ହାଇଦ୍ରାବାଦ: ଦେଶର ବିଭିନ୍ନ ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ଗୁଇଲେନ-ବାରେ ସିଣ୍ଡ୍ରୋମ (GBS) । ଗତ କିଛି ଦିନ ହେଲା ଏହି ମାମଲା ଅଧିକ ନଜରକୁ ଆସୁଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ମାମଲା ଉପର ତୀକ୍ଷ୍ମ ନଜର ରଖିଛି । ତେବେ ସୂଚନା ମୁତାବକ, ମହାରାଷ୍ଟ୍ରର ପୁଣେ ପରେ ଏବେ ସତାରାରେ ୪ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପୁରା ରାଜ୍ୟରେ ଜିବିଏସ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ ଛୁଇଁଛି ।
କେବଳ ମହାରାଷ୍ଟ୍ର ନୁହେଁ ବରଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଅଧିକାରୀ ମହେଶ ଖଲିପେଙ୍କ କହିବାନୁଯାୟୀ, ଏହି ଆକ୍ରାନ୍ତମାନଙ୍କ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।"
ଗୁଇଲେନ୍-ବାରେ ସିଣ୍ଡ୍ରୋମ (GBS) କଣ?
ଗୁଇଲେନ୍-ବାରେ ସିଣ୍ଡ୍ରୋମ ବା ଜିବିଏସ ହେଉଛି ଏକ ବିରଳ Autoimmune diseases । ଯାହାର ସଠିକ କାରଣ ଏବେସୁଦ୍ଧା ଜଣାପଡିନାହିଁ । ସାଧାରଣତଃ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି ବନାଇଥାଏ ଯାହା ଶରୀରରେ ଜୀବାଣୁ ଓ ଭୂତାଣୁ ସହ ଲଢି ଆମକୁ ରୋଗ କବଳରୁ ରକ୍ଷା କରିଥାଏ କିନ୍ତୁ ବେଳେ ବେଳେ ଏହି ରୋଗ ପ୍ରତିରୋଧକ ଶକ୍ତି ନିଜ ଶରୀରକୁ ହିଁ ପ୍ରଭାବିତ କରିଥାଏ । ଯାହାକୁ Autoimmune diseases କୁହାଯାଏ । ଜିବିଏସ ଏହିଭଳି ଏକ ବିରଳ ରୋଗ । ଏହି ରୋଗ ହେଲେ ରୋଗ ପ୍ରତିରୋଧକ ଶକ୍ତି ଭୁଲ ବଶତଃ ସ୍ନାୟୁ ଉପରେ ଆକ୍ରମଣ କରିଥାଏ, ଯାହାଦ୍ୱାରା ମାଂସପେଶୀରେ ଦୁର୍ବଳତା, ଅସ୍ଥିରତା ଏବଂ ଗୁରୁତର ଅବସ୍ଥାରେ ପକ୍ଷାଘାତ ମଧ୍ୟ ଦେଖାଯାଇଥାଏ ।
GBS ଲକ୍ଷଣ:
ଗୁଇଲେନ୍-ବାରେ ସିଣ୍ଡ୍ରୋମର ଲକ୍ଷଣ ହେଉଛି
- ଶରୀରରେ ବଧିରା ଓ ଦୁର୍ବଳ ଅନୁଭବ କରିବା
- ମାଂସପେଶୀରେ ଦୁର୍ବଳ ଅନୁଭବ କରିବା
- ପାଦ ଓ ହାତ ଝିମଝିମ ହୋଇଯିବା
- ପାଦ ଓ ମାଂସପେଶୀରେ ଦୁର୍ବଳତା କାରଣରୁ ବ୍ୟକ୍ତି ସିଧା ଛିଡା ହୋଇପାରେନାହିଁ ଓ ଚାଲିବାରେ ମଧ୍ୟ ଅସୁବିଧା ହୋଇଥାଏ
- ଡାଇରିଆ, ବାନ୍ତି ଓ ତଳପେଟରେ ଯନ୍ତ୍ରଣା
- କିଛି ଜଣଙ୍କ କ୍ଷେତ୍ରରେ ଜ୍ୱର ହେବା ମଧ୍ୟ ଦେଖିବାକୁ ମିଳିଛି
ଏହିସବୁ ଲକ୍ଷଣ ଗୁଡିକ ସାଧାରଣତଃ ସଂକ୍ରମଣ ଯୋଗୁ ହୋଇଥାଏ । କ୍ୟାମ୍ପିଲୋବ୍ୟାକ୍ଟର ବ୍ୟାକ୍ଟେରିଆ ଦ୍ୱାରା ଏହି ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗ ସାଧାରଣତଃ ଦୂଷିତ ଖାଦ୍ୟ ଓ ଜଳ ମାଧ୍ୟମରେ ସଂକ୍ରମିତ ହୋଇଥାଏ । ତେବେ GBS ସଂକ୍ରାମକ ନୁହେଁ ଏବଂ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ନଥାଏ ।
ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ:
ଏହି ରୋଗକୁ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଇମ୍ୟୁନୋଥେରାପି ଓ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହି ରୋଗ ଭଲ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି । ଆଉ ମଧ୍ୟ ରୋଗକୁ ଚିହ୍ନଟ କରି ପ୍ରଥମରୁ ଚିକିତ୍ସା କଲେ ଏହି ରୋଗରୁ ମୁକ୍ତି ମିଳିପାରିବ । ଯଦି କୌଣସି ବ୍ୟକ୍ତି ଅସ୍ୱାଭାବିକ ମାଂସପେଶୀ ଦୁର୍ବଳତା କିମ୍ବା ଅସ୍ଥିରତା ଅନୁଭବ କରନ୍ତି ତେବେ ତୁରନ୍ତ ଏନେଇ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ କିମ୍ବା ସ୍ୱଚ୍ଛତା ଓ ସୁସ୍ଥ ଖାଦ୍ୟ ଓ ଜଳ ବ୍ୟବହାର କରନ୍ତୁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
(DISCLAIMER: ଉପରୋକ୍ତ ସୂଚନା କେବଳ ସମ୍ୟକ ଧାରଣା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ ଏବଂ ଡାକ୍ତରଙ୍କ ପରାମର୍ଶ ଉପରେ ଏହା ଆଧାରିତ । ଚିକିତ୍ସା କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।)