ପୁରୀ: ଜଗନ୍ନାଥ ଧାମରେ ପ୍ରବାସୀ ଭାରତୀୟ । ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶହ ଶହ ପ୍ରବାସୀ ଭାରତୀୟ । ଭୁବନେଶ୍ବରରେ ଆଜିଠାରୁ(ବୁଧବାର) ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍ଘାଟିତ ହୋଇଛି । ତେବେ ଓଡ଼ିଶାକୁ ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରାର ବିଷୟରେ ଅବଗତ କରାଇବା ସହ ଏକ ନିଆରା ଅନୁଭୂତି ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ପୁରୀରେ ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟଙ୍କୁ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ବୁଲାଇବାକୁ ନିଆଯାଉଛି । ଆଜି ପୁରୀ ଶ୍ରୀମନ୍ଦିରକୁ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ, ରାମଚଣ୍ଡୀ, ସାତପଡ଼ା, ଐତିହ୍ୟ ଗ୍ରାମ ରଘୁରାଜପୁର ଆଦି ପର୍ଯ୍ୟଟନସ୍ଥଳୀକୁ ନିଆଯାଇ ଓଡ଼ିଶାର ଗୌରବମୟ ଇତିହାସ ଏବଂ କଳା ସଂସ୍କୃତି ବିଷୟରେ ସୂଚନା ଦିଆଯାଉଛି । ତେବେ ଓଡ଼ିଶାର ଆକର୍ଷଣୀୟ କଳା ସଂସ୍କୃତି ଏବଂ ଇତିହାସ ବେଶ୍ ସମୃଦ୍ଧ ବୋଲି ପ୍ରବାସୀ ଭାରତୀୟମାନେ କହିଛନ୍ତି । ଓଡ଼ିଶାବାସୀ ଯେଉଁ ଆତିଥ୍ୟ ପ୍ରଦାନ କରିଛନ୍ତି ତାହା ଭୁଲିହେବ ନାହିଁ ବୋଲି ପ୍ରବାସୀ ଭାରତୀୟ କହିଛନ୍ତି ।
ଶ୍ରୀମନ୍ଦିରକୁ ଆସିଥିବା ଜଣେ ପ୍ରବାସୀ ଭାରତୀୟ ଜୟ ରାଜ କହିଛନ୍ତି, "ଆମେ କତାରରୁ ଆସିଛୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବା ପାଇଁ । ଭାରତୀୟ ଭାବେ ବେଶ୍ ଗର୍ବ ଅନୁଭବ କରୁଛୁ । ସାରା ବିଶ୍ବରୁ 7 ହଜାର ପ୍ରବାସୀ ଭାରତୀୟ ଓଡିଶାକୁ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ବଡ ବଡ ବ୍ୟବସାୟୀ ଅଛନ୍ତି । ସେମାନେ ଓଡ଼ିଶାର କଳା , ସଂସ୍କୃତି ବିଷୟରେ ଜାଣିବେ । ଓଡ଼ିଶାର ପ୍ରାକୃତିକ ସମ୍ପଦ ବିଷୟରେ ଅନେକ ତଥ୍ୟ ପାଇବେ ଫଳରେ ସେମାନେ ଓଡିଶାରେ ପୁଞ୍ଜିନିବେଶ କରିବେ । ଏହା ଦ୍ବାରା ଓଡିଶା ବେଶ୍ ଫାଇଦା ପାଇବ । ତେବେ ପ୍ରବାସୀଙ୍କୁ ଓଡ଼ିଶାରେ ବେଶ ନିଆରା ଢଙ୍ଗରେ ସ୍ବାଗତ କରାଯାଇଛି । ନିଜ ଘରକୁ ଆସିବା ଭଳି ଆମକୁ ଲାଗୁଛି । ତେବେ ଓଡିଶା ଆସି ମହାପ୍ରଭୁଙ୍କ ଦର୍ଶନ କରିବା ବେଶ୍ ସୌଭାଗ୍ୟର ବିଷୟ ।"
ଆଉ ଜଣେ ପ୍ରବାସୀ ଭାରତୀୟ ନଳିନୀ କହିଛନ୍ତି, "ମୁଁ ପ୍ୟାରିସରୁ ଆସିଛି, ଓଡ଼ିଆରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବା ପାଇଁ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵାରା ଭଲ କାର୍ଯ୍ୟକ୍ରମ । ଏହାଦ୍ବାରା ଭାରତର କଳା ସଂସ୍କୃତି ସାରା ବିଶ୍ଵରେ ପ୍ରଚାର ପ୍ରସାର ହୋଇ ପାରିବ । ମୁଁ ସବୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଆସିଥାଏ । ଏଥର ଓଡ଼ିଶାରେ ଏହା ହେଉଛି । ବହୁତ୍ ଭଲ ପଦକ୍ଷେପ । ମୋର ସ୍ବପ୍ନ ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ । ଆଜି ତାହା ପୂରଣ ହୋଇଥିବାରୁ ମୁଁ ବହୁତ୍ ଖୁସି ।"
ବିଚ୍ ଫେଷ୍ଟିଭାଲକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ:
ଅନ୍ୟପଟେ ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରବାସୀମାନଙ୍କୁ ଭରପୂର ମନୋରଂଜନ ଯୋଗାଇ ଦେବାପାଇଁ ପୁରୀରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୁରୀ ବେଳାଭୂମିରେ ବିଚ୍ ଫେଷ୍ଟିଭାଲ ଆୟୋଜନ କରାଯାଇଛି । ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପାରମ୍ପାରିକ ନୃତ୍ୟ କଳା, ବିଭିନ୍ନ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସୁମଧୁର ଗୀତ ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି । କେବଳ ସେତିକି ନୁହେଁ ପୁରୀ ବେଳାଭୂମିରେ ଭଳିକି ଭଳି ଡିଜାଇନର ବିଶାଳ ଗୁଡ଼ିକୁ ନେଇ କାଇଟ୍ ଫେଷ୍ଟିଭାଲ ମଧ୍ୟ ଅନୁଷ୍ଠିତ ହେଉଛି ।
ପୁରୀ ଗାନ୍ଧୀ ଘାଟରେ ପୁଷ୍ପ ପ୍ରଦର୍ଶନୀର ଆୟୋଜନ:
ସେହିପରି ପୁରୀ ଗାନ୍ଧୀ ଘାଟରେ ପୁଷ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥିସହ ନିଳାଦ୍ରୀ ବିଚରେ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଛି । ବିଭିନ୍ନ ପରିତ୍ୟକ୍ତ ସାମଗ୍ରୀକୁ ନେଇ ଚିତ୍ରଶିଳ୍ପୀମାନେ ବିଭିନ୍ନ ଆକର୍ଷଣୀୟ ଚିତ୍ରକଳା କରିଛନ୍ତି । ଟାୟାରରେ ନିର୍ମାଣ ହୋଇଛି ସମୁଦ୍ର କଙ୍କଡା, ପ୍ଲାଷ୍ଟିକ ବୋତଲରେ ଜେଲିଫିସ୍ ସହ ବିଭିନ୍ନ ଅବ୍ୟବହୃତ ସାମଗ୍ରୀକୁ ନେଇ ବିଭିନ୍ନ ଚିତ୍ରକଳା ପ୍ରସ୍ତୁତ ହୋଇଛି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ବେଶ୍ ଭିଡ ଜମାଉଛନ୍ତି ।
ପୁରୀ ବିଚରେ ନୃତ୍ୟ, ଗୀତ, ଚିତ୍ରକଳା ଓ ପୁଷ୍ପ ପ୍ରଦର୍ଶନୀ ସହିତ ସନ୍ଧ୍ୟା ବେଳେ ସଜ୍ଜା ହୋଇଥିବା ରଙ୍ଗବେରଙ୍ଗର ଆଲୋକରେ ଶ୍ରୀକ୍ଷେତ୍ର ଏକ ନବବଧୂ ଭଳି ସଜେଇ ହୋଇଥିବା ବେଳେ ପ୍ରବାସୀ ଭାରତୀୟ ଏବଂ ପର୍ଯ୍ୟଟକଙ୍କୁ ଏହା ବେଶ୍ ଆମୋଦିତ କରୁଛି । ଆଗାମୀ ଦିନରେ ପୁରୀ ସାରା ବିଶ୍ବରେ ପର୍ଯ୍ୟଟନସ୍ଥଳୀ ରୂପରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।
ଅଦରକାରୀ ଜିନିଷରେ ସୁନ୍ଦର କଳାକୃତି:
ପୁରୀକୁ ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ପାୟଲ ସିଂ କହିଛନ୍ତି, 'ଆମେ ପୁରୀ ବୁଲିବାକୁ ଆସିଥିଲୁ । ତେବେ ବେଳାଭୂମିରେ ଚିତ୍ରକଳା ପ୍ରଦର୍ଶନୀ ଦେଖି ଆମେ ବହୁତ୍ ଖୁସି । ବିଭିନ୍ନ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର ଚିତ୍ରକଳା ପ୍ରଦର୍ଶନୀ ହୋଇଛି । ଟାୟାରରେ କଙ୍କଡା, ପ୍ଲାଷ୍ଟିକ ବୋତଲରେ ଜେଲି ଫିସ କେବଳ ସେତିକି ନୁହେଁ ଅନେକ ଆର୍ଟ ହୋଇଛି । ଯାହାକୁ ଦେଖିବାକୁ ବହୁତ୍ ଭଲ ଲାଗୁଛି । ତେବେ ବେଳାଭୂମିର ସୁନ୍ଦରତା ପାଇଁ ଏହିଭଳି କାର୍ଯ୍ୟକ୍ରମ ହେବା ସହ ବେଳାଭୂମିକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉଚିତ୍ ।"
ବିଦେଶରେ ପହଞ୍ଚିବ ଓଡ଼ିଶାର କଳା:
ପୁରୀ ସହରର ବୁଦ୍ଧିଜୀବୀ ଯୁବବ୍ରତ କର କହିଛନ୍ତି, "ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅବସରରେ ପୁରୀର ନୀଳାଦ୍ରି ବିଚରେ ଓଡିଶା ଟ୍ୟୁରିଜିମ ଏବଂ ଓଡ଼ିଶା ଇକୋ ଟ୍ୟୁରିଜିମ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ସ୍ଥାପତ୍ୟ ମହୋତ୍ସବ ଆୟୋଜନ କରାଯାଇଛି । ଓଡ଼ିଶାର ପ୍ରତିଷ୍ଠିତ ସ୍ଥାପତ୍ୟ କଳାକାରଙ୍କୁ ନେଇ ଏହି ମହୋତ୍ସବ ଆୟୋଜନ କରାଯାଇଛି । ଏହି ଚିତ୍ରକଳା ପ୍ରଦର୍ଶନୀ ଦ୍ଵାରା ଓଡ଼ିଆର କଳା, ସଂସ୍କୃତି ଦେଶ ବିଦେଶରେ ପହଞ୍ଚି ପାରିବ। ' କୋଷ୍ଟାଲ୍ ଈମର୍ସନ' ଥିମ୍ ରହିଛି । ବିଭିନ୍ନ ଅଦରକାରୀ ବସ୍ତୁ ଟାୟାର, ପ୍ଲାଷ୍ଟିକ ବୋତଲ ସହ ଅନ୍ୟାନ୍ୟ ଜିନିଷକୁ ନେଇ ସ୍ଥାପତ୍ୟ କଳା ପ୍ରଦର୍ଶନ କରିଛନ୍ତି । ଏହା ଦ୍ବାରା ପରିବେଶ ସୁରକ୍ଷା ବାର୍ତ୍ତା ଦିଆଯାଇଛି । ଏହି ସ୍ଥାପତ୍ୟ କଳା ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ ହେଉଛି । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅବସରରେ ପୁରୀରେ ବ୍ୟାପକ କାର୍ଯ୍ୟକ୍ରମ ସହ ସାଜସଜା ହୋଇଛି । ଏହା ଦ୍ବାରା ପୁରୀ ସାରା ବିଶ୍ବ ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି । ଆଗାମୀ ଦିନରେ ପୁରୀ ସାରା ବିଶ୍ବରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପରେ ପରିପ୍ରକାଶ କରିବ । ଏହା ଫାଇଦା ଓଡ଼ିଶା ପାଇବ ।"
କଣ କହୁଛନ୍ତି ଉପମୁଖ୍ୟମନ୍ତ୍ରୀ:
ପୁରୀ ବେଳାଭୂମି ମହୋତ୍ସବରେ ଅତିଥି ଭାବରେ ଯୋଗ ଦେଇଥିବା ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଆମେ ବେଳାଭୂମି ମହୋତ୍ସବକୁ ଏଥର ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ସହିତ ଯୋଡିଛୁ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନୃତ୍ୟ, ସଙ୍ଗୀତ ସହ ଖାଦ୍ୟ ମେଳା, ହସ୍ତଶିଳ୍ପ ବଜାର, ପୁଷ୍ପ ପ୍ରଦର୍ଶନୀର ବ୍ୟବସ୍ଥା ରହିଛି । ତିନି ଦିନ ଆଡମ୍ବର ଭାବେ ଏହାକୁ ପାଳନ କରାଯିବ । ମୁଁ ଆଶା କରୁଛି ମହାପ୍ରଭୁଙ୍କ ଆଶୀର୍ବାଦରୁ ପର୍ଯ୍ୟଟନର ବିକାଶ ହେଉ । ବିଶ୍ଵରେ ଆମର ପ୍ରବାସୀ ଭାରତୀୟମାନେ ଆମ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହୁଅନ୍ତୁ । ଏହାହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ଆଗାମୀ ଦିନରେ ଏହି ବେଳାଭୂମି ମହୋତ୍ସବକୁ ଆହୁରି ଆକର୍ଷଣୀୟ କରାଯିବ ।"
ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ପୁରୀ ସହିତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀକୁ ପ୍ରବାସୀ ଭାରତୀୟମାନଙ୍କ ଆଗମନ ଜାରି ରହିଥିବା ବେଳେ ପୁରୀରେ ଆୟୋଜିତ ହୋଇଥିବା ସୁନ୍ଦର କାର୍ଯ୍ୟକ୍ରମକୁ ପ୍ରବାସୀ ଭାରତୀୟ ମାନେ ବେଶ୍ ପ୍ରଶଂସା କରିଛନ୍ତି ।