ହାଇଦ୍ରାବାଦ: ଧ୍ବଂସାଭିମୁଖୀ ଆକ୍ରମଣ, ନରସଂହାର ପରେ ଏବେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବାର ସମ୍ଭାବନା ଉଜ୍ଜୀବିତ ହୋଇଛି । ଆମେରିକା ଓ ଫ୍ରାନ୍ସର ମଧ୍ୟସ୍ଥତାରେ ଇସ୍ରାଏଲ ଓ ଲେବାନନ ଯୁଦ୍ଧବିରତି ପାଇଁ ସହମତ ହୋଇଛନ୍ତି । ଉଭୟ ପଟୁ ସାମରିକ ଅପରେସନ ବନ୍ଦ ରଖାଯିବା ସହ ଆକ୍ରମଣ ପ୍ରତିଆକ୍ରମଣ ହେବନାହିଁ ବୋଲି ଚୁକ୍ତିନାମା ସ୍ବୀକୃତ ହୋଇଛି । ଗତକାଲି (ମଙ୍ଗଳବାର) ଇସ୍ରାଏଲ ସରକାର ଏହି ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରିଥିବା ବେଳେ ଲେବାନନ ପକ୍ଷ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ଫଳରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବାର ସମ୍ଭାବନା ବଢିଛି ।
- ସୂଚନା ଦେଲେ ବାଇଡେନ:-
ଏହି ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ସୂଚନା ଦେଇଛନ୍ତି । ଏହି ଅସ୍ତ୍ରବିରତି ନିଷ୍ପତ୍ତି ଲେବାନନବାସୀଙ୍କ ପାଇଁ ଏକ ନୂତନ ଅଧ୍ୟାୟ ହେବ ବୋଲି ବାଇଡେନ ଆଶାବ୍ୟକ୍ତ କରିଛନ୍ତି । ଆଜି ସକାଳୁ ଏହି ଚୁକ୍ତିନାମାର ସର୍ତ୍ତାବଳୀ କାର୍ଯ୍ୟକାରୀ ହେବ ବୋଲି ଗତକାଲି ବାଇଡେନ କହଥିଲେ ।
- ‘ହିଜବୁଲ୍ଲା’ ବିରୋଧରେ ଦୀର୍ଘ 14 ମାସ ହେଲା ଅପରେସନ ଜାରି ରଖିଥିଲା ଇସ୍ରାଏଲ:-
ଲେବାନନରୁ ଇରାନ ସମର୍ଥନରେ କାର୍ଯ୍ୟ କରୁଥିବା ଆତଙ୍କୀ ଗୋଷ୍ଠୀ ‘ହିଜବୁଲ୍ଲା’ ବିରୋଧରେ ଦୀର୍ଘ 14 ମାସ ଧରି ଇସ୍ରାଏଲ ସେନା ସାମରିକ ଅପରେସନ ଜାରି ରଖିଥିଲା । ଗାଜାରୁ ସଞ୍ଚାଳିତ ହେଉଥିବା ପାଲେଷ୍ଟାନୀୟ ଆତଙ୍କୀ ସଂଗଠନ ‘ହମାସ’ର ମୂଳପୋଛ ପରେ ‘ହିଜବୁଲ୍ଲା’କୁ ସମୂଳେ ସଫା କରିବା ପାଇଁ ଇସ୍ରାଏଲ ସେନା ମିଶନ ଜାରି ରଖିଥିଲା । ହିଜବୁଲ୍ଲାର ଏକାଧିକ ଠିକଣାକୁ ଟାର୍ଗେଟ କରିବାକୁ ଯାଇ ‘ଇସ୍ରାଏଲ ଡିଫେନ୍ସ ଫୋର୍ସ’ (ଆଇଡିଏଫ) ଲେବନନ ରାଜଧାନୀ ବେରୁତ ସମେତ ଏକାଧିକ ଠିକଣାରେ ଘନ ଘନ ଏୟାର ଷ୍ଟ୍ରାଇକ୍, ଡ୍ରୋନ ଷ୍ଟ୍ରାଇକ୍ ଓ ଗ୍ରାଉଣ୍ଡ ଅପରେସନ ମଧ୍ୟ କରିଥିଲା । ଏଥିରେ ‘ହିଜବୁଲ୍ଲା’ ମୁଖ୍ୟ ହାସନ ନସରହ୍ଲା ସମେତ ଏକାଧିକ ଶୀର୍ଷ କମାଣ୍ଡର ମଧ୍ୟ ନିପାତ ହୋଇସାରିଛନ୍ତି । ତେବେ ହିଜବୁଲ୍ଲାର ଏକାଧିକ ଠିକଣା ବେରୁତ ସହର ସମେତ ସାଧାରଣ ଜନବସତିରେ ଥିବାରୁ ସାଧାରଣ ନାଗରିକଙ୍କ ଜୀବନହାନୀ ମଧ୍ୟ ହୋଇଥିଲା । ଏଥିପାଇଁ ଇସ୍ରାଏଲ ଉପରେ ଅନ୍ତର୍ଜାତୀୟ ଚାପ ବଢିଥିଲା ।
- ଆମେରିକା ଓ ଫ୍ରାନ୍ସ ଦେଇଥିଲେ ଯୁଦ୍ଧବିରତି ପ୍ରସ୍ତାବ
