ହାଇଦ୍ରାବାଦ:ନିରାମୟ ଜୀବନ ପାଇଁ ସୁରକ୍ଷିତ ଓ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଜରୁରୀ । ଅସନ୍ତୁଳିତ ପରିବେଶ ଓ ଆଧୁନିକ ଜୀବନଶୈଳୀ ଆମର ଖାଦ୍ୟାଭାସକୁ ବିଶେଷ ପ୍ରଭାବିତ କରିଛି । ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁଟ୍ରେସନ ( ICMR-National Institute of Nutrition) ଭାରତୀୟଙ୍କ ପାଇଁ ଖାଦ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରିଛି, ଯେଉଁଥିରେ ସୁରକ୍ଷିତ ଓ ସୁସ୍ଥ ଖାଦ୍ୟ ପ୍ରସ୍ତୁତି ପାଇଁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦିଆଯାଇଛି । ଏହା ପ୍ରତି ଧ୍ୟାନ ଦେଇ ଆପଣ ନିଜେ ସୁସ୍ଥ ରହିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖିପାରିବେ ।
ବାରମ୍ବାର ଖାଦ୍ୟ ଧୁଅନ୍ତୁ ନାହିଁ: ବଜାରରୁ ପନିପରିବା, ଫଳମୂଳ କିମ୍ବା ମାଛ ମାଂସ ଆଣିଲେ ରୋଷେଇ ପୂର୍ବରୁ ଏହାକୁ ଆମେ ଭଲ ଭାବେ ଧୋଇଥାଉ । ହେଲେ ଏପରି କିଛି ଖାଦ୍ୟ ଅଛି ଯାହାକୁ ରୋଷେଇ କରିବା ପୂର୍ବରୁ ଧୋଇବାର ଆବଶ୍ୟକତା ନଥାଏ । ଯେମିତିକି ମାଂସକୁ ନ ଧୋଇବାକୁ ପରାମର୍ଶ ଦିଆଯାଏ । କାରଣ ଏହାକୁ ଧୋଇଦେଲେ ପ୍ରୋଟିନ ଅଂଶ ବାହାରି ଯାଇଥାଏ । ସେହିପରି ରାନ୍ଧିବା ପୂର୍ବରୁ ଶସ୍ୟ ଓ ଫଳକୁ ବାରମ୍ବାର ଧୁଅନ୍ତୁ ନାହିଁ ନଚେତ୍ ଏଥିରେ ଥିବା ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ ।
ପୋଷକତତ୍ତ୍ବ ବଞ୍ଚାନ୍ତୁ: ଖାଦ୍ୟରେ ଆବଶ୍ୟକୀୟ ପୋଷକ ତତ୍ତ୍ବ ବଜାୟ ରଖିବା ପାଇଁ ପନିପରିବା ଓ ଫଳ କାଟିବା କିମ୍ବା ଚୋପା ଛଡାଇବା ପରେ ଏହାକୁ ଆଦୌ ଧୁଆନ୍ତୁ ନାହିଁ । ଏହି କଟା ଯାଇଥିବା ପରିବାକୁ ପାଣିରେ ଭିଜାନ୍ତୁ ନାହିଁ । କାରଣ ଏହାଦ୍ବାରା ପୋଷକ ତତ୍ତ୍ବ ନଷ୍ଟ ହୋଇପାରେ ।
ଖାଦ୍ୟ ଘୋଡାଇ ରଖନ୍ତୁ: ରନ୍ଧାଖାଦ୍ୟ, ପନିପରିବା ଓ ଫଳ ଅଧିକ ଦିନ ତାଜା ରଖିବା ପାଇଁ ଏବଂ ଏଥିରେ ଧୂଳି ନ ଲାଗିବା ପାଇଁ ସବୁବେଳେ ଘୋଡାଇ ରଖନ୍ତୁ । ବିଶେଷକରି ରନ୍ଧା ଖାଦ୍ୟ କେବେ ବି ଖୋଲା ରଖନ୍ତୁ ନାହିଁ ।
ବୁଦ୍ଧିମାନ ଭାବେ ରୋଷେଇ କରନ୍ତୁ:ଶରୀରରେ ଖରାପ ଚର୍ବି କମ୍ କରିବାକୁ ଖାଦ୍ୟକୁ ଡିପ୍ ଫ୍ରାଏ କିମ୍ବା ରୋଷ୍ଟ କରିବା ବଦଳରେ ପ୍ରେସର ଅଥବା ଷ୍ଟିମ କୁକିଂ ବିକଳ୍ପ ବାଛନ୍ତୁ । ତେଲରେ ଛାଣିବା ବଦଳରେ ଅଧିକ ସିଝା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଖାଦ୍ୟ ରାନ୍ଧିବା ପାଇଁ କେବଳ ଆବଶ୍ୟକ ମାତ୍ରାରେ ପାଣି ବ୍ୟବହାର କରନ୍ତୁ । ରାନ୍ଧିବା ସମୟରେ ଅତିରିକ୍ତ ପାଣି ବ୍ୟବହାର କରିବାକୁ ବାରଣ କରାଯାଏ ।