କଟକ: ପରୀକ୍ଷା ଋତୁରେ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଥାଏ । ପରୀକ୍ଷା ପୂର୍ବରୁ ବି ପାଠପଢ଼ା ପାଇଁ ପିଲାମାନେ ଚାପରେ ରହିଥାନ୍ତି । ପରୀକ୍ଷା ସମୟରେ ଜଣେ ଛାତ୍ର କେତେ ଚାପରେ ରହିଥାଏ ? କେଉଁ ସମୟରେ ଚାପ ଅଧିକ ରହିଥାଏ ? ଏହା ମାନସିକ ସ୍ଥିତି ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ଏବଂ ଏହି ପ୍ରକାର ମାନସିକ ଚାପରୁ କେମିତି ବର୍ତ୍ତିହେବ ? କେଉଁ ରାଜ୍ୟରେ ମାନସିକ ରୋଗୀ(ଛାତ୍ରଛାତ୍ରୀ)ଙ୍କ ହାର ସର୍ବାଧିକ ? ଏହାସହ ମାନସିକ ଚାପର ଲକ୍ଷଣ କଣ ? ଏସବୁ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା ।
ମାନସିକ ବିଭାଗର ଡାକ୍ତର ପ୍ରଫେସର ସମ୍ରାଟ କରଙ୍କ କହିବା ମୁତାବକ, ପରୀକ୍ଷା ସମୟରେ ଅନେକ ଛାତ୍ରଛାତ୍ରୀ ତାଙ୍କ ପାଖକୁ ଆସିଥାନ୍ତି । କାହାର ନିଦ ସମସ୍ୟା ରହିଥାଏ ତ ଆଉ କାହାର ପରୀକ୍ଷା ଭୟ ରହିଥାଏ । ଆଉ କାହାର ଦେହରୁ ବିନା କାରଣରେ ଝାଳ ବୋହିଥାଏ ତ ଆଉ କେହି କହିଥାନ୍ତି ପରୀକ୍ଷା ସମୟରେ ହଠାତ ମନେ ପଡୁନାହିଁ । ଏନେଇ ଡାକ୍ତର ପ୍ରଫେସର ସମ୍ରାଟ କର କହିଛନ୍ତି, "ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଯେତିକି ବ୍ୟସ୍ତ ବିବ୍ରତ ହୁଅନ୍ତି ନାହିଁ, ସେମାନଙ୍କଠାରୁ ସେମାନଙ୍କ ଅବିଭାବକମାନେ ବ୍ୟସ୍ତ ବିବ୍ରତ ହୁଅନ୍ତି । ପଡୋଶୀ ଘରର ପିଲା ଅଧିକ ମାର୍କ ରଖୁଛି କହି ତୁଳନା କରିବା ସହ ନିଜ ପିଲା ଉପରେ ଚାପ ପକାଇଥାନ୍ତି କିଛି ଅଭିଭାବକ ।"
ପରୀକ୍ଷା ଚାପ ପାଇଁ ଏକକ ପରିବାର ଦାୟୀ: ବିଶେଷଜ୍ଞ
ଡାକ୍ତର ସମ୍ରାଟ କର କହିଛନ୍ତି, "ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ ପାଇଁ Nuclear Family(ଏକକ ପରିବାର) ଦାୟୀ । ପୂର୍ବରୁ ଯୌଥ ପରିବାର ଥିଲା । ଗୋଟିଏ ଘରେ ଛାତ୍ର କିମ୍ବା ଛାତ୍ରୀଙ୍କ ଉପରେ ସେତିକି ଚାପ ପଡୁ ନଥିଲା । କାରଣ ଗୋଟିଏ ଘରେ ଅନେକ ଲୋକ ରହୁଥିଲେ । ଜଣେ ଛାତ୍ର କିମ୍ବା