ନିଆଳି: ଗୁଣାତ୍ମକ ଶିକ୍ଷା, ଛାତ୍ରଛାତ୍ରୀଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଦୀପ ତଳ ଅନ୍ଧାର ପରି ନାନା ସମସ୍ୟା ଦେଇ ଗତି କରୁଛି 49 ବର୍ଷର ନିଆଳି ଡିଗ୍ରୀ ମହାବିଦ୍ୟାଳୟ । ମହାବିଦ୍ୟାଳୟର କିଛି ବିଭାଗ ଭଙ୍ଗା ଆଜବେଷ୍ଟ ତଳେ ଚାଲୁଥିବା ବେଳେ ଅଧାପନ୍ତରିଆ ହୋଇପଡି ରହିଛି ଛାତ୍ରୀ ନିବାସ । ସମସ୍ୟା ସେତିକିରେ ସୀମିତ ନୁହେଁ ମହାବିଦ୍ୟାଳୟର ୧୮ଟି ଅଧ୍ୟାପକ ପଦବୀ ଖାଲିପଡ଼ିଥିବା ବେଳେ ୮ଟି କିରାଣୀ ଓ ୧୬ଟି ପିଅନ ପଦବୀ ମଧ୍ୟ ଖାଲି ପଡ଼ିଛି । ଏସବୁ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଛାତ୍ରୀ ।
ନିଆଳି ଡିଗ୍ରୀ ମହାବିଦ୍ୟାଳୟ ସମ୍ପର୍କରେ...
ଭୁବନେଶ୍ବର ଅନତି ଦୂରରେ ପ୍ରାଚୀ ତଟରେ ୧୯୭୭ ମସିହାରେ କଟକ ଜିଲ୍ଲା ନିଆଳି ବ୍ଳକରେ ନିର୍ମାଣ ହୋଇଥିଲା ନିଆଳି ଡିଗ୍ରୀ ମହାବିଦ୍ୟାଳୟ । ଏହାରି ଭିତରେ ମହାବିଦ୍ୟାଳୟକୁ ୪୯ ବର୍ଷ ପୂରଣ ହେବାକୁ ବସିଛି । ଏଠାରେ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ରହିଛି । ଏଥିସହ ମହାବିଦ୍ୟାଳୟରେ ପ୍ରାୟ ୧୦୦୦ ଝିଅ ପାଠ ପଢୁଛନ୍ତି ।
![ନିଆଳି ମହାବିଦ୍ୟାଳୟ](https://etvbharatimages.akamaized.net/etvbharat/prod-images/30-01-2025/23435575_college-5.jpg)
ନିଆଳି ମହାବିଦ୍ୟାଳୟରେ ସମସ୍ୟା ସବୁ କଣ ?
ମହାବିଦ୍ୟାଳୟଟି 49 ବର୍ଷ ପୂରଣ କରିବାକୁ ଯାଉଛି । ମହାବିଦ୍ୟାଳୟର ବୟସ ବଢିବା ସହ ଗୋଟି ଗୋଟି ସମସ୍ୟା ମୁଣ୍ଡ ଟେକୁଛି । ଅଧାରେ ପଡିରହିଛି ଛାତ୍ରୀ ନିବାସ । ଆବଶ୍ୟକୀୟ ଅଧ୍ୟାପକ ନାହାନ୍ତି । ଖାଲି ପଡିଛି କିରାଣୀ ଓ ପିଅନ ପଦବୀ । ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ରୀ ଓ ଅଧ୍ଯକ୍ଷ ‘ଇଟିଭି ଭାରତ’ କ୍ୟାମେରା ସାମ୍ନାରେ ଗୋଟି ଗୋଟି କରି ବଖାଣିଛନ୍ତି ।
- ୧୮ଟି ଅଧ୍ୟାପକ ପଦବୀ ଖାଲି
- ୮ଟି କିରାଣୀ ପଦବୀ ଖାଲି
- 16 ପିଅନ ପଦବୀ ଖାଲି
- 12 ବର୍ଷ ହେଲା ସରୁନି ଛାତ୍ରୀ ନିବାସ ନିର୍ମାଣ କାମ
- ଭଙ୍ଗା ଆଜବେଷ୍ଟ ଘରେ ଚାଲିଛି କିଛି ବିଭାଗ
12 ବର୍ଷ ଧରି ସରୁନି ଛାତ୍ରୀ ନିବାସ ନିର୍ମାଣ କାମ:
