ହାଇଦ୍ରାବାଦ: ସାଧାରଣତଃ ସମସ୍ତଙ୍କର କିଛି ନା କିଛି 'ହବି' ବା 'ସଉକ' ରହିଥାଏ । କାହାର ଗୀତ ଗାଇବା, ନାଚିବା ତ ଆଉ କାହାର ପେଣ୍ଟିଂ କରିବା, ଖେଳିବା, ବିଭିନ୍ନ ସ୍ଥାନ ଭ୍ରମଣ କରିବା ଇତ୍ୟାଦି । ଅଧିକାଂଶ ଲୋକେ ନିଜ ପିଲାଦିନ କିମ୍ବା ଯୁବାବସ୍ଥା ପର୍ଯ୍ୟନ୍ତ ନିଜର ଏହି ସଉକ ପୂରଣ କରିଥାନ୍ତି । ମାତ୍ର ବୟସ ବଢିବା ସହ ଉଚ୍ଚଶିକ୍ଷା, ଚାକିରି ନହେଲେ ଘର ସମ୍ଭାଳିବାର ଦାୟିତ୍ବ ମଧ୍ୟରେ ନିଜ ସଉକ ଭୁଲି ଯାଆନ୍ତି । ଏମିତି ଖୁବ୍ କମ୍ ଲୋକ ଅଛନ୍ତି, ଯେଉଁମାନେ ନିଜ ସଉକକୁ କ୍ୟାରିୟର କରିଥାନ୍ତି ଏବଂ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ବି ଏହି ସଉକ ପୁରା କରିବାକୁ ସମୟ ବାହାରି କରିଥାନ୍ତି ।
ମାତ୍ର ଅଧିକାଂଶ ଲୋକେ ଧାଁ ଦୌଡ ଜୀବନରେ ପେଶି ହୋଇ ଓ ବିଭିନ୍ନ କାରଣରୁ ନିଜର ସଉକ ପାଇଁ ସମୟ ଦେଇପାରିନଥାନ୍ତି । ଯେଉଁଥିପାଇଁ ସେମାନେ ମାନସିକ ଚିନ୍ତା, ଅବସାଦର ଶିକାର ହୁଅନ୍ତି । ଖୁସିରେ ରହିପାରି ନଥାନ୍ତି । ଏନେଇ ମନୋବୈଜ୍ଞାନିକଙ୍କ କହିବା କଥା, ନିୟମିତ ଭାବେ ନିଜର ହବି ବା ସଉକ ପାଇଁ କିଛି ସମୟ ବାହାର କରିବା ଆମ ମାନସିକ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏଥିରେ ମନ ପ୍ରଫୁଲ୍ଲ ରହେ ।
ଦିଲ୍ଲୀର ମନୋବୈଜ୍ଞାନିକ ଡ. ରୀନା ଦତ୍ତା କହିଛନ୍ତି, ଜଣେ ବ୍ୟକ୍ତିର ଦୈନିକ ଜୀବନରେ ସକରାତ୍ମକ ଗତିବିଧି ଓ ସଉକ ରହିବା, ମାନସିକ ସ୍ବାସ୍ଥ୍ୟ ଉନ୍ନତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆଜିକା ସମୟରେ ଡିପ୍ରେସନ ଓ ମାନସିକ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । କାର୍ଯ୍ୟଚାପ, ବ୍ୟକ୍ତିଗତ ସମସ୍ୟା, ଆର୍ଥିକ ସମସ୍ୟା ପ୍ରଭୃତି ବିଭିନ୍ନ କାରଣ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ କରୁଛି । ଯାହାର ପରିମାଣସୂରୁପ, ନିରାଶା, ଅବସାଦ, ଏକେଲାପଣ ଓ ଆତ୍ମବିଶ୍ବାସର ଅଭାବ ଭଳି ଅନୁଭବ ହେଉଛି । ଏହି କାରଣରୁ ଶାରିରୀକ ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଉଛି ।
ନିଜର ସଉକ ପାଇଁ ସମୟ ଦିଅନ୍ତୁ:
ଧ୍ୟାନ: ଅନେକ ଲୋକ ମାନସିକ ସ୍ଥିରତା ପାଇଁ ଧ୍ୟାନ ତଥା ମେଡିଟେସନ କରୁଛନ୍ତି । ଧ୍ୟାନ ମାନସିକ ଶାନ୍ତି ପ୍ରଦାନ କରେ ଓ ଚାପ କମାଏ । ଏକାଗ୍ରତା ବୃଦ୍ଧି କରେ । ଫଳରେ ମନକୁ ଶାନ୍ତି ମିଳେ । ମନକୁ ଶାନ୍ତ ଓ ପ୍ରଫୁଲ୍ଲ ରଖିବା ଦ୍ବାରା ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ ।
ବହି ପଢିବା: କୁହାଯାଏ, ବହି ଆମର ସବୁଠୁ ଭଲ ବନ୍ଧୁ । ବହି ପଢିବା ଏକ ରିଲାକ୍ସିଂ ଆକ୍ଟିଭିଟି ଅଟେ । ଭଲ ବହିଟିଏ ପଢିଲେ ମନକୁ ଶାନ୍ତି ମିଳେ । ଅନେକ ଲୋକ ବହି ପଢିବା ବେଳେ ଏତେ ମଜିଯାଆନ୍ତି ଯେ, ନିଜ ସବୁ ଚିନ୍ତା ଭୁଲିଯାଆନ୍ତି । ତେଣୁ ସବୁବେଳେ କିଛି ସମୟ ବାହାର କରି ନିଜ ପସନ୍ଦର ବହିଗୁଡିକ ପଢନ୍ତୁ । ଦେଖିବେ କେତେ ଆରାମ ଅନୁଭବ ହେବ ।
ଗୀତ ଶୁଣିବା: ମନକୁ ଶାନ୍ତ ଓ ଖୁସି ରଖିବାର ଏକ ଭଲ ଉପାୟ ଗୀତ ଶୁଣିବା । ମନୋବୈଜ୍ଞାନିକଙ୍କ କହିବା କଥା, ସଙ୍ଗୀତରେ ଆମର ମାନସିକ ସ୍ଥିତି ବଦଳାଇବାର କ୍ଷମତା ଥାଏ । ଯେତେବେଳେ ଆମେ ଗୀତ ଶୁଣେ, ଆମର ମସ୍ତିଷ୍କ ଡୋପାମାଇନ ତିଆରି କରେ, ଯାହାଫଳରେ ଆମେ ଖୁସି ଅନୁଭବ କରେ ।
କଲରିଂ: ବିଭିନ୍ନ ଚିତ୍ରରେ ରଙ୍ଗ ଦେବା କେବଳ ପିଲାଙ୍କ ପାଇଁ ନୁହେଁ, ବରଂ ବୟସ୍କଙ୍କ ପାଇଁ ମଧ୍ୟ ଏକ ଭଲ ଆକ୍ଟିଭିଟ ଅଟେ । ରଙ୍ଗ କରିବା ଫଳରେ ଷ୍ଟ୍ରେସ ଓ ଟେନସନ କମ୍ ହୁଏ । ଏକାଗ୍ରତା ବଢେ ଓ ମନ ଶାନ୍ତ ଅନୁଭବ ହୁଏ ।
ସାଙ୍ଗମାନଙ୍କ ସହ ବୁଲିବା: ଯେତେବେଳେ ଆପଣଙ୍କ ଦିନ ଠିକ୍ ଚାଲିନଥାଏ ଓ ନିଃସଙ୍ଗ ଅନୁଭବ ହୁଏ, ସେତେବେଳେ ନିଜର ସାଙ୍ଗମାନଙ୍କ ସହ ସମୟ ବିତାଇବା କୌଣସି ଥେରାପି ଠାରୁ କମ୍ ନୁହେଁ । କିଛି ସମୟ ବାହାର କରି ନିଜ ସାଙ୍ଗମାନଙ୍କ ସହ ବୁଲାବୁଲି କରିବାର ପ୍ଲାନ କରନ୍ତୁ । ଏଥିରେ ମନ ଖୁସି ରହିବା ସହ ଆପଣ ଚିନ୍ତାମୁକ୍ତ ଅନୁଭବ କରିବେ ।
ପ୍ରକୃତି ସହ ସମୟ କାଟିବା: ନିଜକୁ ଖୁସି ରଖିବାର ଅନ୍ୟ ଏକ ଉପାୟ ହେଲା, ପ୍ରକୃତି ସହ ସମୟ ବିତାଇବା । ଏହା ମାନସିକ ସ୍ବାସ୍ଥ୍ୟ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ରିସର୍ଚ୍ଚ ଅନୁସାରେ, ପ୍ରାକୃତିକ ବାତାବରଣରେ 90 ମିନିଟ୍ ବିତାଇବା ଫଳରେ ଡିପ୍ରେସନ କମ୍ ହୁଏ, ମସ୍ତିଷ୍କ ଶାନ୍ତ ରହେ ଓ ଆରାମ ଅନୁଭବ ହୁଏ ।
ସୋସିଆଲ ମିଡିଆ ଡିଟକ୍ସ: ଆଜାକାଲି ଆମେ ଯେମିତି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛୁ, ସେଥିରୁ ଏକ ବ୍ରେକ ନେବା ଆମର ମାନସିକ ସ୍ବାସ୍ଥ୍ୟ ପାଇଁ ଅତି ଜରୁରୀ ହୋଇପଡିଛି । ସୋସିଆଲ ମିଡିଆ ନିଜ ଲୋକମାନଙ୍କ ସହ ଯୋଡି ହେବାର ଓ ନିଜ ବିଚାର ରଖିବାର ପ୍ଲାଟଫର୍ମ ଦେବା ସଙ୍ଗେ ସଙ୍ଗେ ନକରାତ୍ମକ ପ୍ରଭାବ ମଧ୍ୟ ପକାଏ । ତେଣୁ ଏଥିରୁ କିଛି ସମୟ ବିରତି ନେବା ଦ୍ବାରା ମନ ସକ୍ରିୟ ରହେ ଏବଂ ଚାପ ଓ ଚିନ୍ତା କମିଥାଏ ।
ଶାରିରୀକ ବ୍ୟାୟାମ: ନିୟମିତ ବ୍ୟାୟାମ କରିବା ଦ୍ବାରା ଠିକ୍ ଭାବେ ରକ୍ତ ସଞ୍ଚାଳନ ହୁଏ ଓ ମସ୍ତିଷ୍କକୁ ଅଧିକ ଅମ୍ଲଜାନ ଯୋଗାଇବାରେ ସାହାଯ୍ୟ କରେ । ବ୍ୟାୟାମ କରିବା ଦ୍ବାରା ମସ୍ତିଷ୍କରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ ଯାହାକି ମସ୍ତିଷ୍କକୁ ସତେଜ ଅନୁଭବ କରାଏ ।
ଡାକ୍ତର ରୀନା ଦତ୍ତା କହିଛନ୍ତି ଯେ, ଦିନକୁ ଅତିକମରେ 30 ମିନିଟ୍ ନିଜ ପସନ୍ଦର କାମ କରିବା ବା ସଉକ ପୁରା କରିବା ମାନସିକ ସ୍ବାସ୍ଥ୍ୟ ଉନ୍ନତ କରିବାରେ ଏକ ପ୍ରଭାବଶାଳୀ ଉପାୟ । ତେଣୁ ତାହା ଗୀତ ଶୁଣିବା ହେଉ ଅବା, ପେଣ୍ଟିଂ କରିବା, ଲେଖିବା, ଗାର୍ଡେନିଂ, କୌଣସି ଖେଳ ଖେଳିବା, ବ୍ୟାୟାମ କରିବା ଇତ୍ୟାଦି । ଏହା କେବଳ ଆମ ମାନସିକ ଶାନ୍ତି ବଢାଏନି ବରଂ ଅଧିକ ସନ୍ତୁଳିତ ଓ ଆନନ୍ଦମୟ କରେ ।
Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।