ହିଜବୁଲ୍ଲା ଏବେ ପ୍ରାୟ ନିଶ୍ଚିହ୍ନ ହୋଇସାରିଛି । ଇସ୍ରାଏଲର ଅପରେସନ ବନ୍ଦ କରିବା ପାଇଁ ଆମେରିକା ଓ ଫ୍ରାନ୍ସ ଯୁଦ୍ଧବିରତି ପ୍ରସ୍ତାବ ଦେଇଥିଲେ । ଗତକାଲି ଏହାକୁ ନେତାନ୍ୟାହୁ କ୍ୟାବିନେଟ ଗ୍ରହଣ କରିଛି । ଅନ୍ୟପଟେ ଲେବନନ ସେନା ମଧ୍ୟ ଏଥିରେ ସହମତ ହୋଇଛି । ‘ହିଜବୁଲ୍ଲା’ ପକ୍ଷରୁ ଲେବାନନ ସରକାରଙ୍କ ପ୍ରତିନିଧି ଏହି ଶାନ୍ତି ଚୁକ୍ତିରେ ଆଲୋଚନା କରିଥିଲେ । ଉଭୟ ଦେଶର ଆଧିକାରିକ ସଶସ୍ତ୍ର ବଳ କୌଣସି ସାମରିକ ଅପରେସନ କରିବେ ନାହିଁ । ଯଦି ‘ହିଜବୁଲ୍ଲା’ ଇସ୍ରାଏଲ ବିରୋଧରେ କୌଣସି ଆକ୍ରମଣ କରେ, ତେବେ ଏହା ବିରୋଧରେ କଡା ଜବାବ ମିଳିବା ନେଇ ନେତାନ୍ୟାହୁ ପ୍ରଶାସନ ଚେତାବନୀ ଦେଇଛି ।
ଏହା ମଧ୍ୟ ପଢନ୍ତୁ:-ଚରମ ସୀମାରେ ହାଇବ୍ରିଡ ଯୁଦ୍ଧ କୌଶଳ - ISRAEL ATTACK ON HEZBOLLAH
- ହମାସ ଆକ୍ରମଣ ପରେ ଅଶାନ୍ତ ମଧ୍ୟପ୍ରାଚ୍ୟ:-
ଗତବର୍ଷ (2023) ଅକ୍ଟୋବର 7 ତାରିଖରୁ ଇସ୍ରାଏଲ ଉପରେ ‘ହମାସ’ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଉଠିଥିଲା । ‘ହମାସ’ ଆକ୍ରମଣରେ ପ୍ରାୟ 14 ଶହ ଇସ୍ରାଏଲୀ ନାଗରିକ ଓ ଯବାନ ନିହତ ହେବା ପରେ ଇସ୍ରାଏଲ ସେନା ଅପରେସନ ‘ଆଇରନ ସୋର୍ଡ’ ଆରମ୍ଭ କରିଥିଲା । ଏଥିରେ ଭୂମଧ୍ୟ ସାଗର ଉପକୂଳରେ ଥିବା ପାଲେଷ୍ଟାନୀୟ ସହର ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇସାରିଛି । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜାରେ ରହୁଥିବା ପ୍ରାୟ 40 ହଜାର ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ପୂରା ଗାଜା ସିଟି ଏବେ ଧ୍ବସଂସ୍ତୂପରେ ପରିଣତ ହୋଇଛି । ସେହିପରି ‘ହମାସ’ ସଂଗଠନର ରାଜନୈତିକ ମୁଖ୍ୟ ଇସମାଇଲ ହାନିଏଙ୍କ ସମେତ ପ୍ରାୟ ସମସ୍ତ କମାଣ୍ଡରଙ୍କୁ ନିପାତ କରିସାରିଛି ଇସ୍ରାଏଲ ।
- ଇସ୍ରାଏଲକୁ ଆକ୍ରମଣ କଲା ଇରାନ :-
ଏହାରି ମଧ୍ୟରେ ଇରାନ ସମର୍ଥିତ ‘ହିଜବୁଲ୍ଲା’ ଉତ୍ତର-ଇସ୍ରାଏଲ ଅଞ୍ଚଳରେ ଆକ୍ରମଣ କରିବାରୁ ଇସ୍ରାଏଲ ମଧ୍ୟ ରାଜଧାନୀ ବେରୁତ ସମେତ ଲେବନନର ଏକାଧିକ ସହରରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ପରେ ତେହେରାନରେ ହମାସ ନେତା ଇସମାଇଲଙ୍କୁ ଇସ୍ରାଏଲ ସିକ୍ରେଟ ସର୍ଭିସ ହତ୍ୟା କରିବା ପରେ ଇରାନ ଉତକ୍ଷିପ୍ତ ହୋଇଥିଲା ଓ ସିଧାସଳଖ ଇସ୍ରାଏଲକୁ ଆକ୍ରମଣ ମଧ୍ୟ କରିଥିଲା । ଏକାଧିକ ରକେଟ ମାଡ କରି ଇରାନ ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଚ ଦେଇଥିଲା । ଇସ୍ରାଏଲ ଆକ୍ରମଣରେ ‘ହମାସ’ ପରି ‘ହିଜବୁଲ୍ଲା’ ମଧ୍ୟ ହମାସ ପରି ନିଶ୍ଚିହ୍ନ ହୋଇସାରିଛି । ଉଭୟ ଗାଜା ଓ ଲେବନନରେ ହଜାର ହଜାର ସାଧାରଣ ଲୋକଙ୍କ ପ୍ରାଣହାନୀ ପରେ ମାନବୀୟ ସଙ୍କଟକୁ ନେଇ ସାରା ବିଶ୍ବବ୍ୟାପୀ ଉଦବେଗ ପ୍ରକାଶ ପାଇଥିଲା । ଏବେ ଇସ୍ରାଏଲ-ଲେବନନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ହେବା ପରେ ମଧ୍ୟପ୍ରାଚ୍ୟର ଉତ୍ତେଜନା ପ୍ରଶମିତ ହେବା ନେଇ ଆଶା ସଞ୍ଚାର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