ମହାବିଦ୍ୟାଳୟରେ ଅଧିକାଂଶ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥିମଧ୍ୟରୁ କିଛି ଛାତ୍ରୀ 10ରୁ 15 କିଲୋମିଟର ଦୂରରୁ ଆସିଥାନ୍ତି । ତେଣୁ ଛାତ୍ରୀଙ୍କ ରହିବା ସୁବିଧା ପାଇଁ 2012ରେ ଆରମ୍ଭ ହୋଇଥିଲା ଛାତ୍ରୀ ନିବାସ ନିର୍ମାଣ କାମ । ଏଥିପାଇଁ ୟୁ.ଜି.ସି(UGC) ମାଧ୍ୟମରେ ୨୦ ଲକ୍ଷ ଟଙ୍କା ମିଳିଥିଲା । ଏଜେନ୍ସି ମାଧ୍ୟମରେ କାର୍ଯ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କର ୟୁ.ଜି.ସି ଟଙ୍କା ଦେବା ବନ୍ଦ ହୋଇଗଲା । ସେବେ ଠାରୁ ଛାତ୍ରୀ ନିବାସ ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇପଡିରହିଛି ।
![ନିଆଳି ମହାବିଦ୍ୟାଳୟ](https://etvbharatimages.akamaized.net/etvbharat/prod-images/30-01-2025/23435575_college-1.jpg)
ସୁବିଧା ନଥିବାରୁ ଖାଲି ପଡୁଛି ସିଟ୍:
ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ସୁବିଧା ନଥିବାରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଆଶାନୁରୂପ ଭାବରେ ନାମ ଲେଖା ହୋଇପାରୁନାହିଁ । ଫଳରେ ଖାଲି ପଡୁଛି ସିଟ୍ ।
![ନିଆଳି ମହାବିଦ୍ୟାଳୟ ଆଜବେଷ୍ଟ ଗୃହ](https://etvbharatimages.akamaized.net/etvbharat/prod-images/30-01-2025/23435575_college-4.jpg)
ଆଜବେଷ୍ଟ ଘରେ ଚାଲିଛି ଏସବୁ ବିଭାଗ:
ନିଆଳି ଡିଗ୍ରୀ ମହାବିଦ୍ୟାଳୟର କିଛି ବିଭାଗ ଏବେବି ଭଙ୍ଗା ଆଜବେଷ୍ଟ ଗୃହରେ ଚାଲିଛି । ସେଗୁଡିକ ହେଲା ହିନ୍ଦୀ,ଏ.ଏନ.ଏସ, ଗୃହ ବିଜ୍ଞାନ ବିଭାଗ, ଓ୍ବାଇ.ଆର.ସି.ଏନ.ସି.ସି, ପରୀକ୍ଷା ବିଭାଗ ଷ୍ଟୋର, ଛାତ୍ରୀ ବିଶ୍ରାମ କକ୍ଷ । 1999 ମସିହା ମହାବାତ୍ୟାରେ କିଛି ଆଡବେଷ୍ଟ ଭାଙ୍ଗି ଯାଇଛି । ଏସବୁକୁ ପରିବର୍ତ୍ତନ କରାଯାଇନଥିବା ଛାତ୍ରୀ ଅଭିଯୋଗ ଆଣିଛନ୍ତି ।
ଛାତ୍ରୀଙ୍କୁ ଆଜବେଷ୍ଟ ଖସି ପଡିବା ଭୟ:
ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ଜନତୁଲ ଫିଦ୍ଦୋର୍ସ କହିଛନ୍ତି ," ଆମେ ଦେଖି ଆସୁଛୁ ସେମିତି ଅଧାପନ୍ତରିଆ ହୋଇ ପଡି ରହିଛି ଛାତ୍ରୀ ନିବାସ । ଆମେ ପାଞ୍ଚ ବର୍ଷ ହେଲାଣି ପଢୁଛୁ କାର୍ଯ୍ୟ ସରୁନି । ଯେଉଁ ଅବସ୍ଥାରେ ଛାତ୍ରୀ ନିବାସ ତିଆରି ହୋଇଥିଲା ସେଇ ଅବସ୍ଥାରେ ପଡ଼ିରହିଛି । ଆମେ ଚାହୁଁଛୁ ଶୀଘ୍ର ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ଶେଷ ହେଉ । ଦୂରଦୂରାନ୍ତରୁ ପିଲାମାନେ ଆସୁଛନ୍ତି ଛାତ୍ରୀ ନିବାସ ରହି ପାଠ ପଢିବା ପାଇଁ ସୁବିଧା ହୋଇପାରନ୍ତା । ପୁରାତନ ଆଜବେଷ୍ଟ ତଳେ ଆମେ ପାଠ ପଢୁଛୁ । ୧୯୯୯ ମହାବାତ୍ୟା ପରଠାରୁ ଭଙ୍ଗା ଆଜବେଷ୍ଟ ରହିଛି ତାକୁ ପରିବର୍ତ୍ତନ କରାଯାଇନାହିଁ । କେତେବେଳେ ଭୁଶୁଡି ପଡିବ କହିହେବନାହିଁ । ବହୁ ଅଧ୍ଯାପକ, କିରାଣୀ ଓ ପିଅନ ପଦବୀ ଖାଲିପଡ଼ିଛି । ମହାବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି ।
