ଢେଙ୍କାନାଳ: ପ୍ରସିଦ୍ଧ ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ । ଗତକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜୋରନ୍ଦା ଅଲେଖ ମହିମା ଗାଦିରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସନ୍ଧ୍ୟାରେ ଜୋରନ୍ଦାରେ ପହଞ୍ଚିଥିଲେ । ପରେ ମହିମା ଗାଦିର ଧୁନି ମନ୍ଦିର ପରେ ଭଜନ ମଣ୍ଡପ ତାପରେ ନୀତି ମନ୍ଦିର ଓ ଗାଦି ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ଦଳକ ସ୍ଥିତ କୌପନୀଧାରୀ ମହିମା ସମାଜ ଅଖଣ୍ଡ ଜ୍ୟୋତି ମନ୍ଦିର ସାନ ମଠ ଗାଦିକୁ ଯାଇ ଆଶୀର୍ବାଦ ନେଇଥିଲେ । ସେହିପରି ଉଭୟ ବିକଳ ଓ କୌପନୀ ସାଧୁଙ୍କ ପୀଠର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
'ଅର୍ଥର କୌଣସି ଅଭାବ ନାହିଁ': ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ଏଠାକୁ ବହୁତ ଦିନରୁ ଆସିବା ପାଇଁ ମୋର ଅଭିପ୍ରାୟ ଥିଲା । ଓଡ଼ିଶାର ଦାୟିତ୍ବ ନେଲା ପରେ ମୁଁ ଆସି ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଛି । ଗତ ସରକାର ଏହି ପୀଠର ଉନ୍ନତିକରଣ ପାଇଁ ଘୋଷଣା କରିଥିଲେ ମଧ୍ୟ କାହିଁକି କାର୍ଯ୍ୟ ଅଟକି ରହିଲା ମୁଁ ଜାଣିନାହିଁ । କୌପନୀଧାରୀ ମହିମା ସମାଜର ଉପାସନା ପୀଠକୁ ଭାଙ୍ଗି ଦେଇଥିବାରୁ ସାଧୁମାନେ କ୍ଷୋଭ ପ୍ରକାଶ କରୁଥିଲେ ।"
![CM MOHAN MAJHI VISITED JORANDA](https://etvbharatimages.akamaized.net/etvbharat/prod-images/15-02-2025/od-dkl-01-cm-visits-joranda-avb-od10032_15022025072331_1502f_1739584411_538.jpg)
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି "ଏଠାକାର ବିକାଶ ପାଇଁ ମୁଁ ଜିଲ୍ଲାପାଳଙ୍କୁ ଡିପଆର୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଡିପଆର୍ ଅନୁସାରେ କାର୍ଯ୍ୟ କରିବା ପାଇଁ ଅର୍ଥର କୌଣସି ଅଭାବ ନାହିଁ । ଧାର୍ମିକ ପୀଠରେ ରାଜନୀତି ପଶିଲେ ଏକ ନକରାତ୍ମକ ଭାବନା ସୃଷ୍ଟି କରେ । ତେବେ ଆମ ସରକାର ଯାହା କୁହେ ତାହା କରିଦେଖାଏ । ମହିମା ଧର୍ମର ବିକାଶ ଓ ମହିମା ଗାଦିର ଭବ୍ୟ ମନ୍ଦିର ନିର୍ମାଣ କରିବା ସହ ବିଶ୍ୱରେ ଏହି ପୀଠର ପ୍ରଚାର ପ୍ରସାର ପାଇଁ ଆମ ସରକାର ସମସ୍ତ ଉଦ୍ୟମ କରିବେ । ପୂର୍ବ ସରକାର କରିଥିବା ଘୋଷଣା ଠାରୁ ଆହୁରି ଅଧିକ ଉନ୍ନତି କରିବୁ । "
![CM MOHAN MAJHI VISITED JORANDA](https://etvbharatimages.akamaized.net/etvbharat/prod-images/15-02-2025/od-dkl-01-cm-visits-joranda-avb-od10032_15022025072331_1502f_1739584411_212.jpg)
'କଥା ଦେଇ କଥା ରଖିଲୁ':
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଜୋରନ୍ଦା ବ୍ଲକ ହେଉ କିମ୍ବା ଏନଏସି ସବୁଠି ବିକାଶ କରାଯିବ । ଫାଣ୍ଡିକୁ ଥାନାରେ ରୂପାନ୍ତର, ବାଇପାସ ନିର୍ମାଣ, ଡାକ୍ତର ଖାନାର କଳେବର ବୃଦ୍ଧି ଆଦି କରିବାକୁ ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ କରାଯିବ। ଆମ ସରକାର ସମୟରେ ଧାର୍ମିକ ପୀଠଗୁଡ଼ିକର ନିଶ୍ଚିତ ଉନ୍ନତି କରିବେ । ଆମ ସରକାର ଚାଷୀ, ଗରିବ , ବେକାରୀ ସମସ୍ୟା ପ୍ରତି ଧ୍ୟାନ ଦେଇ ଶିଳ୍ପ ଏବଂ ପର୍ଯ୍ୟଟନ ଆଦିର ଉନ୍ନତି ଦିଗରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସୁଛି । ସୁଭଦ୍ରା ଯୋଜନା ହେଉ କି ଧାନ ଏମଏସପି ହେଉ ବା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ହେଉ ସବୁ ଆମେ କଥା ଦେଇ କଥା ରଖିଲୁ । "
![CM MOHAN MAJHI VISITED JORANDA](https://etvbharatimages.akamaized.net/etvbharat/prod-images/15-02-2025/od-dkl-01-cm-visits-joranda-avb-od10032_15022025072331_1502f_1739584411_547.jpg)
![CM MOHAN MAJHI VISITED JORANDA](https://etvbharatimages.akamaized.net/etvbharat/prod-images/15-02-2025/23547229_fff-1.jpg)
ଏହି ଅବସରରେ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ରୁଦ୍ର ନାରାୟଣ ପାଣି , ହିନ୍ଦୀଲ ଓ ପରଜଙ୍ଗ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେ କାର ଯୋଗେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ମହିମା ସାଧୁମାନେ ଉତ୍ସାହିତ ରହିଥିଲେ ।
![CM MOHAN MAJHI VISITED JORANDA](https://etvbharatimages.akamaized.net/etvbharat/prod-images/15-02-2025/23547229_fewfg-2.jpg)
ଇଟିଭି ଭାରତ, ଢେଙ୍କାନାଳ