ହାଇଦ୍ରାବାଦ: ପୁଣି ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଝଟକା । ଟେଲି ଅଭିନେତ୍ରୀ କବିତା ଚୌଧୁରୀଙ୍କ ଦେହାନ୍ତ ଖବର ମନରୁ ନ ଯାଉଣୁ ପୁଣି ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆରପାରିରେ ଲୋକପ୍ରିୟ ଟିଭି ଅଭିନେତା ଋତୁରାଜ ସିଂହ । ୫୯ ବର୍ଷ ବୟସରେ ହୃଦଘାତରେ ଅଭିନେତା ଆଖି ବୁଜିଛନ୍ତି । ଅଭିନେତାଙ୍କ ମୃତ୍ୟୁ ନେଇ ତାଙ୍କ ସାଙ୍ଗ ଅମିତ ବାହଲ ସୂଚନା ଦେଇଛନ୍ତି । ତେବେ ଋତୁରାଜଙ୍କ ଏପରି ହଠାତ୍ ମୃତ୍ୟୁ ଖବର ସେଲିବ୍ରିଟି ସମେତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ଦେହାନ୍ତରେ ପରିବାର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ସେଲିବ୍ରିଟି ସମେତ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।
ରିପୋର୍ଟ ଅନୁସାରେ, ଅଭିନେତା ଗତ କିଛି ଦିନ ଧରି ଅଗ୍ନାଶୟ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ମଧ୍ୟ ହେଉଥିଲେ । ତାଙ୍କ ବନ୍ଧୁ ଅମିତ ବହଲ ଅଭିନେତାଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଋତୁରାଜ ହୃଦ୍ଘାତରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଗ୍ନାଶୟ ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ଘରକୁ ଫେରିଥିଲେ । କିନ୍ତୁ ହୃଦ୍ରୋଗ ଜନିତ ଜଟିଳତା ଯୋଗୁଁ ଗତକାଲି (ସୋମବାର) ରାତିରେ ତାଙ୍କର ମୃତ୍ୟୁ ହୋଇଛି ।