ଛାତ୍ରୀର ଚାପ ସମସ୍ତଙ୍କ ମଧ୍ୟରେ ସେୟାର କରିଦିଏ। ମାତ୍ର ଏବେ Nuclear familyକୁ ପସନ୍ଦ କରୁଛନ୍ତି ସଭିଏଁ । ଗୋଟିଏ ଘରେ କେବଳ ବାପା ମା ଆଉ ପୁଅ ଝିଅ ରହୁଛନ୍ତି । ପାଠ ପଢିବା ବୋଝ ପିଲାଙ୍କ ଉପରେ ସିଧାସଳଖ ପଡିଥାଏ । ଆଉ ପିଲାଟିଏ ଚାପରେ ରହି ପାଠ ପଢେ । ଯେତେବେଳେ ପିଲାଟିଏ ଯେତିକି ଚାପ ନେବା କଥା ତା ଠାରୁ ଅଧିକ ଚାପ ନେଇଥାଏ ସେତେବେଳେ ତାହାକୁ ମାନସିକ ଚାପ ବୋଲି କୁହାଯିବ ।"
ଉଦାହରଣ ଦେଇ ଡାକ୍ତର କର କହିଛନ୍ତି, "ଗୋଟିଏ ରାତିରେ ଯଦି ଜଣେ ପିଲାକୁ ମୋଟା ବହି ପଢି ଶେଷ କରିବାକୁ କୁହାଯିବ, ତେବେ ସେ ଭୟ କରିବ । ଆଉ ତା ଉପରେ ମାନସିକ ଚାପ ପଡିବ । ଯେଉଁ ପିଲା ପୂର୍ବରୁ ଯେମିତି ପାଠ ପଢୁଥିଲା ପରୀକ୍ଷା ସମୟରେ ସେମିତି ଯଦି ପଢିବ ତେବେ ଚାପ ମୁକ୍ତ ହେବ । ଯଦି ରାତି ଅନିଦ୍ରା ହୋଇ ପଢେ ଏବଂ ଖାଇବା ପିଇବା ଯଦି ଠିକରେ ନହୁଏ ତେବେ ପିଲାଟି ମନରେ ଛାନିଆ ଭାବନା ଆସିବ । ଏହାକୁ ମଧ୍ୟ ପରୀକ୍ଷା ଚିନ୍ତା (Exam anxiety) କୁହାଯାଏ । ଏପରି ଲକ୍ଷଣ ଆସିଲେ ପିଲାଟିକୁ ପରୀକ୍ଷା ଦେବା ପାଇଁ ଭୟ ଆସିଥାଏ । ଏପରିକି ପରୀକ୍ଷା ନଦେବା ପାଇଁ ମନରେ ଆସିଥାଏ । ଅଧିକ ଚାପ କାରଣରୁ ଏପରି ଲକ୍ଷଣ ଦେଖାଯାଏ ।ତେବେ ପରୀକ୍ଷା ସମୟରେ ନିଜର ଭାବନା ଆଉ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ ।"
ପରୀକ୍ଷା ସମୟରେ ନକରାତ୍ମକ ଚିନ୍ତାଧାରା ନକରି ସକରାତ୍ମକ ଚିନ୍ତା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ପରୀକ୍ଷା ସମୟରେ ସମସ୍ତ ପରିସ୍ଥିତିକୁ ମୁକାବିଲା କରିବାକୁ ହେଲେ ପଜିଟିଭ ଚିନ୍ତାଧାରା ଆବଶ୍ୟକ । ଏପରିକି ଜଣେ ପରୀକ୍ଷାର୍ଥୀ ମନେ ରଖିବା କଥା ଯେ ପ୍ରଶ୍ନପତ୍ର ସିଲାବସ ବାହାରୁ ଆସିପାରେ । ଆମେ ଯାହା ପଢିଛୁ, ତାହା ନଆସି ପୁରୁଣା ପାଠ ଆସି ପାରେ । ସେଥିପାଇଁ ପୁରୁଣା ମେମୋରୀ ମନେ ରଖିଥିବା ଦରକାର । ଯେଉଁ ପାଠ ପୂର୍ବରୁ ପଢି ସାରିଛେ ।
କିପରି ମନେ ରଖିବେ ପୁରୁଣା ପାଠ?
