ହାଇଦ୍ରାବାଦ: ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ବାସନ ମିଳେ । କାହାର ରଙ୍ଗ ତ ଆଉ କାହାର ଡିଜାଇନ ଲୋକଙ୍କୁ ଆକର୍ଷିତ କରେ । ଏମିତି ସମସ୍ତେ ନିଜ ନିଜ ପସନ୍ଦର ବାସନରେ ଖାଦ୍ୟ ରାନ୍ଧିବା ଓ ଖାଇବାକୁ ଭଲ ପାଆନ୍ତି । କିଛି ଆଲୁମିନିୟମ ବାସନରେ ରୋଷେଇ କରନ୍ତି ତ ଆଉ କିଛି ଷ୍ଟେନଲେସ୍ ଷ୍ଟିଲ କିମ୍ବା ନନଷ୍ଟିକ ବାସନ ପସନ୍ଦ କରନ୍ତି । ବିଭିନ୍ନ ରଙ୍ଗର ଓ ବିଭିନ୍ନ ଡିଜାଇନର ବାସନ ବ୍ୟବହାର କରିବାକୁ ଲୋକେ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି ।
ଯଦି ଗାଁ କଥା କହିବା, ତାହେଲେ ଆଜି ବି ସେଠାରେ ଲୋକମାନେ ରୋଷେଇ ପାଇଁ ମାଟିପାତ୍ର ବା ମାଟି ତିଆରି ହାଣ୍ଡି, କଡେଇ ଅଧିକ ପସନ୍ଦ କରନ୍ତି । ତେବେ କେବେ ଭାବିଛନ୍ତି କି, ଆପଣ ଯେଉଁ ଧାତୁ ନିର୍ମିତ ବାସନ ବ୍ୟବହାର କରୁଛନ୍ତି ତାହା ସ୍ବାସ୍ଥ୍ୟ ପ୍ରତି କେତେ ହିତକର ? କାରଣ ଏପରି ଅନେକ ବାସନ ରହିଛି, ଯେଉଁଥିରେ ଖାଦ୍ୟ ଖାଇବା ଏବଂ ରାନ୍ଧିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ସୁସ୍ଥ ରହିବାକୁ କେବଳ ଭଲ ଖାଦ୍ୟ ନୁହେଁ, ସୁରକ୍ଷିତ ବାସନରେ ମଧ୍ୟ ଜରୁରୀ । କାରଣ ଅଧିକାଂଶ ଧାତୁ ବା ମେଟାଲ ବାସନରେ ବିଷାକ୍ତ କେମିକାଲ ରହିଥାଏ, ଯାହା ଖାଦ୍ୟ ଭିତରକୁ ଯାଇ ଦୂଷିତ କରେ । ତେଣୁ କେଉଁ ବାସନର ରୋଷେଇ କରିବା ସୁରକ୍ଷିତ, ତାହା ଜାଣିବା ଜରୁରୀ ।
ଯଦି ଦେଖାଯାଏ, ଆଜିକାଲି ଆମର ରୋଷେଇ ଘର, ହାଇ-ଟେକ ଜାଗାରେ ବଦଳି ଗଲାଣି । ଯେଉଁଠି ପାରମ୍ପରିକ ମାଟି, ଷ୍ଟିଲ ବାସନ ସ୍ଥାନରେ ନନ-ଷ୍ଟିକ ବାସନ ଜାଗା ନେଲାଣି । କାରଣ ଏହି ବାସନରେ ଖାଦ୍ୟ ଲାଗିନଥାଏ କି ପୋଡିନଥାଏ । ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ । ନିକଟରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ଓ ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ (NIN) ଭାରତୀୟଙ୍କ ପାଇଁ ଆହାର ସମନ୍ଧୀୟ ଗାଇଡଲାଇନ ଜାରି କରିଛି, ଯେଉଁଥିରେ ମାଟିପାତ୍ରକୁ ଅଧିକ ସୁରକ୍ଷିତ ବୋଲି ଦାବି କରାଯାଇଛି ।
ମାଟିପାତ୍ର:
ଖାଦ୍ୟ ରାନ୍ଧିବା ପାଇଁ ମାଟିପାତ୍ର ସବୁଠୁ ସୁରକ୍ଷିତ ଅଟେ । ଏହି ବାସନରେ ରୋଷେଇ କଲେ ଖୁବ୍ କମ୍ ତେଲ ଦରକାର ପଡିଥାଏ । ଏହା ପରିବେଶ ଅନୁକୂଳ ସହିତ ଖାଦ୍ୟର ପୌଷ୍ଟିକତାକୁ ବି ବଜାୟ ରଖେ । ମାଟି ବାସନ ଖାଦ୍ୟରେ ଉତ୍ତାପ ସଂଚାର କରିଥାଏ, ଯଦ୍ବାରା ପୋଷକତତ୍ତ୍ବ ସୁରକ୍ଷିତ ରହିଥାଏ ।
ମେଟାଲ ବାସନ:
ଆମେ ବିଭିନ୍ନ ପ୍ରକାରର ବାସନ ବ୍ୟବହାର କରୁଛେ, ଯାହା ଅଲଗା ଅଲଗା ମେଟାଲରେ ନିର୍ମିତ । ଏଥିରୁ କିଛି ବାସନ ଯେମିତି- ଆଲୁମିନିୟମ, ଲୁହା, ପିତ୍ତଳ କିମ୍ବା ତମ୍ବାରେ ଖାଦ୍ୟ ରାନ୍ଧିବା କିମ୍ବା ରଖିବା ଦ୍ବାରା ଏହା ଖାଦ୍ୟରେ ମିଶିଯାଇଥାଏ । ଆଲୁମିନିୟମ, ଲୁହା, ପିତ୍ତଳ ଓ ତମ୍ବା ବାସନରେ ଆଚାର, ଚଟଣୀ, ସାମ୍ବର ଓ ସସ୍ ଭଳି ଖାଦ୍ୟ ସଂରକ୍ଷଣ କଲେ ଏହା ସୁରକ୍ଷିତ ରହିଥାଏ ।
ଷ୍ଟେନଲେସ୍ ଷ୍ଟିଲ ବାସନ: