ମେକ୍ସିକୋ ସିଟି:ମେକ୍ସିକୋର ଉତ୍ତରପଶ୍ଚିମ ରାଜ୍ୟ ସିନାଲୋଆରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ 19ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ରୁ ଅଧିକ ଆହତ ହୋଇଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ସମୟରେ ବସରେ ପାଖାପାଖି 37 ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ପରେ 2ଟି ଗାଡିରେ ନିଆଁ ଲାଗିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ମଙ୍ଗଳବାର ଦିନ ମେକ୍ସିକୋରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମେକ୍ସିକୋର ଉତ୍ତରପଶ୍ଚିମ ରାଜ୍ୟ ସିନାଲୋଆ ଠାରେ ପ୍ରଶାନ୍ତ ସାଗରର ଉପକୂଳବର୍ତ୍ତୀ ଏକ ରାଜରାସ୍ତାରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ 19ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ରୁ ଅଧିକ ଆହତ ହୋଇଛନ୍ତି । ସିନାଲୋଆର ରାଜ୍ୟ ନାଗରିକ ସୁରକ୍ଷା କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, 'ଏହି ଅଘଟଣ ଏଲୋଟା ଟାଉନ ନିକଟରେ ଘଟିଛି । ତେବେ ଦୁର୍ଘଟଣା ଖବର ପାଇବା ପରେ ତୁରନ୍ତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।