ପୁରୀ: ଶାରଦୀୟ ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ରରେ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ପାରମ୍ପରିକ ପୂଜା ବିଧି । ପରମ୍ପରା ଅନୁଯାୟୀ ମୂଳାଷ୍ଟମୀ ଅବସରରେ ଗଜପତିଙ୍କ ଶ୍ରୀନହରରୁ ଷୋଳପୂଜାର ବିଧି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠଗୁଡ଼ିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ସ୍ତ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡ଼ାକି ବରଣ କରିବା ସହ ବସ୍ତ୍ରଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି । ଏହି ଆଚାର୍ଯ୍ୟମାନେ ଷୋଳପୂଜାର ବିଧି ଅନୁଯାୟୀ, ପୁରୀରେ ଥିବା ଶକ୍ତିପୀଠଗୁଡ଼ିକରେ ଚଣ୍ତୀପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ ।
ଷୋଡ଼ଶ ପୂଜାବିଧି ଆରମ୍ଭ:
ତେବେ ଆଶ୍ବୀନ ମାସ କୃଷ୍ଣପକ୍ଷ ଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଏହି ଷୋଡ଼ଶ ପୂଜାର୍ଚ୍ଚନା କରାଯିବ । ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା' ବିମଳାଙ୍କ ପୀଠରେ ସ୍ତ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି ।
କେମିତି ଦେବୀ ବିମଳା ହେଲେ ଆବିର୍ଭୁତା:
ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଭାପତି ପଣ୍ଡିତ ବିଶ୍ଵନାଥ ମିଶ୍ର କହିଛନ୍ତି, "ପୌରାଣିକ ଗାଥା ଅନୁଯାୟୀ, ଯେତେବେଳେ ରାଜା ଦକ୍ଷ ଯଜ୍ଞ କରିଥିଲେ, ସେହି ଯଜ୍ଞ ପାଇଁ ସମସ୍ତ ଦେବାଦେବୀ, ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ତାଙ୍କ ଝିଅ ସତୀ, ଯିଏ ପ୍ରଭୁ ଶିବଙ୍କୁ ବିବାହ କରିଥିଲେ । ପ୍ରଭୁ ଶିବଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ରାଜା ଦକ୍ଷ ତାଙ୍କୁ ନିମନ୍ତ୍ରଣ କରିନଥିଲେ । ପ୍ରଭୁ ଶିବଙ୍କୁ ନିମନ୍ତ୍ରଣ ମିଳିନଥିବାରୁ ତାଙ୍କ ପତ୍ନୀ ସତୀ ଅସନ୍ତୁଷ୍ଟ ହୋଇ ଯଜ୍ଞକୁଣ୍ଡରେ ନିଜକୁ ଆତ୍ମାହୁତି ଦେଇଥିଲେ । ଏଥିପାଇଁ ପ୍ରଭୁ ଶିବ କ୍ଷୁବ୍ଧ ହୋଇ ସତୀଙ୍କ ଅର୍ଦ୍ଧ ଦଗ୍ଧ ଶରୀରକୁ ଧରି ତାଣ୍ଡବ ନୃତ୍ୟ ଆରମ୍ଭ କହିଥିଲେ । ସେତେବେଳେ ପୃଥିବୀ ଧ୍ଵଂସ ହୋଇ ଯାଇଥାଆନ୍ତା । ଏହି କଥା ଦେବଗଣ ପ୍ରଭୁ ବିଷ୍ଣୁଙ୍କୁ ଜଣାଇବା ପରେ ପ୍ରଭୁ ବିଷ୍ଣୁ ନିଜେ ଚକ୍ରରେ ସତୀଙ୍କ ଦଗ୍ଧ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ପକେଇ ଥିଲେ । ସେଥିରୁ ସତୀଙ୍କ ଶରୀରର ପ୍ରଥମ ଖଣ୍ଡ ପଡ଼ିଥିଲା ଶ୍ରୀକ୍ଷେତ୍ର ପୁରୀରେ । ଯିଏକି ବିମଳା ଦେବୀ ଭାବେ ଆବିର୍ଭୁତା ।
ଷୋଡ଼ଶ ପୂଜାରେ ବିମଳାଙ୍କ ମନ୍ଦିରକୁ ମହିଳାଙ୍କ ପ୍ରବେଶରେ କଟକଣା:
ପଣ୍ଡିତ ବିଶ୍ଵନାଥ ମିଶ୍ର କହିଛନ୍ତି, "ଏହି ଷୋଡ଼ଷ ପୂଜା ସମୟରେ ଦେବୀ ରକ୍ତମୁଖା ଥାଆନ୍ତି । ତେଣୁ ଏହି ରକ୍ତମୁଖା ବେଳେ ହୁଏତ କିଛି ଅଭିଶାପ ମିଳିଯିବାର ଆଶଙ୍କା ଥାଏ । ଏଥିପାଇଁ ମହିଳାଙ୍କୁ ତାଙ୍କ ମୁଖ ଦର୍ଶନ ପାଇଁ ବାରଣ କରାଯାଇଥାଏ । ଷୋଡ଼ଶ ପୂଜା ସମୟରେ ଦେବୀ ବିମଳାଙ୍କ ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ବାରଣ କଟକଣା ଥାଏ । ତିନୋଟି ଧୂପ ତିନି ଥର ପୁଜା କରାଯାଇ ନାନା ବ୍ୟଞ୍ଜନ ପିଠା, ଅନ୍ନ, ଡାଲି, ଖେଚେଡ଼ି, ବେସର ଆଦି ଭୋଗ ହୋଇଥାଏ ।
ଷୋଡ଼ଶ ପୂଜାରେ ଦେବୀ ବିମଳାଙ୍କ ପାଖରେ ହେଇଥାଏ ବଳୀ ନୀତି:
ପଣ୍ଡିତ ବିଶ୍ଵନାଥ ମିଶ୍ର କହିଛନ୍ତି, "ଷୋଡ଼ଶ ପୂଜାରେ ଦେବୀ ବିମଳାଙ୍କ ପୀଠରେ ତନ୍ତ୍ର ପୂଜା ହୋଇଥାଏ । ତନ୍ତ୍ର ପୂଜା ବିଧି ଅନୁଯାୟୀ, ବଳୂ ନୀତି ପରମ୍ପରା ରହିଛି । ତାହାକୁ ବନ୍ଦ କରାଯାଇ ପାରିବ ନାହିଁ । ସପ୍ତମୀ, ଅଷ୍ଟମୀ ଓ ନବମୀ ମହାରାତ୍ରରେ ଏହି ବଳୀ ନୀତି ନିଶାର୍ଦ୍ଧରେ ଅନୁଷ୍ଠିତ ହେଇଥାଏ । ମତ୍ସ୍ୟ ଓ ପଶୁ ବଳି ପରମ୍ପରା ଅଛି । ଏହି ପ୍ରଥା ବହୁ କାଳରୁ ପ୍ରଚଳିତ ରହିଆସିଛି । ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବଳିପ୍ରଥା ଆବହମାନ କାଳରୁ ପ୍ରଚଳିତ ରହିଛି ।
ଶ୍ରୀମନ୍ଦିରରେ କିଭଳି ଅନୁଷ୍ଠିତ ହେଇଥାଏ ଷୋଡ଼ଶ ପୂଜା:
ପଣ୍ଡିତ ବିଶ୍ବମ୍ବର ଦାଶ କହିଛନ୍ତି, "ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ବିମଳା । ଏ କ୍ଷେତ୍ରର ଅଧୀଶ୍ଵର ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଶାରଦୀୟ ଦୁର୍ଗାପୂଜାରେ ସବୁଠି ଶିବ ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଶ୍ରୀମନ୍ଦୀରରେ ଦୁର୍ଗା ମାଧବ ଉପାସନା ଅନୁଷ୍ଠିତ ହେଇଥାଏ । ମା' ବିମଳା ଗତ ରାଧାଷ୍ଟମୀରେ ଶୟନ କରିଥିଲେ । ପୂର୍ଣ୍ଣମୀରେ ତାଙ୍କର ପାର୍ଶ୍ୱ ପରିବର୍ତ୍ତନ ହୋଇଥଲା । ତେବେ ମୂଳାଷ୍ଟମୀ ତିଥିରେ ମା'ଙ୍କ ସକାଳ ଧୂପ ସରିବା ପରେ ସୋମନାଥ ମଣ୍ଡପକୁ ବିଜେ କରନ୍ତି ମା' ବିମଳାଙ୍କ ପ୍ରତିନିଧି ମା' କନକ ଦୁର୍ଗା । ସେଠାରେ ପୂଜାପଣ୍ଡା ସାମନ୍ତ, ବିଦ୍ୟାପତିଙ୍କ ଦ୍ୱାରା ମା'ଙ୍କୁ ଏକ ହଜାର ଗରା ଜଳରେ ମହାସ୍ନାନ କରାଯାଇଥାଏ । ଏହାକୁ ସହସ୍ର କୁମ୍ଭଭିସେକ କୁହାଯାଏ ।
ନିଶାର୍ଦ୍ଧରେ ଗୁପ୍ତ ପୂଜା ପାଇଁ ମନ୍ଦିର ବନ୍ଦ:
ପଣ୍ଡିତ ବିଶ୍ବମ୍ବର ଦାଶ ଆହୁରି କହିଛନ୍ତି, "ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ମା'ଙ୍କ ୩ଟି ଧୂପ ଅନୁଷ୍ଠିତ ହୋଇଥାଏ । ଏହି ପୂଜା ଷୋଡ଼ଶ ପୂଜାରେ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଭିତରେ ଦେବୀ ବିମଳା, ବଟ ମଙ୍ଗଳା, ଭୁବନେଶ୍ଵରୀ, ଉତ୍ତରାୟଣୀରେ ପୂଜା ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ଚାରିପାଖରେ ଥିବା ବିଭିନ୍ନ ଶକ୍ତି ପୀଠ ଯଥା, ମା' ଚର୍ଚ୍ଚିକା, କପିଳେଶ୍ୱରର ପଞ୍ଚମୁଖି , ଦକ୍ଷିଣ କାଳୀ ଏବଂ ଅଲାମଚଣ୍ଡୀଙ୍କ ପୀଠରେ ଗଜପତି ମହାରାଜାଙ୍କ ଠାରୁ ବରଣ ନେଇ ବ୍ରାହ୍ମଣମାନେ ଷୋଡ଼ଷ ପୂଜା କରିଥାନ୍ତି । ଏହି ପୂଜା ମହାନବମୀ ପର୍ଯ୍ୟନ୍ତ ଚାଲିବ । ସପ୍ତମୀ, ଅଷ୍ଟମୀ ଓ ନବମୀରେ କେବଳ ଦେବୀ ବିମଳାଙ୍କ ମନ୍ଦିରରେ ମହାପୂଜା ଅନୁଷ୍ଠିତ ହେବ । ନିଶାର୍ଦ୍ଧରେ ଗୁପ୍ତ ପୂଜା ପାଇଁ ମନ୍ଦିର ବନ୍ଦ ରହିବ । ସାରା ବିଶ୍ବର ଓ ରାଷ୍ଟ୍ରର ମଙ୍ଗଳ ପାଇଁ ଏହି ପୂଜା ଅନୁଷ୍ଠିତ ହୋଇଥାଏ ।
ଇଟିଭି ଭାରତ, ପୁରୀ