ହାଇଦ୍ରାବାଦ: ବିଧିବଦ୍ଧ ଶପଥ ଗ୍ରହଣ ପୂର୍ବରୁ ଆକ୍ସନମୋଡକୁ ଆସିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି (ନାମିତ) ଡୋନାଲ୍ଡ ଟ୍ରମ୍ପ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମାମଲାରେ ଟ୍ରମ୍ପ ହସ୍ତକ୍ଷେପ କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଟ୍ରମ୍ପ ଟେଲିଫୋନିକ ବାର୍ତ୍ତାଳାପରେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଭୟ ନେତା ଏକ ସକରାତ୍ମକ ଦିଗରେ ଆଲୋଚନା କରିଥିବା ସୂତ୍ରରୁ ସୂଚନା ମିଳିଛି ।
ଆମେରିକାର ପ୍ରମୁଖ ଗଣମାଧ୍ୟମ ‘ଓ୍ବାଶିଂଟନ ପୋଷ୍ଟ’ରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଚର୍ଚ୍ଚିତ ବାର୍ତ୍ତାଳାପ ସମ୍ପର୍କରେ ଖବର ପ୍ରସାରିତ ହୋଇଛି । ଉଭୟ ନେତା ୟୁରୋପ ମହାଦେଶରେ ସ୍ଥିରତା ଓ ଉତ୍ତେଜନା ହ୍ରାସ କରିବା ଦିଗରେ ଆଲୋଚନା କରିଛନ୍ତି । ୟୁକ୍ରେନ ଯୁଦ୍ଧର ଏକ ଦୀର୍ଘସ୍ଥାୟୀ ସମାଧାନ ବାହାର କରିବା ପାଇଁ ଉଭୟଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏ ସମ୍ପର୍କରେ ହ୍ବାଇଟ ହାଉସ କିଛି ପ୍ରକାଶ କରିନି ।
- 70 ରାଷ୍ଟ୍ରମୁଖ୍ୟଙ୍କ ସହ କଥା ହୋଇସାରିଲେଣି ଟ୍ରମ୍ପ
ନିର୍ବାଚନ ଜିତିବା ପରେ 70 ଦେଶର ମୁଖ୍ୟଙ୍କ ସହ କଥା ହୋଇ ସାରିଲେଣି ଟ୍ରମ୍ପ । ଏମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରମୁଖ ଆଗରେ ରହିଛନ୍ତି । ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଟ୍ରମ୍ପଙ୍କୁ ନିର୍ବାଚନୀ ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଏହାରି ମଧ୍ୟରେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଙ୍କଟ ପ୍ରସଙ୍ଗରେ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ପେଣ୍ଟାଗନର ଆଭିମୁଖ୍ୟ କ’ଣ ହେବ, ତାହା ସମଗ୍ର ବିଶ୍ବ ଅପେକ୍ଷା କରିଛି ।
- ବାଇଡେନଙ୍କ ନୀତିକୁ ପରିବର୍ତ୍ତନ କରିବେ କି ଟ୍ରମ୍ପ !
ପୂର୍ବରୁ ବାଇଡେନ ପ୍ରଶାସନ ମଧ୍ୟପ୍ରାଚ୍ୟ ସଙ୍କଟରେ ଇସ୍ରାଏଲକୁ ଖୋଲା ସମର୍ଥନ କରିଆସିଛି । ସେହିପରି ୟୁକ୍ରେନକୁ ମଧ୍ୟ ବିଗତ ଦିନରେ ଆମେରିକା ସାମରିକ ପ୍ୟାକେଜ୍ ଘୋଷଣା କରି ଋଷ ବିରୋଧରେ ଲଢିବାକୁ ବଳ ଯୋଗାଇଛି । ବାଇଡେନଙ୍କ ଏହି ନୀତିକୁ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ବେଳେ ଟ୍ରମ୍ପ ଖୋଲା ସମାଲୋଚନା କରିଥିଲେ । ମଧ୍ୟପ୍ରାଚ୍ୟର ଉଦାହରଣ ଦେଇ ବିଶ୍ବ ତୃତୀୟ ବିଶ୍ବଯୁଦ୍ଧ ମୁହାଁ ହେଉଥିବା ଟ୍ରମ୍ପ କହିଥିଲେ । ଏପରି ସ୍ଥିତିରେ ବାଇଡେନ ବେଳାଭୂମିରେ ଛୁଟି କାଟୁଛନ୍ତି ବୋଲି କହି ଟ୍ରମ୍ପ କଟାକ୍ଷ କରିଥିଲେ ।
- ନିର୍ବାଚନୀ ବିଜୟୀ ଭାଷଣରେ ଯୁଦ୍ଧ କଥା କହିଥିଲେ ଟ୍ରମ୍ପ
ନିର୍ବାଚନରେ ବିଜୟୀ ହେବା ପରେ ଦେଶକୁ ପ୍ରଥମ ସମ୍ବୋଧନରେ ଟ୍ରମ୍ପ ଯୁଦ୍ଧ ବନ୍ଦ କରିବା କଥା ଉଲ୍ଲେଖ କରିଥିଲେ । ସେହିକ୍ରମରେ ସେ ଏବେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଆମେରିକା ୟୁକ୍ରେନକୁ ସମର୍ଥନ କରିବା ସହ ଋଷ ବିରୋଧରେ ଏକାଧିକ କଟକଣା ମଧ୍ୟ ଜାରି କରିଛି । ଏବେ ଆମେରିକାରେ ଶାସନ ପରିବର୍ତ୍ତନ ହେବା ପରେ ଏହାର ପ୍ରଭାବ ମଧ୍ୟ ବିଶ୍ବ ସାମରିକ ଦୃଶ୍ୟପଟ୍ଟରେ ଦେଖାଯାଇପାରେ । ବିଶେଷ କରି ଋଷ-ୟୁକ୍ରେନ ଓ ଇସ୍ରାଏଲ ଯୁଦ୍ଧରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