଆତଙ୍କୀ ପାକିସ୍ତାନ ପଟୁ ଆସୁଛନ୍ତି, ତେଣୁ ସେମାନଙ୍କୁ ପାକିସ୍ତାନ ଏବଂ ଚୀନଠୁ ସହାୟତା ମିଳିବା ସ୍ବାଭାବିକ । ପାକିସ୍ତାନ ପଟୁ ଆସି ଆତଙ୍କବାଦୀମାନେ ଭାରତ ସୀମାରେ ପ୍ରବେଶ କରିବା, ପାକିସ୍ତାନୀ ସେନାର ଅଗୋଚରେ ହୋଇନପାରେ । ଏହି ଆତଙ୍କବାଦୀମାନେ ନିଜ ଦମରେ ଗୋଟିଏ ଶକ୍ତିଶାଳୀ ସେନାର ମୁକାବିଲା କରିବାକୁ ଅସମର୍ଥ । ତେବେ ଏଠି ପ୍ରଶ୍ନ ଉଠୁଛି, ପାକିସ୍ତାନ ଏବଂ ଏହାର ସରକାର ସଙ୍କଟ ଦେଇ ଗତି କରୁଥିବାବେଳେ ପାକିସ୍ତାନୀ ସେନା କାହିଁକି ଏମିତି କରୁଛି ?

Terror Surge in Jammu, Frail Peace In 'Naya Kashmir' (ETV Bharat Odisha)

ଏନେଇ ପ୍ରତିରକ୍ଷା ବିଶେଷଜ୍ଞ କହିବା କଥା ହେଲା, ପାକିସ୍ତାନୀ ସେନା ଦେଖାଇବାକୁ ଚାହୁଁଛି ଯେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ଲୋକଙ୍କ ପ୍ରତି ଆତଙ୍କବାଦୀଙ୍କ ସମର୍ଥନ ରହିଛି । ଯଦି ସେନା ଗାଡି ଆଗରେ ରୋଡ ଅପନିଂ ପାର୍ଟି ରହିବେ, ତାହେଲେ ଏହି ଗାଡିଗୁଡିକ ଉପରେ ଆତଙ୍କୀ ହାମ୍‌ଲା ରୋକାଯାଇପାରିବ । ସେନା ବ୍ୟବହାର କରୁଥିବା ପ୍ରତି ବୁଲେଟ ପ୍ରୁଫ ଜିପ୍‌ର ମୂଲ୍ୟ ଦେଢ କୋଟି ଟଙ୍କା । ଏହି ଜିପ୍‌କୁ କେବଳ ଆରଡିଏକ୍ସ ଭଳି ଶକ୍ତିଶାଳୀ ବୋମା ବିସ୍ଫୋରଣ ଦ୍ବାରା ହିଁ ଉଡାଯାଇପାରିବ ।

ଆକ୍ରମଣ ସତ୍ତ୍ବେ କାଶ୍ମୀରକୁ ପର୍ଯ୍ୟଟକଙ୍କ ସୁଅ:

ସବୁଠୁ ରୋଚକ କଥା ହେଲା, ଆତଙ୍କୀ ହାମଲା କାଶ୍ମୀର ଘାଟିର ପର୍ଯ୍ୟଟନକୁ ଆଦୌ ପ୍ରଭାବିତ କରିପାରିନି । ବର୍ତ୍ତମାନ ସମୟରେ କେବଳ ଶ୍ରୀନଗର ନୁହଁ, ସାରା କାଶ୍ମୀରରେ ଗୋଟିଏ ହୋଟେଲ ରୁମ୍ ମିଳିବା କଷ୍ଟକର । ଯଦି ବି ସାଧାରଣ ରୁମ୍‌ଟିଏ ମିଳୁଛି, ତା'ର ମୂଲ୍ୟ ଏକ ତିନି ତାରକା ହୋଟେଲ ସହ ପ୍ରାୟ ସମାନ । ହାଉସବୋଟଗୁଡିକ ମଧ୍ୟ ଫୁଲ୍ ରହୁଛି । ସେହିପରି ଲାଲ୍ ଚୌକ ଏବଂ ଡାଉନ ଟାଉନରେ ଊର୍ଦ୍ଧୁ ଭଳି ଅଧିକ ଗୁଜୁରାଟୀ, ମରାଠୀ, ବଙ୍ଗାଳି ଏବଂ ହିନ୍ଦୀ ଭାଷା ଶୁଣିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଫେରେନ (ଲମ୍ବା କାଶ୍ମୀର ପୋଷାକ) ଓ ଡ୍ରାଏ ଫୁଟ୍‌ସ ପାଇଁ ମୂଲଚାଲ କରୁଥିବାର ନଜର ଆସୁଛନ୍ତି । ଯାହାକୁ ଦେଖିଲେ, ଏହି ସ୍ଥାନ ଯେ କେବେ ଦଶନ୍ଧି ଦଶନ୍ଧି ଧରି ହିଂସା ପ୍ରପୀଡିତ ଥିଲା ବୋଲି କହିବା ମୁସ୍କିଲ ହେବ ।

