ଦମାସକସର ପତନ କାବୁଲ, ଢାକା, କଲମ୍ବୋ ଘଟଣାକୁ ମନେ ପକାଇଥାଏ ଯେଉଁଠାରେ ଦେଶର ମୁଖ୍ୟ ନିଜ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ । ଅସଦ ଶାସନ ଏବଂ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଦୀର୍ଘ ଏବଂ ରକ୍ତାକ୍ତ ବିବାଦ ଡିସେମ୍ବର 8ରେ ଅସଦ ସରକାରଙ୍କ ପତନ ସହ ସମାପ୍ତ ହୋଇଛି । ବିଦ୍ରୋହୀ ଗୋଷ୍ଠୀ ଦମାସକସକୁ ଦଖଲ କରିବା ସହ ଅସଦଙ୍କୁ ଋଷିଆ ଚାଲିଯିବାକୁ ବାଧ୍ୟ କରିଛନ୍ତି । ସେଠାରେ ତାଙ୍କର ଦୀର୍ଘ ଦିନର ସହଯୋଗୀ ଭ୍ଲାଦିମିର ପୁଟିନ ଆଶ୍ରୟ ଦେଇଛନ୍ତି ।
ସିରିୟାର ବର୍ତ୍ତମାନର ସ୍ଥିତିକୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ସହିତ ତୁଳନା କରାଯାଇପାରେ, ଯେଉଁଠାରେ ଆଭ୍ୟନ୍ତରୀଣ ଅସ୍ଥିରତା ସରକାରକୁ ଗାଦିଚ୍ୟୁତ କରିବା ସହ ଛାତ୍ର ନେତୃତ୍ୱ ଦେଶକୁ ନିୟନ୍ତ୍ରଣ କରିଥିଲା କିମ୍ବା ଆଫଗାନିସ୍ତାନ ଯେଉଁଠାରେ ତାଲିବାନ ସମଗ୍ର ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ।
ତେବେ ନିକଟରୁ ଦେଖିଲେ ଜଣାପଡେ ଯେ, ଏହା କେବଳ ଜଣେ ଅତ୍ୟାଚାରୀ ଶାସକ ବିରୋଧରେ ଲୋକଙ୍କ ଲଢେଇ ନୁହେଁ ବରଂ ଏହି ସଂଘର୍ଷର ବ୍ୟାପକ ରୂପ ରହିଛି । ୨୦୧୧ ମସିହାରେ ସିରିୟାରେ ହୋଇଥିବା ଜନ ବିଦ୍ରୋହ ହିଂସାତ୍ମକ ରୂପ ନେଇଥିଲା । ଅସଦ ସରକାର ଏହି ଜନ ବିଦ୍ରୋହକୁ କଠୋର ଭାବେ ଦମନ କରିଥିଲେ । ବିକ୍ଷୋଭକାରୀଙ୍କୁ ଜେଲ ପଠାଯିବା ସହ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ନିଖୋଜ ମଧ୍ୟ ହୋଇଯାଇଥିଲେ । ଏହାମଧ୍ୟରେ ଅନେକ ଶକ୍ତିଶାଳୀ ଦେଶ ମଧ୍ୟପ୍ରାଚ୍ୟରେ ନିଜର ପ୍ରଭୁତ୍ୱ ଜାହିର କରିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଥିଲେ ।
ଇସ୍ରାଏଲ ବିରୋଧରେ ସଂଘର୍ଷକୁ ଇନ୍ଧନ ଯୋଗାଇଥିବା ଶକ୍ତିଗୁଡିକ ହେଲା ଅସଦ ଏକଛତ୍ରବାଦୀ ଶାସନ, ଲେବାନନ୍ ହିଜବୁଲ୍ଲା ଏବଂ ଇରାନର ରିଭୋଲ୍ୟୁସନାରୀ ଗାର୍ଡ । ଅସଦ ଶାସନ ଅଧୀନରେ ସିରିୟାରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲା । ବିଶେଷ କରି ଇସ୍ରାଏଲ୍-ହମାସ୍ ବିବାଦ ପରେ ଏହାର ଗୁରୁତର ପ୍ରଭାବ ଉଭୟ ଲେବାନନ୍ ଅର୍ଥନୀତି ଏବଂ ଇରାନର ଅର୍ଥନୀତି ଉପରେ ପଡିଥିଲା । 