ଶ୍ରୀନଗର:ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁରରେ ଏନକାଉଣ୍ଟରେ ସୁରକ୍ଷାକର୍ମୀକୁ ବଡ ସଫଳତା । ଶୁକ୍ରବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କୀ ନିପାତ ହୋଇଛନ୍ତି । ଦୁହିଁଙ୍କ ମଧ୍ୟରେ ରାତିସାରା ଗୁଳି ବିନିମୟ ଜାରି ରହିଥିବା ନେଇ ସୂଚନା ରହିଛି ।
କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷରୁ ଏବେ ଗୁଳି ବିନିମୟ ହୋଇଥିଲା । ଗୁରୁବାର ସକାଳେ ଉତ୍ତର କାଶ୍ମୀରର ବାନ୍ଦିପୋରା ନିକଟ ରେଞ୍ଜି ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ 10 ମିନିଟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏହାପରେ ଅପରାହ୍ନରେ ପୁଣି ଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ତେବେ ଗୁଳି ବିନିମୟ ସମୟରେ ପ୍ରଥମେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଏମଆଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ଉଭୟଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ କୁହାଯାଉଛି ।