କ'ଣ ଏହା କାଶ୍ମୀରରେ ଶାନ୍ତି ଫେରିବାର ସଙ୍କେତ ନୁହେଁ କି ? ଯାହାକୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ ପରେ 'ନୂଆ କାଶ୍ମୀର' (Naya Kashmir) ବୋଲି କହୁଛନ୍ତି । ଏପରି ଅନେକ ଗୁଡିକ ଘଟଣା ଏହି ମୁସଲିମ ବହୁଳ ସହରରେ ବଡ ପରିବର୍ତ୍ତନର ଇସାରା କରୁଛି । ଅନେକ କାଶ୍ମୀର ପଣ୍ଡିତ ଘାଟିରେ ବର୍ଷ ବର୍ଷ ହେଲା ରହିଆସୁଛନ୍ତି । ଏବେ ସକାଳେ ମସଜିଦର ଆଜାନ ସହିତ ମନ୍ଦିରରୁ 'ହର୍ ହର୍ ମହାଦେବ'ର ଶବ୍ଦ ଶୁଣାଯାଉଛି । କିଛି ବର୍ଷ ପୂର୍ବରୁ ଶ୍ରୀନଗର ମନ୍ଦିରରେ ଭଗବାନଙ୍କ ପ୍ରାର୍ଥନା ଶୁଣାଯିବା ସମସ୍ତଙ୍କ କଳ୍ପନା ବାହାରେ ଥିଲା ।

Terror Surge in Jammu, Frail Peace In 'Naya Kashmir' (ETV Bharat Odisha)

ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ଭାରତର ଏହି ଭୂସ୍ବର୍ଗ ବୁଲାବୁଲି ପାଇଁ ଆସୁଥିବାରୁ ସହରର ଜାଗା ଜାଗାରେ ପ୍ରଶାସନ ପକ୍ଷରୁ ସୁରକ୍ଷାବଳ ମୁତୟନ କରାଯାଇଛି । ପର୍ଯ୍ୟଟନ ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବା ପରେ ଜଣାପଡୁଛି ଯେ, ସେମାନେ ଏହି ପରିବର୍ତ୍ତନକୁ ନେଇ ଖୁସି ଅଛନ୍ତି ଏବଂ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । କିନ୍ତୁ ଏବେ ବି କାଶ୍ମୀରରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇପାରିନି । ଏବେ ବି ସାଧାରଣ କାଶ୍ମୀରବାସୀ କିଛି କହିବା ପୂର୍ବରୁ ଆଉ କେହି ତାଙ୍କ କଥା ଶୁଣିନାହିଁ ତ ଜାଣିବାକୁ ଏପାଖ ସେପାଖ ଦେଖୁଛି । ସେମାନେ ଜାଣିପାରୁ ନାହାନ୍ତି, କିଏ ତାଙ୍କର ମିତ୍ର ଆଉ କିଏ ଶତ୍ରୁ ।

ଜଣେ ସ୍ଥାନୀୟ କାଶ୍ମୀର ସାଲ୍ ଦୋକାନୀ କହିଛନ୍ତି, ଘାଟିରେ ରଙ୍ଗ ବେରଙ୍ଗୀ ବୋଲି କିଛି ନାହିଁ । ସତ କେବଳ କଳା ଓ ଧଳା । ଏଠି କେହି ରାଜନୈତିକ ପ୍ରତିନିଧି ନାହାନ୍ତି ଯିଏ ସେମାନଙ୍କ ଭାବନାକୁ ବ୍ୟକ୍ତ କରିପାରିବେ । ଯଦି ଆତଙ୍କବାଦୀ ଅଞ୍ଚଳରେ ପଶି ସ୍ଥାନୀୟ ସମର୍ଥନ ପାଉଛନ୍ତି ତାହେଲେ ଏହାର ଏକ କାରଣ ହେଲା, ସେମାନେ ଏବେ ବି ସେମାନଙ୍କ ପ୍ରତି ସହାନୂଭୁତି ରଖୁଛନ୍ତି ।

Terror Surge in Jammu, Frail Peace In 'Naya Kashmir' (ETV Bharat Odisha)

ବିଧାନସଭା ନିର୍ବାଚନ ଏବଂ କ୍ଷମତାର ସନ୍ତୁଳନ:

ଦୀର୍ଘ ୬ ବର୍ଷ ହେଲା ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନକୁ ନେଇ ଲୋକମାନେ ଖୁବ୍ ଆଶାବାଦୀ ଅଛନ୍ତି । ଏହା ଭିନ୍ନ ବିଷୟ ଯେ, ନିର୍ବାଚିତ ସରକାର ଆସିବା ମଧ୍ୟ ଜମ୍ମୁ-କାଶ୍ମୀରରେ ପୋଲିସ ଓ ଅଧିକାରଙ୍କ ଅଦଳବଦଳି କ୍ଷମତା ରାଜ୍ୟପାଳଙ୍କ ହାତରେ ରହିବ, ଯେମିତି ଦିଲ୍ଲୀରେ ହେଉଛି । କିନ୍ତୁ ଯାହା ବଡ଼ ପରିବର୍ତ୍ତନ ହେବ, ତା' ହେଲା ରାଜ୍ୟ ସରକାର ଆତଙ୍କବାଦୀ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବେ ।

ଯଦି ବାସ୍ତବରେ ନିର୍ବାଚନ ହୁଏ (ହିଂସା ଯୋଗୁଁ ବିଳମ୍ବ ନହୁଏ), ଏହା ଏକ ଭିନ୍ନ କାଶ୍ମୀର ହେବ ଯେଉଁଠି ସେମାନେ ରହିବେ । ଧାରା ୩୭୦ ଉଚ୍ଛେଦ ପରଠୁ ଫାରୁକ ଅବଦୁଲ୍ଲା, ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ଭଳି ନେତମାନଙ୍କର ରାଜନୀତିରେ ଗୁରୁତ୍ବ କମିଯାଇଛି । ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଓମାର ଅବଦୁଲ୍ଲା ଜେଲରେ ବନ୍ଦ ଥିବା ଇଞ୍ଜିନିୟର ରସିଦଠାରୁ ପରାଜିତ ହୋଇଥିଲେ । ତେଣୁ ନିର୍ବାଚରେ ରସିଦ୍ ଭଳି ନେତାମାନେ କ୍ଷମତାକୁ ଆସିବାର ସମ୍ଭାବନା ଅଧିକ, ଯଦି ସେମାନେ ରାଜ୍ୟରେ ପ୍ରଚଳିତ କ୍ଷମତା ସନ୍ତୁଳନ ଓଲଟାଇ ପାରିବେ ତ । ତେବେ ଏଠି ବଡ ପ୍ରଶ୍ନ ହେଲା, ସ୍ଥାନୀୟ କାଶ୍ମୀରବାସୀ ହେଉ ଅବା ଅନୁପ୍ରବେଶକାରୀଙ୍କ ଦ୍ବାରା ସଂଗଠିତ ହିଂସା କ'ଣ ଏହି ନିର୍ବାଚନ ଦ୍ବାରା ଶେଷ ହୋଇଯିବ ?

Disclaimer-ପ୍ରକାଶିତ ଲେଖଟି ଲେଖକଙ୍କ ନିଜସ୍ୱ ମତ । ‘ଇଟିଭି ଭାରତ’ର ଏହି ଆଲେଖ୍ୟ ସହିତ କୌଣସି ନିଜସ୍ୱ ମତାମତ କିମ୍ବା ଆଭିମୁଖ୍ୟ ରଖୁନାହିଁ ।

ABOUT THE AUTHOR

...view details