ଭୁବନେଶ୍ୱର:ସିଜରିଆନ ଡେଲିଭରି ବା ସି-ସେକ୍ସନ ଡେଲିଭରି ବର୍ତ୍ତମାନ ସମୟରେ ଅତି ସାଧାରଣ ହୋଇଗଲାଣି । ଆଜିକାଲି ନର୍ମାଲ (ସାଧାରଣ ପ୍ରସାବ) ଡେଲିଭରି ଅପେକ୍ଷା ଅଧିକ ସିଜରିଆନ ଲୋକେ ପସନ୍ଦ କରୁଛନ୍ତି । ନର୍ମାଲ ଡେଲିଭରି ଜନିତ ଯନ୍ତ୍ରଣା ସହ୍ୟ ନ କରିପାରିବା କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଜଟିଳତା କାରଣରୁ କେତେକ ମହିଳା ସିଜରିଆନ ଡେଲିଭରିକୁ ଅପଣାଉଛନ୍ତି ବା ଆଗ୍ରହୀ ହୋଇଥାନ୍ତି । ତେବେ ଏହି ସି-ସେକ୍ସନ ଡେଲିଭରି ଶିଶୁ ଓ ମାଆ ପାଇଁ କେତେ ସୁରକ୍ଷିତ ସେନେଇ କଣ କହୁଛନ୍ତି ସ୍ତ୍ରୀ ପ୍ରସୂତି ଡାକ୍ତର ଜେ.ପି ମିଶ୍ର, ଆସନ୍ତୁ ଜାଣିବା ।
ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜରିଆନ ଡେଲିଭରି:
ଏନେଇ ସ୍ତ୍ରୀ ପ୍ରସୂତି ଡାକ୍ତର ଜେ ପି ମିଶ୍ର କହିଛନ୍ତି , "ରାଜ୍ୟରେ ସିଜରିଆନ ଡେଲିଭରି ବୃଦ୍ଧି ପାଉଛି । ଲୋକମାନଙ୍କ ମଧ୍ୟରେ ଅଧିକ ସଚେତନତା ବଢୁଛି । ଆଜିକାଲି ସମୟରେ ଗୋଟିଏ କିମ୍ବା ଦୁଇଟି ଶିଶୁ ଜନ୍ମ ଦେବାକୁ ଲୋକେ ପସନ୍ଦ କରୁଛନ୍ତି । ଏପରିକି ଶିଶୁର ସୁସ୍ଥତା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ରାଜ୍ୟରେ ପାଖାପାଖି ୮୦ ପ୍ରତିଶତ ସିଜରିଆନ ଡେଲିଭରି କରାଯାଉଛି । ଘରୋଇ ହସ୍ପିଟାଲରେ ଅଧିକ ସଂଖ୍ଯାରେ ସିଜରିଆନ ଡେଲିଭରି କରାଯାଉଛି ।
ସିଜରିଆନ ଡେଲିଭରି ପ୍ରତି ବଢୁଛି ଆଗ୍ରହ:
ଏନେଇ ସ୍ତ୍ରୀ ପ୍ରସୂତି ଡାକ୍ତର ଜେ ପି ମିଶ୍ର କହିଛନ୍ତି, "ଦିନକୁ ଦିନ ସିଜରିଆନ ଡେଲିଭରି ଅଧିକ ହେଉଛି । ଏହାର କାରଣ ପ୍ରଥମତଃ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି । ଏପରିକି ନର୍ମାଲ ଡେଲିଭରିରେ ଅଧିକ ରିସ୍କ ରହିଥାଏ । ଯେଉଥିପାଇଁ ଏହାପ୍ରତି ଲୋକମାନଙ୍କ ପସନ୍ଦ କମିଛି ।"
ସିଜରିଆନ ଡେଲିଭରିରେ ଶିଶୁଙ୍କ ଉପରେ କଣ ପଡିବ ପ୍ରଭାବ:
ଶିଶୁ ପରିପକ୍ଵ ହେବା ପରେ ଯଦି ସିଜରିଆନ ଅପରେସନ କରାଯାଏ ତେବେ ଶିଶୁ ଉପରେ ଏହାର କୌଣସି ପ୍ରଭାବ ପଡିନଥାଏ । ଏପରିକି ମାଆମାନଙ୍କଠାରେ ମଧ୍ୟ କେବଳ ଅପରେସନ ଗତ ସମସ୍ଯା ଦେଖାଯାଇପାରେ । ସିଜରିଆନ ଅପରେସନରେ ଅତିବେଶୀରେ ୩ଟି ଶିଶୁ ଜନ୍ମ ହୋଇପାରିବ । ଅଧିକ ଶିଶୁ ଜନ୍ମ ହେଲେ ମାଆ ପ୍ରତି ବିପଦ ସୃଷ୍ଟି ହୋଇପାରେ ।
ଶୁଭ ବେଳା ଦେଖି ପ୍ରସବ ସଂଖ୍ୟା ବଢିଛି:
ଅନ୍ୟପଟେ ଲୋକମାନେ ଶୁଭବେଳା ଦେଖି ପ୍ରସବ କରିବାକୁ ଇଚ୍ଛା କରୁଛନ୍ତି । ଯାହା କେବଳ ସି-ସେକ୍ସନ ଡେଲିଭରିରେ ହିଁ ସମ୍ଭବ ହୋଇଥାଏ । ଏନେଇ ଡାକ୍ତର କହିଛନ୍ତି, " ଏହା ଏକ ଫ୍ୟାସନ ହୋଇଗଲାଣି । ଲୋକମାନେ ଅଧିକ ଭାବରେ ଆଷ୍ଟ୍ରୋଲୋଜି ଉପରେ ଅଧିକ ବିଶ୍ଵାସ କରୁଛନ୍ତି । ଆଜିକାଲି ଏହାର ସଂଖ୍ୟା ମଧ୍ୟ ବଢିଛି । କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେଇ ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ ।"
କଣ କହୁଛି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ :
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ, ଓଡିଶାର ଘରୋଇ ସ୍ୱାସ୍ଥ୍ୟ ସୁବିଧା ଗୁଡ଼ିକରେ ସି -ବିଭାଗର ହାର ୨୦୧୫ -୧୬ ମସିହାରେ ୫୩.୭ ପ୍ରତିଶତରୁ ୨୦୧୯-୨୧ ରେ ୭୦.୭ ପ୍ରତିଶତକୁ ବୃଦ୍ଧି ପାଇଛି । ପାଞ୍ଚ ବର୍ଷ ମଧ୍ୟରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ସର୍ଜିକାଲ୍ ଡେଲିଭରି ହାର ୧୧.୫ ପ୍ରତିଶତରୁ ୧୫.୩ ପ୍ରତିଶତକୁ ବୃଦ୍ଧି ପାଇଛି । ସହରାଞ୍ଚଳ ତୁଳନାରେ ରାଜ୍ୟର ଗ୍ରାମାଞ୍ଚଳର ଘରୋଇ ଡାକ୍ତରଖାନା ଗୁଡ଼ିକରେ ସି-ବିଭାଗ ପ୍ରସବ ସଂଖ୍ୟା ଅଧିକ ରହିଛି । ଗ୍ରାମାଞ୍ଚଳରେ ପ୍ରାୟ ୭୧.୫ ପ୍ରତିଶତ ସର୍ଜିକାଲ୍ ଜନ୍ମ ରେକର୍ଡ କରାଯାଇ ଥିବାବେଳେ ସହରାଞ୍ଚଳରେ ୬୮.୬ ପ୍ରତିଶତ ରେକର୍ଡ କରାଯାଇଛି । ମାତ୍ର ସହରାଞ୍ଚଳ ସରକାରୀ ଡାକ୍ତରଖାନାର ତଥ୍ୟ କିଛି ଅଲଗା ରହିଛି । ସହରାଞ୍ଚଳର ସରକାରୀ ଡାକ୍ତରଖାନା ଗୁଡ଼ିକରେ ୨୨.୩ ପ୍ରତିଶତ ସି-ବିଭାଗ ପ୍ରସବ କରାଯାଇ ଥିବାବେଳେ ଗ୍ରାମୀଣ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪.୨ ପ୍ରତିଶତ ସି-ବିଭାଗ ପ୍ରସବ ରେକର୍ଡ କରାଯାଇଛି ।
ଯଦି ସିଜରିଆନ ଅପରେସନ କରିଥାନ୍ତି ତେବେ ଯଥେଷ୍ଟ ମାତ୍ରାରେ ଆରାମ କରନ୍ତୁ:
ସିଜରିଆନ ଡେଲିଭରି ପରେ ମାଆ ଯେତେ ଆରାମ କରିବ, ସେତେ ଜଲ୍ଦି ସୁସ୍ଥ ହୋଇପାରିବ । ଯାହା ଫଳରେ ପେଟରେ ପଡିଥିବା ଷ୍ଟିଚ୍ ମଧ୍ୟ ଶୀଘ୍ର ଭଲ ହୋଇଯିବ । କିନ୍ତୁ ମାଆମାନେ ନିଜ ଶିଶୁର ଯତ୍ନ ନେବାର ବ୍ୟସ୍ତତା ମଧ୍ୟରେ ଯଥେଷ୍ଟ ଆରାମ କରିପାରନ୍ତି ନାହିଁ । ପିଲାକୁ ଖୁଆଇବା, ତା'ର କପଡା ବଦଳାଇବା, ଶୁଆଇବା, ଏସବୁ ଭିତରେ ଘର କାମ ବି କରିଥାନ୍ତି । ଏମିତିରେ ଶୋଇବାକୁ ତାଙ୍କୁ ସମୟ ହୁଏନି । ଯାହା ଫଳରେ ସେମାନଙ୍କ ମାନସିକ ଚିନ୍ତା ବଢିଥାଏ । ଯାହାକି ଉଭୟ ମାଆ ଓ ଶିଶୁ ପାଇଁ ଠିକ୍ ନୁହେଁ । ପରବର୍ତ୍ତୀ ସମୟରେ ଅସୁସ୍ଥତା ଅନୁଭବ ହୋଇଥାଏ । ତେବେ ମାତୃତ୍ବର ପ୍ରାରମ୍ଭିକ ଦିନରେ ଅନିଦ୍ରା ଓ ଚିନ୍ତା ଦୂର କରିବା ପାଇଁ ଡାକ୍ତରମାନଙ୍କ ପରାମର୍ଶ ନେବା ଆବଶ୍ୟକ ।
ଏହାମଧ୍ୟ ପଢନ୍ତୁ... |