ଅନେକ ପରୀକ୍ଷାର୍ଥୀ ପରୀକ୍ଷା ସମୟରେ ପଢିଥିବା ପାଠ ସବୁ ଭୁଲି ଯାଆନ୍ତି । ଠିକ ସମୟରେ ପଢିଥିବା ପାଠ ସବୁ ମନ ପଡେ ନାହିଁ । ଯେଉଁ କାରଣରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଭଲ କରିପାରନ୍ତି ନାହିଁ ଏବଂ ଚାପରେ ରହିଥାନ୍ତି । ତେବେ ଏହି ସବୁ ଚାପରୁ କିପରି ମୁକ୍ତି ହେବେ ସେନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ସମ୍ରାଟ କର ।
ସେ କହିଛନ୍ତି, "ପରୀକ୍ଷା ସମୟରେ ପୁରୁଣା ପାଠ ମନେ ରଖିବାକୁ ହେଲେ ପରୀକ୍ଷା ପୂର୍ବରୁ ରିଲାକ୍ସ ରହିବାକୁ ପଡିବ। ପରୀକ୍ଷା ପୂର୍ବ ରାତିରେ ହାଲୁକା ମନରେ ଶୋଇବା, ଅର୍ଥାତ ପୂର୍ବ ରାତି ରେ ଅନିଦ୍ରା ନ ରହି ୬ /୭ ଘଣ୍ଟା ଶୋଇବା ଉଚିତ। ପରୀକ୍ଷା ଦିନ ସକାଳୁ ଉପବାସରେ ନ ଯାଇ ଖାଦ୍ୟ ଖାଇ ପରୀକ୍ଷା କେନ୍ଦ୍ରକୁ ଯିବା ଉଚିତ । ପୂର୍ବରୁ ଯେତିକି ପାଠ ପଢ଼ିଛନ୍ତି, ତାହା ମଧ୍ୟରୁ ପ୍ରଶ୍ନ ଆସିବ ବୋଲି ସକାରାତ୍ମକ ଭାବନା ରଖିବା ଉଚିତ । ପ୍ରଶ୍ନପତ୍ର ଦେଖିବା ପରେ ହଠାତ ଭୟଭୀତ ନହୋଇ ଯେଉଁ ପ୍ରଶ୍ନ ଆସିଛି ତାହାର ଉତ୍ତର ପ୍ରଥମେ କରିବା ଉଚିତ । ପରୀକ୍ଷା ଦିନ ଯଥେଷ୍ଟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ସହ ମନକୁ ସ୍ଥିର ରଖିବା ଉଚିତ । ସେହିପରି ପ୍ରଥମ ପରୀକ୍ଷା ଯଦି ଖରାପ ହୁଏ ତାହା ଉପରେ ଅଧିକ ଆଲୋଚନା ନକରି ପରବର୍ତ୍ତୀ ପରୀକ୍ଷା କିପରି ଭଲ ହେବ ସେନେଇ ଧ୍ୟାନ ଦେବା ଆବଶ୍ୟକ। କାରଣ ଅନେକ ପରୀକ୍ଷାର୍ଥୀ ପ୍ରଥମ ପରୀକ୍ଷା ଯଦି ଖରାପ ହୋଇଯାଏ ସେମାନେ ଭାଙ୍ଗି ପଡ଼ିଥାନ୍ତି ଆଉ ଏତେ ଚାପରେ ରୁହନ୍ତି ଯେ , ପରବର୍ତ୍ତୀ ବିଷୟ ମଧ୍ୟ ଭଲ ହୁଏ ନାହିଁ । କେବଳ ସେତିକି ନୁହେଁ ଯଦି ଟେନସନ ଆସୁଛି ସାଙ୍ଗସାଥୀଙ୍କ ସହ ଆଲୋଚନା କରନ୍ତୁ ।"
'ପରୀକ୍ଷା ସମୟରେ ମୋବାଇଲ ବ୍ୟବହାର ଅନୁଚିତ'
ବର୍ତ୍ତମାନ ସମୟରେ ଅନେକ ପିଲା ମୋବାଇଲ ଅଧିକ ସମୟ ବ୍ୟବହାର କରୁଛନ୍ତି । ଏହା ଏକ ଚିନ୍ତାଜନକ ବିଷୟ । ଛାତ୍ରଛାତ୍ରୀମାନେ ମୋବାଇଲ ବ୍ୟବହାର କରିବାରେ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ ଦିନକୁ ଅତି କମରେ ପ୍ରାୟ ୪ ରୁ ୬ ଘଣ୍ଟା ସମୟ ବିତାଉଛନ୍ତି । କିଛି କିଛି ଛାତ୍ରଛାତ୍ରୀମାନେ ଯଦିଓ ମୋବାଇଲ ମାଧ୍ୟମରେ ପାଠ ପଢ଼ିଥାନ୍ତି । ମାତ୍ର ମୋବାଇଲ ଠାରୁ ଦୂରେଇ ରହିବାକୁ ଡାକ୍ତର କର ପରାମର୍ଶ ଦେଇଛନ୍ତି ।
ଅବିଭାବକମାନଙ୍କୁ ପରାମର୍ଶ:
ଛାତ୍ରଛାତ୍ରୀଙ୍କ ମାନସିକ ଚାପ ପାଇଁ ଅଭିଭାବକମାନଙ୍କୁ ଦାୟୀ କରାଯାଇପାରେ । କାରଣ ଅନେକ ସେମାନେ ନିଜ ନିଜ ପିଲାଙ୍କୁ ପରୀକ୍ଷା ସମୟରେ କିମ୍ବା ପାଠପଢା କ୍ଷେତ୍ରରେ ହେଉ ସବୁବେଳେ ଚାପ ଦେଇଥାନ୍ତି । ଏପରି ହେବା ଦ୍ୱାରା ପିଲାଟିଏ ମାତ୍ରାଧିକ ଚାପରେ ଥାଏ । "କୌଣସି ଅଭିଭାବକ ନିଜର ପିଲାଙ୍କୁ ମାର୍କ ରଖିବା ନେଇ କୌଣସି ଚାପ ପକାଇବା ଅନୁଚିତ । କିମ୍ବା କୌଣସି ଛାତ୍ରଛାତ୍ରୀଙ୍କ ସହ ନିଜର ପିଲାଙ୍କୁ ତୁଳନା କରିବା ଅନୁଚିତ । ଏପରିକି ଯଦି ପରୀକ୍ଷା ସମୟରେ ପିଲାଟିଏ ଖରାପ କରିଦିଏ, ସେକଥା ବାରମ୍ବାର କହି ପିଲାଟିକୁ ଅଧିକ ଚାପ ପକାଇଥାନ୍ତି । ଏସବୁରୁ ନିବୃତ୍ତ ରୁହନ୍ତୁ " ବୋଲି କହିଛନ୍ତି ଡାକ୍ତର ସମ୍ରାଟ କର ।
ମାନସିକ ଚାପର ଲକ୍ଷଣ:
ଡାକ୍ତର ସମ୍ରାଟ କର କହିଛନ୍ତି, "ପରୀକ୍ଷା ପାଇଁ ଜଣେ ପରୀକ୍ଷାର୍ଥୀଙ୍କର ନିଶ୍ଚୟ କିଛିଟା ମାନସିକ ଚାପ ରହିବ ଆଉ ରହିବା ଉଚିତ ମଧ୍ୟ । ଯଦି ଟିକେ ଚାପ ନରହିବ ସେ ପରୀକ୍ଷା ସମୟରେ ବୁଲିବ । ଯଦି ଅତ୍ୟଧିକ ଚାପ ରହିବ ତେବେ ପରୀକ୍ଷାର୍ଥୀ ଜଣକ ରାତି ଅନିଦ୍ରା ରହି ପାଠ ପଢିବ, ଆଉ ପରୀକ୍ଷା ଖରାପ କରିବ । ଚାପ ମୁକ୍ତ ପାଇଁ ଛାତ୍ରଛାତ୍ରୀମାନେ ଅନୁଲମ ବିଲମ କରିବା କଥା। ସେହିପରି ୩:୧ ଅନୁପାତରେ ପାଠ ପଢିବା ଉଚିତ। ଅର୍ଥାତ ଜଣେ ଛାତ୍ର ୪୫ ମିନିଟ ପାଠ ପଢିଲେ ୧୦ /୧୫ ମିନିଟ ହାଲୁକା ହେବା କଥା । ଭୋକ ନହେବା , ଭୟଭୀତ ଲାଗିବା, ଛାତ୍ର ଟିଏ ଯେତେବେଳେ ଭାବିବ ମୋର ଭବିଷ୍ୟତ ଅନ୍ଧାର ହୋଇଗଲା, ପରୀକ୍ଷାରେ ଯଦି ଫେଲ ହୋଇଯିବି ମୋତେ ଅନ୍ୟମାନେ କ'ଣ ଭାବିବେ, ଅତ୍ୟଧିକ ମନ ଖରାପ ଲାଗିବ, ନିଜକୁ ଅନୁଭବ ହେବ ଯେ ବଞ୍ଚିକି ଆଉ ଲାଭ ନାହିଁ, ପାଠପଢ଼ାରେ ଆଗ୍ରହ ହେବ ନାହିଁ, ଦେହରୁ ବାରମ୍ବାର ଝାଳ ବୋହିବା, ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାବେଳେ ମନରେ ଭୟ ଆସିବା ଇତ୍ୟାଦି ଅତ୍ୟଧିକ ମାନସିକ ଚାପର ଲକ୍ଷଣ ।"
ଏହି ସବୁ ମାନସିକ ଚାପର ଲକ୍ଷଣ:
- ଭୋକ ନହେବା
- ଭୟଭୀତ ଲାଗିବା
- ପାଠପଢ଼ାରେ ଆଗ୍ରହ ନହେବା
ଦେହରୁ ବାରମ୍ବାର ଝାଳ ବୋହିବା
'ଚାପ ମୁକ୍ତ ପାଇଁ NEP ବ୍ୟବସ୍ଥା'
ନିକଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 2025-26 ଏକାଡେମିକ ବର୍ଷରୁ ଦୁଇଥର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ପାରିବେ । ବିଶେଷକରି ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଏହି ବିକଳ୍ପ ରହିବ । 2020 ରେ ଯେଉଁ ନୂତନ ଜାତୀୟ ଶିକ୍ଷା ନୀତି (NEP) କରାଯାଇଛି ତାହାର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କ ଉପରେ ଏକାଡେମିକ୍ ଚାପ ହ୍ରାସ କରିବା । ଗତ ବର୍ଷ ଅଗଷ୍ଟରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ନୂତନ ଢାଞ୍ଚା ନେଇ ଘୋଷଣା କରାଯାଇଥିଲା । ଏହାଦ୍ବାରା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବାକୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ପାଇବେ। ଫଳରେ ଛାତ୍ରଛାତ୍ରୀମାନେ ଚାପ ମୁକ୍ତ ହୋଇପାରିବେ।"
କେଉଁ ରାଜ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ ଜୀବନ ହାରୁଛନ୍ତି ?