'ହମାସ' ଯୁଦ୍ଧର ସାମ୍ନା କରିବା ପରେ ଅସଦ ତାଙ୍କ ସାମରିକ ସୈନ୍ୟମାନଙ୍କୁ ଦରମା ଦେବାରେ ଅସମର୍ଥ ଥିବାରୁ ବିଦ୍ରୋହୀ ଗୋଷ୍ଠୀ ଶକ୍ତି ହାସଲ କରି ଏକ ସମନ୍ୱିତ ଆନ୍ଦୋଳନ ଆରମ୍ଭ କରିଥିଲେ । ଆଲେପ୍ପୋ, ଇଡଲିବ ଠାରୁ ଆରମ୍ଭ କରି ସାମା ଦେଇ ଜାରି ରହି ଶେଷରେ ଦମାସକସକୁ ନିୟନ୍ତ୍ରଣ କରି ସବୁ ଦିଗରୁ ଏକୀକୃତ ଆକ୍ରମଣ ହେତୁ ବଶର ଅଲ ଅସଦ 50 ବର୍ଷରୁ ଅଧିକ ରାଜବଂଶର ଶାସନ ଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ। ଦେଶର ସବୁଠାରୁ ବଡ ସଶସ୍ତ୍ର ଗୋଷ୍ଠୀ HTS (ହୟାତ୍ ତହରିର ଅଲ୍-ସାମ୍) ଯାହା ଦମାସକସ ସମେତ ଦେଶର ପ୍ରମୁଖ ସାମରିକ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ।
ସିରିଆ ସ୍ଥିତି ଓ ପାଶ୍ଚାତ୍ୟ ଦେଶ ଗୁଡିକର ପ୍ରତିକ୍ରିୟାକୁ ଦେଖି ଏହା କୁହାଯାଇପାରେ ଯେ ମଧ୍ୟପ୍ରାଚ୍ୟର ପଶ୍ଚିମ ଦେଶ ଗୁଡିକୁ ଏହା ରଣନୈତିକ ସୁବିଧା ପ୍ରଦାନ କରୁଛି ଓ ଇରାନକୁ ଏହାର କ୍ଷତି ପହଞ୍ଚାଉଛି । ଅସଦ ଶାସନର ପତନର କାରଣ ହେଉଛି ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ, ତେହେରାନର ଦଶନ୍ଧି ଧରି ଚାଲିଆସୁଥିବା ରଣନୀତି ଓ ଏହି ଅଞ୍ଚଳର ଆତଙ୍କବାଦୀ ଗୋଷ୍ଠୀଙ୍କୁ ସମର୍ଥନ କରିବା । ସମଗ୍ର ପଶ୍ଚିମ ଏସିଆରେ ଇସ୍ରାଏଲ ବିରୁଦ୍ଧରେ ଲଢେଇ ଜାରି ରଖିବା ପାଇଁ ଯାହା ଆବଶ୍ୟକ ଥିଲା ତାହା ସମର୍ଥନ କରିବାରେ ସିରିୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ଆଇଆରଜି, ହିଜବୁଲ୍ଲା ଓ ଅସଦ ଶାସନ ମଧ୍ୟରେ ଦମାସକସ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ ରହିଥିଲା । ଦେଶରେ ଅସଦ ସରକାରଙ୍କ ନିରଙ୍କୁଶ ଶାସନ କରିବା ବିରୋଧରେ ଜନବିଦ୍ରୋହ ମୁଣ୍ଡ ଟେକିଥିବା ଜାଣି ସୁଦ୍ଧା ଇରାନ ଅସଦ ସରକାରଙ୍କୁ ସମର୍ଥନ କରିବା ନିର୍ଣ୍ଣୟ ତ୍ରୁଟିପୂର୍ଣ୍ଣ ଥିଲା । ଯାହା ସିରିୟାର ସାଧାରଣ ନାଗରିକଙ୍କ ଆଇଆରଜି ଉପରେ ବିଶ୍ୱସନୀୟତାକୁ ଦୁର୍ବଳ କରିଦେଇଥିଲା ।
ଇରାନ ଦ୍ବାରା ଅସଦ ଏକଛତ୍ରବାଦୀ ଶାସନକୁ ନିସର୍ତ୍ତ ସମର୍ଥନ ଦେଖାଇବା ପରେ ପାଲେଷ୍ଟାଇନ କାରଣରୁ ସୁନ୍ନି ଓ ସିଆ ଦେଶମଧ୍ୟରେ ବିଭାଜନ ଦେଖିବାକୁ ମିଳିଥିଲା । ଇସ୍ରାଏଲକୁ ଘେରି ରହିଥିବା ସିଆ ରାଷ୍ଟ୍ରମାନେ ଇସ୍ରାଏଲ ସୈନ୍ୟ ବିରୋଧରେ ସକ୍ରିୟ ଥିବା ବେଳେ ସୁନ୍ନି ଦେଶମାନେ ପାଲେଷ୍ଟାଇନ ପ୍ରତି ସୀମିତ ସମର୍ଥନ ପ୍ରଦର୍ଶନ କରିଥିଲେ । ଇସ୍ରାଏଲ୍ ଏବଂ ଆମେରିକା ଏହି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦମାସକସ HTS ଅଧିନକୁ ଯିବା ପରେ ତୁରନ୍ତ ଏକ ବିବୃତ୍ତିରେ କହିଛନ୍ତି ଯେ, ଆମେରିକା ସିରିୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଏଥିସହ, ବାଇଡେନ ଆଉ ଏକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ଯେଉଁଠାରେ ସେ ଉଲ୍ଲେଖ କରିଛନ୍ତି ଯେ, ଆମେରିକା କିଛି ସିରିୟା ଗୋଷ୍ଠୀକୁ ସମର୍ଥନ କରିଛି ।
ଇସ୍ରାଏଲ ସୀମାର ସ୍ଥିତିକୁ ଦେଖିଲେ ଅସଦ ଶାସନ ବିରୋଧରେ ହୋଇଥିବା ଏହି ବିଦ୍ରୋହ ପୂର୍ବ ଯୋଜନାବଦ୍ଧ ବୋଲି ଅନୁମାନ କରାଯାଇପାରେ । ଦେଶ ଭିତରେ ଏକାଠି ହୋଇ ଆକ୍ରମଣ, ଜଣେ ଇଞ୍ଜିନିୟରରୁ ରାଜନେତା ହେବା ଓ ତାଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିବା ଇସ୍ରାଏଲ, ତୁର୍କୀ, ଋଷିଆ, ଇରାନ, ଆମେରିକା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛି । ସିରିୟା ସୀମାରେ ଇସ୍ରାଏଲ ମୁକ୍ତ କ୍ଷମତା ଉପଭୋଗ କରୁଥିବାରୁ ଋଷ ଓ ଇରାନ ଉଭୟଙ୍କୁ ଗୋଟିଏ ତୀରରେ ଝଟକା ଲାଗିଛି ।
ଏହାମଧ୍ୟ ପଢନ୍ତୁ.. Opinion: ଟ୍ରମ୍ପ 2.0ରେ ଦାଗୀ ବ୍ୟକ୍ତିଙ୍କ ଚୟନ ଅରାଜକତା ସୃଷ୍ଟି କରିପାରେ
ସିରିୟାକୁ ନିଜ ଅଧୀନକୁ ନେଇଥିବା ବାହିନୀ ଏହି ଅଞ୍ଚଳରେ ସ୍ଥିରତା ଫେରାଇ ଆଣି ପାରିବେ ବୋଲି ଅନ୍ତର୍ଜାତୀୟ ସମୁଦାୟର ବିଶ୍ୱାସ ଜିତିବା ପାଇଁ ହେଲେ ନିଜର ଶକ୍ତି ଓ କୌଶଳ ପ୍ରଦର୍ଶନ କରିବାକୁ ପଡିବ । ତେବେ ଏହା ଦେଖିବାକୁ ବାକି ରହିଲା ଯେ ସିରିୟା ଆଫଗାନିସ୍ତାନ ରାସ୍ତାରେ ଯିବ ନା ସରକାର ଗଠନ କରିବାରେ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରିବ ।