କଟକ: ଚଳିତବର୍ଷ ଜନ୍ମସ୍ଥାନରେ ପାଳିତ ହେବ ଭାରତୀୟ ସ୍ବାଧୀନତା ସଂଗ୍ରାମର ଅଦ୍ବିତୀୟ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ‘ପରାକ୍ରମ ଦିବସ’ । ଜାନୁଆରୀ ୨୩ ତାରିଖରେ କଟକରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ସତ୍ୟବ୍ରତ ଷ୍ଟାଡିୟମରେ ଏହି ୩ ଦିନିଆ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଯୁଗ୍ମ ସଚିବ ଓ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ବରିଷ୍ଠ ଅଧିକାରୀମାନେ ଆଜି ଉଭୟ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
- ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ହେବ କାର୍ଯ୍ୟକ୍ରମ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକରେ ହୋଇଥିଲା । ତେଣୁ କଟକ ଓଡ଼ିଆ ବଜାର ସ୍ଥିତ ତାଙ୍କ ପୈତୃକ ବାସଭବନରେ ତିନି ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି । ଆଜି ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।
- ୨୦୨୧ରେ କେନ୍ଦ୍ର ଘୋଷଣା କରିଥିଲା ‘ପରାକ୍ରମ ଦିବସ’
ବର୍ଷ ୨୦୨୧ରେ କେନ୍ଦ୍ର ସରକାରଙ୍କ ଦ୍ବାରା ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ଘୋଷଣା କରାଯାଇଥିଲା । ସେବେଠାରୁ ପ୍ରତ୍ୟକ ବର୍ଷ ନେତାଜୀ ଜୟନ୍ତୀରେ ଏହାକୁ ଜାତୀୟ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏହାର ପ୍ରଥମ ବର୍ଷ କାର୍ଯ୍ୟକ୍ରମ କୋଲକାତାରେ ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଚଳିତଥର ଏହି କାର୍ଯ୍ୟକ୍ରମ କଟକରେ ଆୟୋଜିତ ହେବାକୁ ଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ମାତ୍ର ଏନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନି ।
ଏହା ମଧ୍ୟ ପଢନ୍ତୁ:- 'ଗାଥା ଓଡ଼ିଶାର:ବନ୍ଦେ ଉତ୍କଳ ଜନନୀ'ରେ ଓଡ଼ିଆ ଅସ୍ମିତାର ଝଲକ, ପ୍ରବାସୀଙ୍କୁ କଲା ମନ୍ତ୍ରମୁଗ୍ଧ - GATHA ODISHARA |
- କ୍ଷେତ୍ର ପରିଦର୍ଶନ କଲା କେନ୍ଦ୍ରୀୟ ଟିମ୍
ଚଳିତବର୍ଷ ଏହି ଦିବସର ଆୟୋଜନ କଟକରେ କରିବା ପାଇଁ ସଂସ୍ଥାକୁ ଦାୟିତ୍ବ ମିଳିଥିବା ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ’ର ଅତିରିକ୍ତ ମହାନିର୍ଦ୍ଦେଶକ ଆନନ୍ଦ ମଧୁକର ସ୍ପଷ୍ଟ କରିଛନ୍ତି । ସେହିପରି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୁରମିତ ସିଂ ଚାୱଲା କହିଛନ୍ତି,‘‘ ଏହି ଦିବସରେ ୩ ଦିନ ବ୍ୟାପୀ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନେତାଜୀଙ୍କ ସଂଗ୍ରାମମୟ ଜୀବନ ସହ ଜଡିତ ଘଟଣାବଳୀକୁ ପ୍ରଦର୍ଶିତ କରାଯିବ । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଦର୍ଶକ ଆସିବେ ଓ ନେତାଜୀଙ୍କ ପରାକ୍ରମ ସମ୍ପର୍କରେ ଜାଣିବାକୁ ପାଇବେ । ଏହି ଦିବସରେ ମୁଖ୍ୟଅତିଥି ଭାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଆସିବା ନେଇ ଯେଉଁ ସୂଚନା ରହିଥିଲା, ତାହା ଆଉ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।’’
ଇଟିଭି ଭାରତ, କଟକ