ପାଠପଢା ଚାପ ଅବା ପରୀକ୍ଷା ଚାପ ଏତେ ମାତ୍ରାରେ ପଡୁଛି ଯେ ଅନେକ କୋମଳମତି ଛାତ୍ରଛାତ୍ରୀ ଜୀବନ ହାରିବାକୁ ବାଧ୍ୟ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଏହିଭଳି ଅଭିଯୋଗ ଆସିଥାଏ।କେଉଁଠି ନାଁ କେଉଁଠି ପରୀକ୍ଷା ପୂର୍ବରୁ କିମ୍ବା ପରୀକ୍ଷାଫଳ ପ୍ରକାଶ ହେବା ପରେ ଛାତ୍ରଛାତ୍ରୀମାନେ ଜୀବନ ହାରିବା ଖବର ଆସିଥାଏ । ଓଡିଶା ରେ ଯଦିଓ ଏହି ସଂଖ୍ୟା କେତେ ତାହାର ସଠିକ ତଥ୍ୟ ମିଳିପାରି ନାହିଁ । ତେବେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟରେ ତାମିଲନାଡୁ ଛାତ୍ର ଜୀବନ ହାରିବା ମାମଲାରେ ଦେଶର ସବୁ ରାଜ୍ୟ ମଧ୍ୟରୁ ପ୍ରଥମ ବୋଲି କୁହାଯାଇଛି । ପରୀକ୍ଷା ଚାପ କାରଣରୁ ଏପରି ଘଟୁଥିବା କୁହାଯାଇଛି । ଏହାର ସର୍ଭେ ପାଇଁ ତାମିଲନାଡୁର ସ୍କୁଲ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର 50 ଜଣ ବାଳକ ଏବଂ 50 ବାଳିକା ଅଂଶଗ୍ରହଣ କରିଥିଲେ । ବୋର୍ଡ ପରୀକ୍ଷା ପୂର୍ବରୁ ସେମାନଙ୍କ ଚିନ୍ତା ୱେଷ୍ଟାଇଡ୍ ଟେଷ୍ଟ ଦ୍ୱାରା ମାପ କରାଯାଇଥିଲା । ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି କି ପାଠ ଚିନ୍ତା ପାଇଁ ତାମିଲନାଡୁରେ ବହୁ ଛାତ୍ରଛାତ୍ରୀ ଜୀବନ ହାରୁଛନ୍ତି ।
- ତାମିଲନାଡୁରେ ସର୍ବାଧିକ ପିଲା ଜୀବନ ହାରୁଛନ୍ତି
ଏହା ବି ପଢନ୍ତୁ...ଆଉ ଡର ଲାଗିବନି ପରୀକ୍ଷା, ଆପଣାନ୍ତୁ ଏହି 6ଟି ସ୍ମାର୍ଟ ଉପାୟ ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଏକ ଅଭୂତପୂର୍ବ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ |
ପରୀକ୍ଷା ଚାପ ନେଇ କ'ଣ କହୁଛନ୍ତି ଶିକ୍ଷକ...
କଟକ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ଅଜୟ ଜଟ କହିଛନ୍ତି, "ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା କିମ୍ବା ପାଠପଢ଼ା ପାଇଁ ଚାପରେ ଥାଆନ୍ତି ସେମାନଙ୍କ ସ୍ଵଭାବ ମଧ୍ୟ ବାରି ହୋଇପଡେ। କିଛି ଛାତ୍ର ପରୀକ୍ଷା କେନ୍ଦ୍ର ଭିତରେ ପ୍ରବେଶ କରି ବିଚଳିତ ହୋଇପଡନ୍ତି ତ ଆଉ କେହି କେହି ଶ୍ରେଣୀ ଗୃହରେ ଗୋଟିଏ ବିଷୟକୁ ବାରମ୍ବାର ପଢି ଚାପରେ ରହିଥାନ୍ତି । ଆଉ କେହି ଆର୍ଥିକ ଚାପରେ ପଡି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବା ପାଇଁ ଚିନ୍ତାଗ୍ରସ୍ତ ରୁହନ୍ତି । ହେଲେ ଅତି ଶାନ୍ତ ମନରେ ପରୀକ୍ଷା ଦେବା ଉଚିତ ।"
ପରୀକ୍ଷାକୁ ନେଇ ଛାତ୍ରୀଙ୍କ ପ୍ରତିକ୍ରିୟା:
ବିପ୍ଲବୀ ବିଶ୍ୱାଳ ନାମକ ଜଣେ ଛାତ୍ରୀ କହିଛନ୍ତି, "ପରୀକ୍ଷା ପୂର୍ବରୁ ସାମାନ୍ୟ ଭୟ ରହୁଥିଲା । ହେଲେ ଠିକ ଭାବେ ପାଠ ପଢିଥିଲେ ଭୟ କରିବାର ଆବଶ୍ୟକତା ନାହିଁ ।" ଅପରପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଅନେକ ମାତ୍ରାରେ ସହାୟତା ହୋଇଥିବା ନେଇ ଛାତ୍ରଛାତ୍ରୀମାନେ କହିଛନ୍ତି ।
ଇଟିଭି ଭାରତ, କଟକ