Polycystic Ovary Syndrome: ମହିଳାଙ୍କ ମଧ୍ୟରେ ପିସିଓଏସ୍ (PCOS) ଏକ ସାଧାରଣ ସମସ୍ୟା । ମାତ୍ର ଅନେକ ଲୋକ ଏହା ବିଷୟରେ ଜାଣିନାହାନ୍ତି । ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା PCOS ହରମୋନ ଅସନ୍ତୁଳନର ଏକ ଅବସ୍ଥା ଯାହା ମହିଳାଙ୍କର ପ୍ରଜନନ ପ୍ରକ୍ରିୟାକୁ ପ୍ରଭାବିତ କରେ । ଯଦି ଆପଣଙ୍କୁ ପିସିଓଏସ ଅଛି, ତାହେଲେ ଠିକ୍ ଭାବେ ମାସିକ ଋତୁସ୍ରାବ ହୋଇନଥାଏ । PCOS ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏ ନାହିଁ କିନ୍ତୁ ଉପଯୁକ୍ତ ଚିକିତ୍ସା, ସନ୍ତୁଳିତ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ ଓ ମାନସିକ ଚାପ କମ୍ କରି ଏହାର ପ୍ରଭାବ କମ୍ କରାଯାଇପାରିବ ।
ପିସିଓଏସ୍ ପୀଡିତ ମହିଳାଙ୍କ ପାଇଁ ଜରୁରୀ ଉପଯୁକ୍ତ ଚିକିତ୍ସା ଓ ସାବଧାନତା:
ପିସିଓଏସ୍ ମହିଳାଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସାଧାରଣ ହରମୋନ ସମସ୍ୟା । ମାତ୍ର ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଦ୍ବନ୍ଦ ଦେଖିବାକୁ ମିଳେ । ଏନେଇ ଉତ୍ତରାଖଣ୍ଡର ମହିଳା ରୋଗ ବିଶେଷଜ୍ଞ ଡଃ ବିଜୟଲକ୍ଷ୍ମୀ କହିଛନ୍ତି, ''କୌଣସି କାରଣରୁ ଯଦି ଶରୀରରେ ଏଣ୍ଡ୍ରୋଜେନ ହରମୋନ ମାତ୍ରା ବଢିଯାଏ, ତାହାଲେ ଡିମ୍ବାଶୟରେ ଥିବା ଡିମ୍ବାଣୁ ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ ଓ ସେଥିରେ ଛୋଟ ଛୋଟ ସିଷ୍ଟ ତିଆରି ହେବାରେ ଲାଗେ । ଏହାର ପରିମାଣସୂରପ ପିରିୟଡସ୍ ବା ମାସିକ ଋତୁସ୍ରାବ ଅନିୟମିତ ହୁଏ ଏବଂ ପ୍ରଜନନ କ୍ଷମତା ଉପରେ ବି ପ୍ରଭାବ ପଡେ ।''
ପିସିଓଏସ୍ ଲକ୍ଷଣ ତଥା ସମସ୍ୟା:
- ଋତୁସ୍ରାବରେ ଅନିୟମିତା
- ଓଜନ ବଢିବା
- କେଶ ଝଡିବା
- ମୁହଁରେ ବ୍ରଣ ଉଠିବା
- ମୁହଁରେ କେଶ ଉଠିବା
ଏସବୁ ସମସ୍ୟା ସାଧାରଣତଃ କମ୍ ବୟସର ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ହରମୋନ ଅସନ୍ତୁଳନ, ବଂଶାନୁକ୍ରମ ଓ ଅନିୟମିତ ଜୀବନଶୈଳୀ କାରଣରୁ ପିସିଓଏସ ସମସ୍ୟା ହୋଇଥାଏ । ଡାକ୍ତରଙ୍କ କହିବା କଥା, ପିସିଓଏସ୍ର ଅଧିକାଂଶ ମାମଲା ସମ୍ପୂର୍ଣ୍ଣ ଠିକ୍ ହୋଇନଥାଏ, ହେଲେ ଏହାର ପ୍ରଭାବ ଉପଯୁକ୍ତ ଚିକିତ୍ସା ଓ ସାବଧାନତା ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ । ଅନେକ ମହିଳା ଏହି ସମସ୍ୟା ଦୂର ପାଇଁ ଔଷଧ ସେବନ କରୁଥିବାବେଳେ ଆଉ କିଛି ମାମଲାରେ ଆବଶ୍ୟକ ପଡିଲେ ହରମୋନାଲ ଥେରାପି ଦ୍ବାରା ଚିକିତ୍ସା କରାଯାଇଥାଏ । ସେହିପରି ଏହି ସମସ୍ୟାରେ ପୀଡିତ ଯେଉଁ ମହିଳାଙ୍କ ଗର୍ଭଧାରଣରେ ସମସ୍ୟା ହେଉଛି, ସେମାନଙ୍କ ପାଇଁ ଫର୍ଟିଲିଟି ଟ୍ରିଟମେଣ୍ଟ ମଧ୍ୟ ଉପଲବ୍ଧ ।
PCOS ସହ ଜଡିତ ସାବଧାନତା:
ପିସିଓଏସ୍ ସମସ୍ୟା ଥିବା ମହିଳାମାନେ କିଛି ବିଷୟରେ ସାବଧାନତା ଅବଲମ୍ବନ କରିବା ଅତି ଜରୁରୀ । ଯେମିତିକି-
ସନ୍ତୁଳିତ ଆହାର:ପିସିଓଏସ୍ ପୀଡିତ ମହିଳା ଚିନି ଓ କାର୍ବୋହାଇଡ୍ରେଟ ଭରପୂର ଥିବା ଖାଦ୍ୟ ଖାଇବା ଅନୁଚିତ୍ । ପ୍ରୋଟିନ ଓ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ ।
ନିୟମିତ ବ୍ୟାୟାମ: ନିୟମିତ ଭାବେ ଯୋଗ, ବ୍ୟାୟାମ, ଚାଲିବା ଓ ଅନ୍ୟାନ୍ୟ ଶାରିରୀକ ଗତିବିଧି ଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ ।
ମାନସିକ ଚାପ ପରିଚାଳନା:ଚାପ ହରମୋନ ଅସନ୍ତୁଳନ ଅଧିକ ବଢାଇପାରେ । ସେଥିପାଇଁ ଧ୍ୟାନ, ଯୋଗ ଏବଂ ଅନ୍ୟ ବିଭିନ୍ନ ଉପାୟରେ ମାନସିକ ଚାପ କମ୍ କରିବାକୁ ଚେଷ୍ଟା କରନ୍ତୁ ।