ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ସହ ପ୍ରଶାସନିକ କ୍ଷମତା ପାଇଁ ଲଢେଇ ଲଢୁଥିବା ଦିଲ୍ଲୀ ସରକାରକୁ ସର୍ବୋଚ୍ଚ କୋର୍ଟରୁ ଆଉ ଏକ ଝଟକା ଲାଗିଛି । ମହାନଗର ନିଗମରେ ସଦସ୍ୟଙ୍କୁ ମନୋନିତ କରିପାରିବେ ଉପରାଜ୍ୟପାଳ । ଏଥିପାଇଁ ନିର୍ବାଚିତ ସରକାରଙ୍କ ସୁପାରିଶ କିମ୍ବା ପରାମର୍ଶ ଉପରାଜ୍ୟପାଳ ଗ୍ରହଣ କରିବା ଜରୁରୀ ନୁହେଁ । ଆଜି ଏହି ସମ୍ପର୍କିତ ମାମଲାରେ ସଂରକ୍ଷିତ ରାୟ ପ୍ରକାଶ କରି ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି । ପୁଣି ଥରେ ପ୍ରଶାସନିକ କ୍ଷମତା ମାମଲାରେ ଦିଲ୍ଲୀ ସରକାରଙ୍କ ଉପରେ ଉପରାଜ୍ୟପାଳ ଭାରି ପଡିଛନ୍ତି ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ 3ଜଣିଆ ଖଣ୍ଡପୀଠର ସଂରକ୍ଷିତ ରାୟ ପ୍ରକାଶ ପାଇଛି । ଖଣ୍ଡପୀଠ ରାୟରେ କହିଛନ୍ତି, ଏହା ଉପରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା । ଏହାକୁ ପ୍ରଶାସନିକ କ୍ଷମତା ବା କାର୍ଯ୍ୟପାଳିକା କ୍ଷମତା ଭାବେ ବର୍ଣ୍ଣନା କରାଯାଇ ପାରିବନାହିଁ । ତେଣୁ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିବା କ୍ଷେତ୍ରରେ ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କଠାରୁ ସୁପାରିଶ ଗ୍ରହଣ କରିବା ପାଇଁ ବାଧ୍ୟ ନୁହନ୍ତି ।
- ରାୟରେ କ’ଣ ଟିପ୍ପଣୀ କଲେ କୋର୍ଟ:-
ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ ମହାନଗର ନିଗମର ସମ୍ବିଧାନର ଧାରା 3(3)(b) ଅନୁସାର ରାଜ୍ୟପାଳ 10 ଜଣ ବ୍ୟକ୍ତିଙ୍କୁ ମହାନଗର ନିଗମ ସଦସ୍ୟ ଭାବେ ମନୋନିତ କରିପାରିବେ । ଏମାନଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ ଅବଦାନ ରହିଥିବ ଓ ସେମାନେ ଅନୁନ୍ୟ 25 ବର୍ଷରୁ ଅଧିକ ବୟସର ହୋଇଥିବେ । ଏହି ଚୟନ ଉପରାଜ୍ୟପାଳଙ୍କ କ୍ଷମତା ଓ ଇଚ୍ଛା ଉପରେ ନିର୍ଭର କରେ । ତେବେ ଏହାକୁ ଦିଲ୍ଲୀ ସରକାର ବିରୋଧ କରିବା ସହ ଏହା ଉପରାଜ୍ୟପାଳଙ୍କ କ୍ଷମତା କ୍ଷେତ୍ରାଧିକାର ନୁହେଁ ବୋଲି ଦର୍ଶାଇ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।