Herbal teas headache: କାର୍ଯ୍ୟଭାର, ମାନସିକ ଚାପ, ସ୍ବାସ୍ଥ୍ୟଗତ ସମସ୍ୟା ଓ ବିଭିନ୍ନ କାରଣରୁ ଅନେକ ସମୟରେ ମୁଣ୍ଡବିନ୍ଧା ହୋଇଥାଏ । ମୁଣ୍ଡବିନ୍ଧା ବିଭିନ୍ନ ପ୍ରକାରର । ଯେମିତିକି-ଟେନସନ ମୁଣ୍ଡବିନ୍ଧା, ମାଇଗ୍ରେନ । ଟେନସନ ମୁଣ୍ଡବିନ୍ଧାରେ ସାମାନ୍ୟରୁ ମଧ୍ୟମ ଧରଣ ଯନ୍ତ୍ରଣା ହୋଇଥାଏ । ମାଇଗ୍ରେନରେ ମୁଣ୍ଡର ଗୋଟିଏ ଫାଳରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୁଏ । ମୁଣ୍ଡବିନ୍ଧା ହେବା ମାତ୍ରେ ସମସ୍ତେ ଏଥିରୁ ଆରାମ ପାଇଁ ବିଭିନ୍ନ ଉପାୟ କରନ୍ତି । ତେବେ ଯେମିତି ବି ମୁଣ୍ଡବିନ୍ଧା ହେଉଥାଉ, କପେ ଗରମ ଚା' ପିଇଦେଲେ ଏଥିରୁ ସାମାନ୍ୟ ଆଶ୍ବସ୍ତି ମିଳିଥାଏ । ଚା' ଭାରତର ସବୁଠୁ ଲୋକପ୍ରିୟ ପାନୀୟ । ସକାଳେ ଓ ସନ୍ଧ୍ୟାରୁ ଦୁଇ ଟାଇମ୍ ଚା' ପିଇବା ଅଧିକାଂଶ ଭାରତୀୟଙ୍କ ଅଭ୍ୟାସ । ଆଜି ଆମେ ଆପଣଙ୍କୁ ଏମିତି କିଛି ହର୍ବାଲ ଚା' ବିଷୟରେ କହିବୁ, ଯାହାକୁ ମୁଣ୍ଡବିନ୍ଧା ସମୟରେ ପିଇଲେ ଆରାମ ମିଳେ ।
ଅଦା ଚା: ଅଦା ଅନେକ ପ୍ରକାର ଔଷଧୀୟ ଗୁଣରେ ଭରପୂର । ଆୟୁର୍ବେଦିକ ଔଷଧ ରୂପେ ଅଦାର ବ୍ୟାପକ ବ୍ୟବହାର କରାଯାଏ । ଏଥିରେ ଥିବା ପ୍ରାକୃତିକ ଗୁଣ ଥଣ୍ଡା, କାଶ ସମେତ ବହୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଅଦାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ମାଇଗ୍ରେନ ପୀଡିତଙ୍କ ପାଇଁ ଲାଭଦାୟକ ମନେକରାଯାଏ । ତେବେ ସେମାନେ ବିନା କ୍ଷୀରର ଅଦା ଚା' ପିଇବା ଉଚିତ୍ ।

ପୋଦିନା ଚା: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ଅନୁସାରେ, ପେପରମିଣ୍ଟ (ପୋଦିନା) ତେଲ ମୁଣ୍ଡରେ ମାଲିସ୍ କଲେ ଟେନସନ ଜନିତ ମୁଣ୍ଡବିନ୍ଧା କମିଥାଏ । ସେହିପରି ପୋଦିନା ଚା' ମଧ୍ୟ ମୁଣ୍ଡବିନ୍ଧାରୁ ଆରାମ ଦେଇଥାଏ । ବଜାରରେ ପୋଦିନା ଚା ଗୁଣ୍ଡ ଉପଲବ୍ଧ । ଏହି ଚା' ସମସ୍ତଙ୍କ ପାଇଁ ସୁରକ୍ଷିତ, ଏଥିରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ନଥାଏ ।

ଲବଙ୍ଗ ଚା: ଲବଙ୍ଗରେ ଅନେକ ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ରହିଛି । ମୁଣ୍ଡବିନ୍ଧା ଏବଂ ଅନ୍ୟ କିଛି ଯନ୍ତ୍ରଣାରୁ ଆରାମ ପାଇଁ ଏହାକୁ ବ୍ୟବହାର କରାଯାଏ । ଏହାର ଆଣ୍ଟିନୋସିସେପ୍ଟିଭ ଗୁଣ ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରେ । ଗରମ ପାଣିରେ ଏକ ଚାମଚ ଲବଙ୍ଗ ଗୁଣ୍ଡ ମିଶାଇ 10 ମିନିଟ୍ ଫୁଟାଇ ପିଅନ୍ତୁ । ଏହାଦ୍ବାରା ମୁଣ୍ଡବିନ୍ଧାରୁ ଆରାମ ମିଳେ ।

କେମୋମାଇଲ ଚା: ଏହା ଏକପ୍ରକାର ହର୍ବାଲ ଚା, ଯାହାକି ମାଇଗ୍ରେନ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ । ଏଥିରେ ଥିବା ଉପାଦାନ ମାନସିକ ଚିନ୍ତା ଓ ଚାପ କମ୍ କରିଥାଏ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ । ମୁଣ୍ଡବିନ୍ଧା ସମୟରେ କେମୋମାଇଲ ଚା' ପିଇଲେ ଆରାମ ମିଳେ । ଏକ ଗ୍ଲାସ ଗରମ ପାଣି ନେଇ ସେଥିରେ କେମୋମାଇଲ ମିଶାଇ ପିଇବାକୁ ପରାମର୍ଶ ଦିଆଯାଏ । ଏହାଦ୍ବାରା ଶରୀରକୁ ଆରାମ ମିଳିବା ସହ ରାତିରେ ଭଲ ନିଦ ହୁଏ । ଗ୍ରୋସେରୀ ଷ୍ଟୋରରୁ ଆପଣ କେମୋମାଇଲ ଟି ବ୍ୟାଗ ପାଇପାରିବେ ।

ଗ୍ରୀନ ଟି: ଯଦି ଆପଣଙ୍କ ପାଖରେ ଉପରୋକ୍ତ କୌଣସି ହର୍ବାଲ ଚା ନାହିଁ, ତାହେଲେ ମୁଣ୍ଡବିନ୍ଧା ତଥା ମାଇଗ୍ରେନରୁ ଆରାମ ପାଇଁ ବିକଳ୍ପ ଭାବେ ଗ୍ରୀନ ଟି ପିଇପାରିବେ । ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥାଏ, ଯାହା ସ୍ନାୟୁ ଓ ମାଂଶପେଶୀକୁ ଆରାମ ଦିଏ । ଏହାଫଳରେ ଚାପ କମିଥାଏ ଓ ଏହି ଚା ମେଟୋବୋଲିଜମ ବୃଦ୍ଧି କରିଥାଏ । ଓଜନ କମାଇବାକୁ ଚାହୁଁଥିବା ଲୋକେ ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି । ମାଇଗ୍ରେନ ରୋଗୀ ଦିନକୁ 2ରୁ 3 କପ୍ ଗ୍ରୀନ ଟି ପିଇପାରିବେ । ଏହାବ୍ୟତୀତ ଅନେକ ଲୋକ ଇଲାଇଚି ଚା, ଲେମନ ଟି ମଧ୍ୟ ପିଇଥାନ୍ତି ।
Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।