ରାୟପୁର:ଛତିଶଗଡ଼ କୋରବା ଲୋକସଭା ଆସନରେ ରୋଚକ ହେଉଛି ରାଜନୀତି । ଗୋଟିଏ ପଟେ ବିଜେପି ପ୍ରାର୍ଥୀ ସରୋଜ ପାଣ୍ଡେ ଓ କଂଗ୍ରେସ ପ୍ରାର୍ଥୀ ଜ୍ୟୋତ୍ସ୍ନା ମହନ୍ତ କୋଟିପତି । ଏପଟେ କୋରବା ଆସନରୁ ଆଜି ନାମାଙ୍କନ ଭରିଛନ୍ତି 'ଜିରୋ ବାଲାନ୍ସଧାରୀ' ଆଦିବାସୀ ସମ୍ପ୍ରଦାୟର ମହିଳା ଶାନ୍ତି ମାରଭି । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ଥିବା ବେଳେ ହାତରେ ମାତ୍ର 20ହଜାର ଟଙ୍କା । ଏହାରି ସହିତ ସେ ନିର୍ବାଚନୀ ମୈଦାନରେ କୋଟିପତି ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ପହଞ୍ଚିଛନ୍ତି । ତେବେ ଏଠାରେ ପଇସା କାମ ଦେଉଛି ନା ଶାନ୍ତିଙ୍କ ଶାନ୍ତପଣ ତାହା ଏଠାକାର ରାଜନୀତିକୁ ରୋଚକ ସ୍ଥିତିରେ ପହଞ୍ଚାଇଛି ।
ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ଶାନ୍ତି:- କୋରବା ଲୋକସଭା ଆସନରୁ ମହିଳା ପ୍ରାର୍ଥୀ ଶାନ୍ତି ବାଇ ମାରଭି ଗୌରେଲା ପେଣ୍ଡର୍ରା ମାରୱାହିର ବାସିନ୍ଦା । ସେ ବୃତ୍ତିରେ ଜଣେ ଚାଷୀ । 33 ବର୍ଷୀୟ ଶାନ୍ତି ବାଇ ଏକ ସରକାରୀ ବିଦ୍ୟାଳୟରେ 5ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।
ବ୍ୟାଙ୍କ ଖାତାରେ ଟଙ୍କାଟିଏ ବି ନାହିଁ:-ଶାନ୍ତି ବାଇ ହେଉଛନ୍ତି ଜଣେ ଦିନ ମଜୁରିଆ । ସେ ଚାଷଜମିରେ ଚାଷକାର୍ଯ୍ୟ କରି ରୋଜଗାର କରନ୍ତି । ବର୍ତ୍ତମାନ ଏହି ନିର୍ବାଚନୀ ବୈତରଣୀ ପାର କରିବା ଲାଗି ଶାନ୍ତିଙ୍କ ହାତରେ ମାତ୍ର 20 ହଜାର ଟଙ୍କା ରହିଛି । ଏହାବାଦ ତାଙ୍କ ନିକଟରେ ସେପରି କୌଣସି ବଡ଼ ଦାମି ଜିନିଷ ମଧ୍ୟ ନାହିଁ । ପେଣ୍ଡ୍ରା ବ୍ୟାଙ୍କ ଅଫ ବରୋଦାରେ ଶାନ୍ତିଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ହେଲେ ଏହା ସମ୍ପୂର୍ଣ୍ଣ ଖାଲି । ଏଥିରେ ଟଙ୍କାଟିଏ ବି ନାହିଁ । ସେପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ 2ହଜାର ଟଙ୍କା ଥିବା ଜଣାପଡ଼ିଛି ।
ସମ୍ପତ୍ତି କେତେ ?:- ଶାନ୍ତି ମାରଭିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ନାହିଁ । ଏଥିରେ ମଧ୍ୟ 2 ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ବହୁ ପଛରେ ଶାନ୍ତି । ଶାନ୍ତିଙ୍କ ନିକଟରେ ସ୍ଥାବର ସମ୍ପତ୍ତି ଭାବେ ପ୍ରାୟ ଦେଢ ଏକର ଚାଷଜମି ରହିଛି । ସେହିପରି ଅସ୍ଥାବର ସମ୍ପତ୍ତି ଭାବେ 10 ଗ୍ରାମ ସୁନା ଓ 50 ଗ୍ରାମ ରୂପା ରହିଛି । ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଶାନ୍ତି ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।