![ନିଆଳି ମହାବିଦ୍ୟାଳୟ](https://etvbharatimages.akamaized.net/etvbharat/prod-images/30-01-2025/23435575_college-2.jpg)
ସରକାର ଦୃଷ୍ଟି ଦେବାକୁ ଅନୁରୋଧ:
ସେହିପରି ଆଉ ଜଣେ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ସ୍ମୃତିରେଖା ଶତପଥି କହିଛନ୍ତି,"୧୯୭୭ ମସିହାରେ ନିଆଳି ଡିଗ୍ରୀ ମହାବିଦ୍ୟାଳୟ ନିର୍ମାଣ ହୋଇଥିଲା । ଅନେକ ସମସ୍ୟା ଦେଇ ଗତି କରୁଛି । ଆମର ଛାତ୍ରୀ ନିବାସ ନାହିଁ ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀ ମାନେ ବହୁ ହଇରାଣ ହେଉଛନ୍ତି । ଅନେକ ପଦବୀ ଖାଲିପଡ଼ିଛି । ଆମ ମହାବିଦ୍ୟାଳୟ ପଛରେ ନିର୍ମାଣ ହୋଇଥିବା ଅନୁଷ୍ଠାନ ଅନେକ ସୁବିଧା ସୁଯୋଗ ପାଉଛନ୍ତି କିନ୍ତୁ ଆମ ନିଆଳି ଡିଗ୍ରୀ ମହାବିଦ୍ୟାଳୟ କାହିଁକି ପଛରେ ପଡ଼ିଛି । ବିଭିନ୍ନ ସମସ୍ୟା ସମାଧାନ ଦିଗରେ ସରକାର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତିି ।’
କାହିଁକି ଅଧାପନ୍ତରିଆ ହୋଇପଡିଛି ଛାତ୍ରୀ ନିବାସ ? କାରଣ କହିଲେ ଅଧ୍ୟକ୍ଷ
ସେହିପରି ନିଆଳି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୋଦ ବିହାରୀ ଦାସ କହିଛନ୍ତି," ନିଆଳି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ ନିଆଳି ଡିଗ୍ରୀ ମହାବିଦ୍ୟାଳୟ । ମହାବିଦ୍ୟାଳୟରେ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ରହିଛି । ଆମ ମହାବିଦ୍ୟାଳୟରେ ୧୦୦୦ ଝିଅ ପାଠ ପଢନ୍ତି । ୨୦୧୨ ମସିହାରେ ୟୁ.ଜି.ସି ମାଧ୍ୟମରେ ୨୦ ଲକ୍ଷ ଟଙ୍କା ମିଳିଥିଲା । ଏଜେନ୍ସି ମାଧ୍ୟମରେ କାର୍ଯ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କର ୟୁ.ଜି.ସି ଟଙ୍କା ଦେବା ବନ୍ଦ ହୋଇଗଲା । ସେବେ ଠାରୁ ଛାତ୍ରୀ ନିବାସ ଆଜି ପର୍ଯ୍ୟନ୍ତ ଅଧପନ୍ତରିଆ ହୋଇ ପଡିରହିଛି । ଦୂରଦୂରାନ୍ତରୁ ଆସୁଥିବା ପିଲାମାନଙ୍କ ପାଇଁ ସୁବିଧା ନଥିବାରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଆଶାନୁରୂପ ଭାବରେ ନାମ ଲେଖା ହୋଇପାରୁନାହିଁ ।’
![ନିଆଳି ମହାବିଦ୍ୟାଳୟ](https://etvbharatimages.akamaized.net/etvbharat/prod-images/30-01-2025/23435575_college-6.jpg)
ଏହା ମଧ୍ୟ ପଢନ୍ତୁ: ଉପାନ୍ତ ନୁହେଁ ଉପକଣ୍ଠ: ଦିନେ 5Tରେ ହୋଇଥିଲା ରୂପାନ୍ତରଣ, ଆଜି ଯାଏଁ ପହଞ୍ଚିନି କମ୍ପ୍ୟୁଟର ସମସ୍ୟା ଘେରରେ ନୀଳମାଧବ ଜୀଉ ସରକାରୀ ବିଦ୍ୟାଳୟ ପୂରଣ ହେବ ବଳକା ୬୩୦୦ କନିଷ୍ଠ ଶିକ୍ଷକ ପଦବୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ |
୧୮ ଅଧ୍ୟାପକ ପଦବୀ ଖାଲି:
ସେ ଆହୁରି କହିଛନ୍ତି, ‘ଛାତ୍ରୀ ନିବାସ ପାଇଁ ମହାବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବରେ ଜଣାଇଛୁ ପୂର୍ବ ଲୋକପ୍ରତିନିଧିଙ୍କୁ ଜଣାଇଛୁ କିନ୍ତୁ କୋୖଣସି ସୁଫଳ ମିଳିପାରିନାହିଁ । ଗତ କିଛି ଦିନ ତଳେ ନିଆଳି ବିଧାୟକ ଛବି ମଲ୍ଲିକ ଆସିଥିଲେ ଅଧାପନ୍ତରିଆ ଛାତ୍ରୀ ନିବାସ ଦେଖିଛନ୍ତି ଆଉ ପ୍ରତିଶ୍ରୁତି ଦେଇଛନ୍ତି ଖୁବ ଶୀଘ୍ର ଛାତ୍ରୀ ନିବାସ କାର୍ଯ୍ୟ ଆରମ୍ଭ ହେବ । ନିଆଳି ମହାବିଦ୍ୟାଳୟ ଏବେ ବି ଭଙ୍ଗା ଆଜବେଷ୍ଟସ ତଳେ ପିଲାଙ୍କ ଭବିଷ୍ୟତ । ଆଜବେଷ୍ଟସ ତଳେ ହିନ୍ଦୀ,ଏ.ଏନ.ଏସ, ଗୃହ ବିଜ୍ଞାନ ବିଭାଗ,ଓ୍ବାଇ.ଆର.ସି.ଏନ.ସି.ସି,ପରୀକ୍ଷା ବିଭାଗ ଷ୍ଟୋର, ଛାତ୍ରୀ ବିଶ୍ରାମ କକ୍ଷ ଏବେ ବି ଭଙ୍ଗା ଆଜବେଷ୍ଟସ ଚାଲିଛି । ମହାବିଦ୍ୟାଳୟରେ ୧୮ଟି ଅଧ୍ୟାପକ ପଦବୀ ଖାଲିପଡ଼ିଥିବା ବେଳେ ୮ଟି କିରାଣୀ ଓ ୧୬ଟି ପିଅନ ପଦବୀ ଖାଲି ପଡ଼ିଛି ।’
![ନିଆଳି ମହାବିଦ୍ୟାଳୟ](https://etvbharatimages.akamaized.net/etvbharat/prod-images/30-01-2025/23435575_college-3.jpg)
ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରିବେ କହିଲେ ନିଆଳି ବିଧାୟକ:
ନିଆଳି ବିଧାୟକ ଛବି ମଲ୍ଲିକ କହିଛନ୍ତି,"ନିଆଳି ମହାବିଦ୍ୟାଳୟ ଯେଉଁ ଭଳି ଭାବରେ ଅବହେଳିତ ହୋଇ ପଡିଛି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ,ଏତେ ବର୍ଷର କଲେଜ ମୁଁ ଛୋଟ ବେଳୁ କଲେଜକୁ ଦେଖି ଆସୁଛି । ଛାତ୍ରୀ ନିବାସ କାନ୍ଥ ଉଠି ଯାଇଛି ଛାତ ପଡ଼ିନାହିଁ । ଶିକ୍ଷାମନ୍ତ୍ରୀଙ୍କୁ ଜଣାଇବି ଲେଖିକି ଦେବି ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରିବ । ନିଆଳି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ।’
ଇଟିଭି ଭାରତ, ନିଆଳି