ଜୟପୁର: ମହାଶିବରାତ୍ରୀ ଶୋଭାଯାତ୍ରା ବେଳେ ଅଘଟଣ । ବିଦ୍ୟୁତ ଆଘାତ ଲାଗି 18 ପିଲା ଆହତ । ସାରା ଦେଶରେ ମହାଶିବରାତ୍ରୀକୁ ନେଇ ଉତ୍ସବମୁଖର ହୋଇଥିବା ରାଜସ୍ଥାନର କୋଟା ଅଞ୍ଚଳରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆହତ ପିଲାଙ୍କ ମଧ୍ୟରେ ଜଣକ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଖବର ପାଇ ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟର ଶକ୍ତି ମନ୍ତ୍ରୀ ହିରାଲାଲ ନାଗର ହସ୍ପିଟାଲରେ ପହଞ୍ଚିଥିଲେ । ଆହତ ପିଲାଙ୍କୁ ଭେଟିଲା ସହ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏଥିସହ ପିଲାଙ୍କ ଭଲ ଭାବରେ ଚିକିତ୍ସା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ଖେଳି ଯାଇଛି । କିପରି ଏପରି ଦୁଃଖଦ ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି ।
କିପରି ଘଟିଲା ଘଟଣା:କୋଟାର କୁହ୍ନାଡି ଥାନା ଅଞ୍ଚଳରେ ଥିବା କାଳି ବସ୍ତିରେ ଆଜି ଏହି ଦୁଃଖଦ ଘଟଣା ଘଟିଛି । ଆଜି ଶିବରାତ୍ରୀ ଥିବାରୁ ଏଠାକାର ଲୋକେ କଳସ ଯାତ୍ରାର ଆୟୋଜନ କରିଥିଲେ । ଯେଉଁଥିଲେ ପିଲା ମାନେ ମଧ୍ୟ ସାମିଲ ଥିଲେ । ହାତରେ ପତାକା ଧରି ପିଲା ମାନେ ଯାଉଥିବା ବେଳେ ଅଚାନକ ଷ୍ଟେସନ ଲାଇଟରେ ସଂସ୍ପର୍ଶରେ ଚାଲି ଆସିଥିଲା । ଫଳରେ ବିଦ୍ୟୁତ୍ ଆଘାତ ଲାଗି 18 ଜଣ ଶିଶୁ ଆହତ ହୋଇଛନ୍ତି ।