କେନ୍ଦୁଝର: ଆଜି (ମଙ୍ଗଳବାର) ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମକର ସଂକ୍ରାନ୍ତି ଅବସରେ ନିଜ ଜିଲ୍ଲାରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ । ବୈତରଣୀ ନଦୀରେ ମକର ବୁଡ ପକାଇବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି କେନ୍ଦୁଝରବାସୀ । କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବା ନେଇ ସିଏମଓ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।
ମକର ବୁଡ ପକାଇବେ ମୁଖ୍ୟମନ୍ତ୍ରୀ:
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶିତ ସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମାଝୀ ଆଜି (ମଙ୍ଗଳବାର) ସକାଳ ୮ ଟା ୫୫ରେ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ । ୯ଟା ୪୦ରେ ରାଇସୁଆଁ ସ୍ଥିତ ଏୟାରଷ୍ଟ୍ରିପ୍ରେ ଅବତରଣ କରିବା ପରେ ସେଠାରୁ ସିଧା ପାଟଣା ଗସ୍ତରେ ଯିବେ । ୧୦ଟା ୪୦ରେ ପୂଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ ପକାଇବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୧୧ଟା ୩୦ରେ ପାଟଣାସ୍ଥିତ ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ବାସଭବନରେ ପହଞ୍ଚିବେ ।
- ସକାଳ ୮ ଟା ୫୫ ରେ କେନ୍ଦୁଝର ଅଭିୁମଖେ ବାହାରିବେ ମୁଖ୍ୟମନ୍ତ୍ରୀ
- ୯ଟା ୪୦ ରେ ରାଇସୁଆଁରେ ପହଞ୍ଚିବେ
- ୧୦ଟା ୪୦ରେ ବୈତରଣୀ ନଦୀରେ ମକର ବୁଡ ପକାଇବେ ମୁଖ୍ୟମନ୍ତ୍ରୀ
ଝୁମ୍ପୁରାରେ ସେତୁ ଉଦଘାଟନ କାର୍ଯ୍ୟକ୍ରମ :
ସେଠାରୁ ମଧ୍ୟାହ୍ନ ୧୨ଟା ୦୫ ରେ କେନ୍ଦୁଝର ଅଭିମୁଖେ ବାହାରି ଅପରାହ୍ନ ୧ଟାରେ କେନ୍ଦୁଝର ସର୍କିଟ ହାଉସ୍ଠାରେ ପହଞ୍ଚି ମଧ୍ୟାହ୍ନଭୋଜନ କରିବା ପରେ ବିଶ୍ରାମ ନେବେ । ଏହାପରେ ଅପରାହ୍ନ ୪ଟାରେ ଝୁମ୍ପୁରାରେ ପହଞ୍ଚି ସେତୁ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୨୫ରେ ନିଜ ଗ୍ରାମ ରାଇକଳାକୁ ଯାଇ ସନ୍ଧ୍ୟା ୬ଟାରେ ସର୍କିଟ ହାଉସ୍କୁ ଫେରି ରାତ୍ରିଯାପନ କରିବେ ।
- ଅପରାହ୍ନ ୧ଟାରେ କେନ୍ଦୁଝର ସର୍କିଟ ହାଉସ୍ଠାରେ ମଧ୍ୟାହ୍ନଭୋଜନ କରିବେ ମୁଖ୍ୟମନ୍ତ୍ରୀ
- ଅପରାହ୍ନ ୪ଟାରେ ଝୁମ୍ପୁରାରେ ସେତୁ ଉଦ୍ଘାଟନ କରିବେ
- ୪ଟା ୨୫ରେ ରାଇକଳାକୁ ଗସ୍ତ କରିବେ ସିଏମ
ଆସନ୍ତାକାଲି (ବୁଧବାର)ର କାର୍ଯ୍ୟକ୍ରମ:
- ବୁଧବାର ଦିନ ସକାଳ ୧୧ ଟାରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ବର୍ଦ୍ଧିତ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
- ଅପରାହ୍ନ ୪ଟା ୧୫ମି.ରେ ସଡକପଥରେ ବଡବିଲ ଅଭିମୁଖେ ଯାତ୍ରା କରି ସନ୍ଧ୍ୟା ୫ଟା ୨୦ରେ ବଡବିଲ ସ୍ଥିତ ଓଏମଡିସି ଅତିଥି ଭବନରେ ପହଞ୍ଚିବେ ।
- ସନ୍ଧ୍ୟା ୫ଟା ୪୦ରେ ବଡବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବନିର୍ମିତ ଶାରଳା ମଣ୍ଡପ (ପ୍ରାର୍ଥନା ଗୃହ)କୁ ଉଦ୍ଘାଟନ କରିବେ ।
- ସନ୍ଧ୍ୟା ୬ଟା ୦୫ ରେ ବଡବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ କରିବେ ।
- ରାତି ୯ଟାରେ ବଡବିଲରୁ ଫେରି ୧୧ଟା ୧୦ରେ କେନ୍ଦୁଝରରେ ପହଞ୍ଚି ସର୍କିଟ ହାଉସରେ ରାତ୍ରିଯାପନ କରିବେ ।
ଗୁରୁବାର ଦିନ ଭୁବନେଶ୍ବର ଫେରିବେ:
ଏହାପରେ ଗୁରୁବାର ଦିନ ସକାଳ ୯ ଟାରେ କେନ୍ଦୁଝରରୁ ବାହାରି ୯ଟା ୪୦ରେ ଝୁମ୍ପୁରା ବ୍ଲକ ବାଲିବନ୍ଧ ସ୍ଥିତ ବିଜେପି ନେତା ମହେନ୍ଦ୍ର ପଟ୍ଟନାୟକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ୧୦ଟା ୪୫ ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଇଟିଭି ଭାରତ, କେନ୍ଦୁଝର